ପାଲେକେଲ୍‌: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସୋମବାର ରାତିରେ ପଥୁମ ନିଶଙ୍କଙ୍କ ସଫଳ ପଶ୍ଚାତ୍‌ଧାବନ ଶତକ ଅଷ୍ଟ୍ରେଲିଆକୁ ଧରାଶାୀୟୀ କରିଛି। ଏହି ପୂର୍ବ ବିଜେତା ଦଳ ମଧ୍ୟ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ନିଶଙ୍କ ମାତ୍ର ୫୨ ବଲ୍‌ରୁ ୧୦୦* ରନ୍‌ ସଂଗ୍ରହ କରିବା ସହ ଅଷ୍ଟ୍ରେଲିଆର ୧୮୨ ରନ୍‌ ଲକ୍ଷ୍ୟକୁ ୧୨ ବଲ୍‌ ପୂର୍ବରୁ ଶେଷ କରି ଦେଇଥିଲେ। ପଥୁମଙ୍କ ପାଳିରେ ୧୦ ଚୌକା ଓ ୫ ଦର୍ଶନୀୟ ଛକା ସାମିଲ ଥିଲା, ଯାହା ପାଲେକେଲ୍‌ ପ୍ରଶଂସକଙ୍କୁ ସୋମବାର ରାତିରେ ବିମୋହିତ କରି ଦେଇଥିଲା। ଚଳିତ ବିଶ୍ବକପ୍‌ରେ ଏହା ପ୍ରଥମ ଶତକ ମଧ୍ୟ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୧୯ ବର୍ଷର ଇତିହାସରେ ଏହା ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଶତକ। ପଶ୍ଚାତ୍‌ଧାବନର ଚାପ ସତ୍ତ୍ବେ ପଥୁମ ନିଜ ଦକ୍ଷତା ଓ ଆତ୍ମବିଶ୍ବାସ ବଳରେ ଅସମ୍ଭବକୁ ସମ୍ଭବ କରିଛନ୍ତି। ଆରମ୍ଭରୁ ଯେଉଁ ଲୟରେ ବ୍ୟାଟିଂ କରିଥିଲେ ଶେଷ ପର୍ଯ୍ୟନ୍ତ ଜାରି ରଖିଥିଲେ। ମାର୍କସ ଷ୍ଟୋଇନିସ୍‌ଙ୍କ ଗୋଟିଏ ଓଭରରୁ ୨୦ ରନ୍‌ ଏବଂ ନାଥନ୍ ଏଲିସଙ୍କଠାରୁ ୧୬ ରନ୍‌ ଆଦାୟ କରିଥିଲେ। ଦଳ ବିଜୟ ଦ୍ବାରରେ ପହଞ୍ଚିବା ପରେ ଆଦାମ ଜାମ୍ପାଙ୍କଠାରୁ ଲଙ୍ଗ୍‌ ଅନ୍‌ରୁ ସିଙ୍ଗଲ୍‌ ନେଇ ସ୍ମରଣୀୟ ଶତକ ପୂର୍ଣ୍ଣ କରିଥିଲେ ପଥୁମ।

Advertisment

ଶୀର୍ଷରେ ଅଛନ୍ତି ପଥୁମ

ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶ୍ରୀଲଙ୍କାର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ହାସଲରେ ମଧ୍ୟ ପଥୁମ ପୂର୍ବତନ ଖେଳାଳି ମାହେଲା ଜୟବର୍ଦ୍ଧନେଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ସମାନ ୧୦୦ ରନ୍‌ କରିଥିଲେ। ପଥୁମ କିନ୍ତୁ ଅପରାଜିତ ଥିବାରୁ ଶୀର୍ଷରେ ଅଛନ୍ତି। ମାହେଲା ୨୦୧୦ ସଂସ୍କରଣରେ ଜିମ୍ବାୱେ ବିପକ୍ଷରେ ୧୦୦ ରନ୍‌ କରିଥିଲେ। ସେହି ସଂସ୍କରଣରେ ମାହେଲା ମଧ୍ୟ ୱେ‌‌ଷ୍ଟଇଣ୍ଡିଜ୍‌ ବିପକ୍ଷରେ ୯୮* ଏବଂ ୨୦୦୯ରେ ତିଲକରତ୍ନେ ଦିଲସାନ୍‌ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୯୬* ରନ୍‌ କରିଥିଲେ। ସୋମବାର ରାତିରେ କିନ୍ତୁ ପଥୁମ ଶତକ ହାସଲ କରିବା ପରେ ନିଆରା ଢ଼ଙ୍ଗରେ ଉତ୍ସବ ପାଳିଥିଲେ। ମୁଣ୍ଡରୁ ହେଲ୍‌‌ମେଟ୍‌ କାଢ଼ିବା ପରେ ସେ ଦୁଇ ବାହୂୁକୁ ଖୋଲି ପ୍ରଶଂସକଙ୍କ ଆଭିବାଦନ ଗ୍ରହଣ କରିଥିଲେ। ଆଖିକୁ ବନ୍ଦ କରିବା ସହ ଓଠ ଉପରେ ଆଙ୍ଗୁଳି ରଖି ‘ଚୁପ’ ରହିବାର ସଙ୍କେତ ଦେଇଥିଲେ। ପ୍ରକାରାନ୍ତରେ କହିଥିଲେ ‘ଅନେକ ବାଟ ଯିବାର ଅଛି’। ପାଲେକେଲ୍‌ରେ ସୋମବାର ରାତି ନିଶ୍ଚିତ ଭାବେ ସ୍ବତନ୍ତ୍ର ରହିବ। ଏହି ଶତକ ମଧ୍ୟ ଶ୍ରୀଲଙ୍କା କ୍ରିକେଟ୍‌ ଏବଂ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ହୋଇ ରହିବ ବୋଲି ବିଶ୍ବାସ କରାଯାଉଛି।

ଆହୁରି ପଢନ୍ତୁ -Emmanuel Macron: ଇମାନୁଏଲ ମାକ୍ରନ ମୁମ୍ବାଇରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା