ଟେଲ୍ ଅଭିଭ୍: ଇସ୍ରାଏଲ-ହମାସ ଯୁଦ୍ଧକୁ ରୋକିବା ଏବଂ ଗାଜାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସ୍ବାଭାବିକ କରିବା ଲକ୍ଷ୍ୟରେ ଗତକାଲିଠାରୁ କାଇରୋରେ ଚାଲିଥିବା ଶାନ୍ତି ସମ୍ମିଳନୀ ବିନା କୌଣସି ମିଳିତ ପ୍ରସ୍ତାବରେ ଶେଷ ହୋଇଛି ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ଏବେ ନୂଆ ମୋଡ଼ ନେଇଛି। ଆରବ ରାଷ୍ଟ୍ରଙ୍କ କୌଣସି ଚାପକୁ ଖାତିର୍ ନକରି ଇସ୍ରାଏଲ ଗାଜା ସମେତ ଏକସଙ୍ଗରେ ଲେବାନନ୍, ସିରିୟା ଏବଂ ୱେଷ୍ଟ୍ବ୍ୟାଙ୍କରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛି। ହେଜବୋଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କଲେ ଲେବାନନ୍ରେ ଧ୍ବଂସଲୀଳା ସୃଷ୍ଟି ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ଧମକ ଦେଇଛନ୍ତି। ଗତରାତିରୁ ଚାଲିଥିବା ବୋମାମାଡ଼ରେ ୫୦ରୁ ଅଧିକ ପାଲେଷ୍ଟାଇନ ନାଗରିକ ନିହତ ହୋଇଥିବା ବେଳେ ଅନେକ ପ୍ରତିଷ୍ଠାନ ମାଟିରେ ମିଶିଯାଇଛି। ଲୋକେ ତୁରନ୍ତ ଉତ୍ତର ଗାଜା ଛାଡ଼ିବା ପାଇଁ ଆଜି ଇସ୍ରାଏଲ ଚରଣବାଣୀ ଶୁଣାଇବା ସହ ଆକ୍ରମଣ କୌଣସି ସ୍ଥିତିରେ ବି ଅଟକିବ ନାହିଁ ବୋଲି ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ଉତ୍ତର ଲୋବାନନ, ସିରିୟା ଓ ୱେଷ୍ଟ୍ବ୍ୟାଙ୍କରେ ମଧ୍ୟ ଇସ୍ରାଏଲ ଏକସମୟରେ ଆକ୍ରମଣ କରି ଯୁଦ୍ଧ ପରିସରକୁ ବ୍ୟାପକ କରିଛି।
ଲେବାନନ୍, ସିରିଆ ଓ ୱେଷ୍ଟ୍ବ୍ୟାଙ୍କ୍ରେ ଏକକାଳୀନ ଆକ୍ରମଣ
ଯୁଦ୍ଧ ବିମାନ ଓ ନୌସେନା ମୁତୟନ ବଢ଼ାଇଲା ଆମେରିକା
ଗାଜାରେ ୧୦ ଲକ୍ଷ ବିସ୍ଥାପିତ
ଆଜି ଇସ୍ରାଏଲ ସହିତ ଲେବାନନ୍ର ସୀମାପର ଗୁଳିବର୍ଷା ଅତି ଭୀଷଣ ହୋଇଥିବା ବେଳେ ସିରିୟାର ଡାମାସ୍କସ ଓ ଆଲେପୋରେ ଇସ୍ରାଏଲ ବିଭିନ୍ନ ପର୍ଯ୍ୟାୟରେ କ୍ଷେପଣାସ୍ତ୍ର ମାଡ଼ କରିଛି। ହେଜବୋଲ୍ଲା ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କରିଥିବାରୁ ଆଜି ଆମେରିକା ପୁଣି ଥରେ ଇରାନକୁ ଚେତାବନୀ ଦେଇ ଇସ୍ରାଏଲ-ହମାସ ସଂଘର୍ଷରୁ ଦୂରେଇ ରହିବା ପାଇଁ କହିଛି। ଆମେରିକା ମଧ୍ୟପ୍ରାଚ୍ୟରେ ସୈନ୍ୟ ମୁତୟନ ବଢ଼ାଇବା ସହ ଯୁଦ୍ଧ ବିମାନ ମୁତୟନରେ ମଧ୍ୟ ବୃଦ୍ଧି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ହେଜବୋଲ୍ଲାର ପ୍ରାୟ ୬ ଜଣ କମାଣ୍ଡର ସମେତ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଏହା ଇସ୍ରାଏଲ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି ।
ଇସ୍ରାଏଲ ଆଜି ସ୍ପଷ୍ଟ କରିଛି ଯେ ହମାସ ଆତଙ୍କବାଦୀମାନେ ୨୧୨ ଜଣଙ୍କୁ ଗାଜାରେ ପଣବନ୍ଦୀ କରି ରଖିଛନ୍ତି ଏବଂ ସେମାନଙ୍କୁ ମାନବ ଢାଲ ଭାବେ ବ୍ୟବହାର କରୁଛି। ପଣବନ୍ଦୀଙ୍କୁ ଛାଡ଼ିବା ନେଇ ଅନେକ ବିଭ୍ରାନ୍ତିକର ଖବର ପ୍ରଚାର କରାଯାଉଥିବାରୁ ଇସ୍ରାଏଲ କର୍ତ୍ତୃପକ୍ଷ ଏହାର କଡ଼ା ବିରୋଧ କରିଛନ୍ତି। ଦୁଇଦିନ ମଧ୍ୟରେ ୱେଷ୍ଟ୍ବ୍ୟାଙ୍କରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ପରେ ୭୦୦ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛ। ସେମାନଙ୍କ ମଧ୍ୟରେ ୪୮୦ ଜଣ ହମାସ୍ ଆତଙ୍କବାଦୀ ରହିଥିବା କୁହାଯାଇଛି । ପାଲେଷ୍ଟାଇନରେ ବୋମା ଓ କ୍ଷେପଣାସ୍ତ୍ର ମାଡ଼ରେ ଏ ପର୍ଯ୍ୟନ୍ତ ୪୭୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭ ହଜାର ଲୋକ ଆହତ ହୋଇଛନ୍ତି। ଗାଜାର ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ୧୦ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।
Follow Us