Image Courtesy of Hindustan Times
ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ଦଳର ମୁଖ୍ୟ ନିର୍ବାଚିତ ହେବେ ଏବଂ ସେ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ହୋଇ ରହିବେ ବୋଲି ରବିବାର ଦିନ କଂଗ୍ରେସ ପାର୍ଟି କହିଛି।
କଂଗ୍ରେସର ଜଣେ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ, ସ୍ଥାୟୀ ଅଧ୍ୟକ୍ଷ ନିର୍ବାଚନ ହୋଇ ନ ଥିବାରୁ ଦଳର ସମ୍ବିଧାନ ଅନୁସାରେ, କର୍ଯ୍ୟକାଳ ବଢ଼ାଯିବା ହେଉଛି ବାସ୍ତବ ଆବଶ୍ୟକତା। ମୌଳିକ ଦାୟିତ୍ବ ହିସାବରେ ଦଳ ତା’ର ନିଷ୍ପତ୍ତି ବିଷୟରେ ନିର୍ବାଚନ କମିସନ୍ଙ୍କୁ ମଧ୍ୟ ଅବଗତ କରାଇବ।
ଏଥିସହ କଂଗ୍ରେସ କହିଛି ଯେ, କରୋନାଭାଇରସ୍ ମହାମାରୀ ଦମନ ନିମନ୍ତେ ମାର୍ଚ ୨୫ ତାରିଖରୁ ଜାରି ହୋଇଥିବା ଦେଶବ୍ୟାପୀ ଲକ୍ଡାଉନ୍ କାରଣରୁ ନୂତନ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ପାରି ନ ଥିଲା। ସୋନିଆ ଗାନ୍ଧୀଙ୍କୁ ଅସ୍ଥାୟୀ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦେବା ପରେ ଗତବର୍ଷ ଅକ୍ଟୋବର-ନଭେମ୍ବର ମାସରେ ପଡ଼ିଲା ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ। ତା’ପଛକୁ ଆସିଲା ଝାଡ଼ଖଣ୍ଡ ଓ ଦିଲ୍ଲୀ ନିର୍ବାଚନ। ତା’ପରେ କୋଭିଡ୍-୧୯ ବିପତ୍ତି।
ଏଠାରେ ସୂଚନାଯୋଗ୍ୟ କି, ରାହୁଳ ଗାନ୍ଧୀ ଇସ୍ତଫା ପତ୍ର ପ୍ରତ୍ୟାହାର କରିବାକୁ ମନା କରିବାରୁ ଗତ ବର୍ଷ ଅଗଷ୍ଟ ୧୦ ତାରିଖ ଦିନ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ୱାର୍କିଙ୍ଗ୍ କମିଟି ଦଳର ଅସ୍ଥାୟୀ ମୁଖ୍ୟ ଭାବେ ନିଯୁକ୍ତ କରିଥିଲା।
Follow Us