ମୁମ୍ବାଇ: ବୁଧବାର ସକାଳ ୮ଟା ୪୦ ମିନିଟ୍‌ରେ ଏକ ଛାତିଥରା ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟ ଅଜିତ ପାୱାରଙ୍କ ପରଲୋକ ଘଟିଛି। ତାଙ୍କୁ ନେଇ ଯାଉଥିବା ଚାର୍ଟାର୍ଡ ବିମାନଟି ବାରାମତି ବିମାନବନ୍ଦରରେ ଦ୍ୱିତୀୟ ଥର ପାଇଁ ଜରୁରିକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ ବିମାନଟି ଖଣ୍ଡଖଣ୍ଡ ହୋଇ ଜଳି ଯାଇଥିଲା। ପାଵାରଙ୍କ ବ୍ୟତୀତ ଦୁଇ ପାଇଲଟ୍ ଓ ଦୁଇ ସୁରକ୍ଷା କର୍ମୀ (ଜଣେ ପିଏସ୍ଓ ଓ ଜଣେ ଆଟେଣ୍ଡାଣ୍ଟ) ମଧ୍ୟ ପ୍ରାଣ ହରାଇଛନ୍ତି। ପାୱାରଙ୍କ ନିଧନ ସହିତ ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଯୁଗର ଅନ୍ତ ଘଟିଛି। ବାରାମତିରେ ଜନ୍ମିତ ୬୬ ବର୍ଷୀୟ ଅଜିତ ପାଵାର ସେହି ନିର୍ବାଚନମଣ୍ଡଳୀରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଆଜି ବାରାମତିରେ ତାଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।  ସେଠାରେ ସେ ଜିଲ୍ଲା ପରିଷଦ ନିର୍ବାଚନ ପୂର୍ବରୁ ଚାରିଟି ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା।

Advertisment

Dhamara Port: ବିଜେଡି ରାସ୍ତାରେ ଯାଉଛି ବିଜେପି! ଅଞ୍ଚଳବାସୀଙ୍କ ସ୍ଵପ୍ନ କେବେ ହେବ?

ସୂଚନା ଅନୁସାରେ, ଟେବୁଲ୍-ଟପ୍ ରନ୍‌ୱେରେ ଦ୍ୱିତୀୟ ଅବତରଣ ଉଦ୍ୟମ ସମୟରେ ବୋମ୍ବାର୍ଡିୟର ଲିୟରଜେଟ୍-୪୫ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଡିଜିସିଏ ଏକ ବିବୃତିରେ କହିଛି ଯେ ବିମାନରେ ଥିବା ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ବିମାନ ଚଳାଚଳ ନିୟାମକ କହିଛନ୍ତି, ଦୁର୍ବଳ ଦୃଶ୍ୟମାନତା ହେତୁ ଏହି ଦୁର୍ଘଟଣା ଘଟିଥାଇପାରେ। ବିମାନରେ ଥିବା ଦୁଇ ପାଇଲଟ୍‌ ହେଲେ କ୍ୟାପଟେନ୍‌ ସୁମିତ କପୁର ଓ ଶାମ୍ଭବୀ ପାଠକ। କପୁରଙ୍କର ୧୬,୦୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା ଏବଂ ଉଭୟ  ଦିଲ୍ଲୀର ବାସିନ୍ଦା ଥିଲେ। ୧୬ ବର୍ଷର ପୁରୁଣା ଏହି ବିମାନ ଦିଲ୍ଲୀର ଚାର୍ଟର୍ କମ୍ପାନି ଭିଏସ୍ଆର୍‌ର ଅଟେ। ଦୁର୍ଘଟଣା ପରେ ବିମାନଟି ପାଉଁଶ ହୋଇଯାଇଥିଲା। ପ୍ରାରମ୍ଭିକ ଦୃଶ୍ୟରେ ବାରାମତିର ଏହି ଅଞ୍ଚଳରୁ ପ୍ରଚଣ୍ଡ ନିଆଁ ଓ ଧୂଆଁ ଉଠୁଥିବାର ଦେଖାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିମାନଟି ଅବତରଣ କରିବାକୁ ଚେଷ୍ଟା କରୁଥିଲା ବେଳେ ରନ୍‌ୱେ ନଂ ୧୧ର ମୁହଁରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସଙ୍ଗେ ସଙ୍ଗେ ବିମାନଟି ଜଳିଯାଇଥିଲା। ଦୁର୍ଘଟଣାର ପ୍ରଭାବ ଏତେ ଭୀଷଣ ଥିଲା ଯେ ପାୱାରଙ୍କ ମୃତଦେହ ତାଙ୍କ ଘଣ୍ଟା ଓ ପୋଷାକ ମାଧ୍ୟମରେ ହିଁ ଚିହ୍ନଟ କରାଯାଇଥିଲା।

୩ ଦିନିଆ ଶୋକ ଘୋଷଣା, ଅନ୍ତିମ ସଂସ୍କାର ଆଜି
ଯୋଗ ଦେବେ ମୋଦୀ, ଶାହ

ଅଜିତ ପାୱାରଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଜିତଙ୍କ ଅକାଳ ବିୟୋଗକୁ ଅପୂରଣୀୟ କ୍ଷତି ଭାବେ ବର୍ଣ୍ଣନା କରି ମହାରାଷ୍ଟ୍ରର ବିକାଶରେ ତାଙ୍କର ଅବଦାନକୁ ସ୍ମରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଜଣେ ଜନପ୍ରିୟ ନେତା ଭାବେ ଅଭିହିତ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଅଜିତଙ୍କ ବିୟୋଗ ଏକ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅଜିତ ପାୱାରଙ୍କୁ ଜଣେ ଶକ୍ତିଶାଳୀ ଓ ଉଦାର ବନ୍ଧୁ ଭାବେ ବର୍ଣ୍ଣନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ବଡ଼ଭାଇ ସଦୃଶ ବୋଲି କହି ସ୍ମୃତିଚାରଣ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।  

Horoscope 2026 January 28: ଜାଣନ୍ତୁ ଆଜିର ରାଶିଫଳ

ପୁଣେ ଜିଲ୍ଲାର ବାରାମତିସ୍ଥିତ ବିଦ୍ୟା ପ୍ରତିଷ୍ଠାନ ପରିସରରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରୀୟ ସମ୍ମାନ ସହ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ପାୱାରଙ୍କ ମରଶରୀରକୁ ବିଦ୍ୟା ପ୍ରତିଷ୍ଠାନରେ ରଖାଯାଇଛି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଜିତଙ୍କ ପତ୍ନୀ ସୁନେତ୍ରାଙ୍କୁ ବାରାମତିରେ ଭେଟିଛନ୍ତି। ଅଜିତଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ ରାଜ୍ୟରେ ୩ ଦିନିଆ ଶୋକ ଘୋଷଣା କରିଛନ୍ତି।