ଲକ୍ଷ୍ନୌ: ଭୋଜପୁରୀ ଷ୍ଟାର ପବନ ସିଂହଙ୍କ ବ୍ୟକ୍ତିଗତ ଜୀବନ ଗତ କିଛି ମାସ ହେବ ବିବାଦ ଘେରରେ ରହିଛି। ରିଆଲିଟି ସୋ’ ରାଇଜ ଆଣ୍ଡ ଫଲ୍କୁ ଯିବା ପୂର୍ବରୁ ତାଙ୍କର ଦ୍ବିତୀୟ ପତ୍ନୀ ଜ୍ୟୋତି ସିଂହଙ୍କ ସହ ଝଗଡ଼ା ହୋଇଥିଲା। ଜ୍ୟୋତି ଆତ୍ମହତ୍ୟା ଧମକ ଦେଇଥିଲେ। ଏବେ ସୋ’ ଛାଡିବା ପରେ ଜ୍ୟୋତି ଏବଂ ପବନ ସିଂହଙ୍କ ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। କ୍ରୋଧିତ ହୋଇ ଜ୍ୟୋତି ପୁଣି ଆତ୍ମହତ୍ୟା କରିବା ନେଇ ଧମକ ଦେଇଛନ୍ତି।
ପବନଙ୍କ ଲକ୍ଷ୍ନୌସ୍ଥିତ ଘରକୁ ଯିବା ପାଇଁ ଜ୍ୟୋତିଙ୍କୁ ଅନୁମତି ନମିଳିବା ପରେ ସେ ଏକ ଭିଡିଓ ସେୟାର କରି ଏହାର ବିରୋଧ କରିଛନ୍ତି। ଏହା ସହିତ ଘର ଭିତରକୁ ଯିବାକୁ ଅନୁମତି ନମିଳିଲେ ଏବଂ ପବନଙ୍କ ସହ କଥା ନହେଲେ ସେ ବିଷ ପିଇବି ବୋଲି କହିଛନ୍ତି। ପୋଷ୍ଟ କରାଯାଇଥିବା ଭିଡ଼ିଓରେ ଜ୍ୟୋତି ସିଂହ କହିଛନ୍ତି ଯେ, ତାଙ୍କୁ ପବନ ସିଂହଙ୍କ ଘରେ ପ୍ରବେଶ କରିବାକୁ ମନା କରାଯାଇଛି। ଉଭୟ ପକ୍ଷ ପରସ୍ପର ବିରୁଦ୍ଧରେ ଅଭିଯୋଗ ଆଣିଥିବାରୁ ଏବଂ ଆଇନଗତ ଲଢ଼େଇ ଜାରି ରହିଥିବାରୁ ପୁଲିସ ଅଧିକାରୀମାନେ ଜ୍ୟୋତିଙ୍କୁ ସେମାନଙ୍କ ସହିତ ପୁଲିସ ଷ୍ଟେସନକୁ ଯିବାକୁ କହୁଛନ୍ତି। ଏହା ଶୁଣି ଜ୍ୟୋତି ସ୍ପଷ୍ଟ କରୁଛନ୍ତି ଯେ, ସେ କୌଣସି ଘରୋଇ ହିଂସା ମାମଲା ରୁଜୁ କରିନାହାଁନ୍ତି ଏବଂ ସମସ୍ତ ମାମଲା ଭରଣପୋଷଣ ସହିତ ଜଡିତ।
ଏହା ପରେ ସେ କହୁଛନ୍ତି, "ଆଜି ମୁଁ କେବଳ ସମାଜର ଲୋକଙ୍କ ପାଇଁ ଏଠାକୁ ଆସିଥିଲି। ସେମାନେ ଅନୁରୋଧ କରୁଥିବାରୁ ମୁଁ ସବୁ ଭୁଲି ପବନଙ୍କ ଘରକୁ ଆସିଥିଲି କ’ଣ ନିଜର ଅପମାନ କରିବା ପାଇଁ। ଯଦି ଏବେ ବି ମୋତେ ନ୍ୟାୟ ନମିଳେ ତେବେ ଆଉ କିଛି ଆଶା ନାହିଁ। ମୁଁ ଘରେ ବିଷ ପିଇ ମରିଯିବି। ଏଘରୁ ମୁଁ ଶବ ବାହାରକୁ ଯିବ। ଶେଷ ଥର ପାଇଁ ମୁଁ ଏଭଳି କହୁଛି। ମୁଁ ଭଦ୍ର ଘରର ଝିଅ ଓ ବୋହୂ। ଏହା ସତ୍ତ୍ବେ ଯଦି ମୋତେ ପୁଲିସ ଷ୍ଟେସନ ଯିବାକୁ ପଡେ ତେବେ ମୁଁ ଏଘରୁ ବିଷ ପିଇ ବାହାରିବି। ବହୁତ ହୋଇଗଲା। ଏବେ ମୋତେ ନ୍ୟାୟ ଦରକାର।"
pawan-singh | Jyoti Singh
Follow Us