ପେଗାସସ୍‌ ଗୁଇନ୍ଦାଗିରି ମାମଲା: ବିଶେଷଜ୍ଞ କମିଟି ଗଠନ କରିବେ ସୁପ୍ରିମ କୋର୍ଟ

Advertisment

ଆସନ୍ତା ସପ୍ତାହରେ ଆସିବ ରାୟ

ଆସନ୍ତା ସପ୍ତାହରେ ଆସିବ ରାୟ

ନାବାଳକ ସତ୍ତ୍ବେ ୧୭ ବର୍ଷ ଜେଲ୍‌, ସୁପ୍ରିମ୍‌ କୋର୍ଟ ମୁକ୍ତ କଲେ

Image Courtesy of India Today

ନୂଆଦିଲ୍ଲୀ: ଇସ୍ରାଏଲୀ କମ୍ପାନି ଏନଏସଓ ଗ୍ରୁପର ସ୍ପାଏୱେର ପେଗାସସ୍ ମାଧ୍ୟମରେ ଭାରତର ମନ୍ତ୍ରୀ, ରାଜନେତା, ବ୍ୟବସାୟୀ, ସାମ୍ବାଦିକ ଏବଂ ସାମାଜିକ କର୍ମୀମାନଙ୍କ ବିରୋଧରେ ଗୁଇନ୍ଦାଗିରି କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମ କୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିବେ। ଏଥିସହିତ ଏହି ମାମଲାରେ ସଂରକ୍ଷିତ ଥିବା ରାୟକୁ ସୁପ୍ରିମ କୋର୍ଟ ଆସନ୍ତା ସପ୍ତାହରେ ପ୍ରକାଶ କରିବେ। ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଏନ ଭି ରମଣା ଆଜି ଏହି ସୂଚନା ଦେଇଛନ୍ତି। ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ନେତୃତ୍ବରେ ୩ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି।

ଅନ୍ୟ ଏକ ମାମଲାର ବିଚାର ବେଳେ ବେଳେ ପ୍ରଧାନ ବିଚାରପତି ଆଜି ବରିଷ୍ଠ ଆଇନଜୀବୀ ସି ୟୁ ସିଂହଙ୍କୁ ଏହି ସୂଚନା ଦେଇଛନ୍ତି। ଅନ୍ୟ ଆଇନଜୀବୀମାନଙ୍କୁ ଏହା ଜଣାଇ ଦେବାଲାଗି ପ୍ରଧାନ ବିଚାରପତି ଆଇନଜୀବୀ ଶ୍ରୀ ସିଂହଙ୍କୁ କହିଛନ୍ତି। ପେଗାସସ୍ ପ୍ରସଙ୍ଗକୁ ନେଇ ଏକାଧିକ ପିଟିସନ ହୋଇଛି। ଅନେକ ଆଇନଜୀବୀ ଏସବୁ ପିଟିସନଗୁଡ଼ିକର ପରିଚାଳନା ଆବେଦନକାରୀଙ୍କ ପକ୍ଷରୁ କରୁଛନ୍ତି। ସେମାନଙ୍କ ମଧ୍ୟରେ ଆଇନଜୀବୀ ଶ୍ରୀ ସିଂହ ଜଣେ। ସରକାରୀ ଏଜେନ୍ସିଗୁଡ଼ିକ ଇସ୍ରାଏଲୀ ସଫ୍ଟୱେରର ଉପଯୋଗ କରିଥିଲେ କି ନାହିଁ ତାହା ଜଣାଇବା ଲାଗି ପୂର୍ଣ୍ଣାଙ୍ଗ ସତ୍ୟପାଠ ଦାଖଲ କରିବା ପାଇଁ ସୁପ୍ରିମ କୋର୍ଟରେ ସରକାର ଗତ ୧୩ ତାରିଖରେ ମନା କରିଦେଇଥିଲେ।

ଫଳରେ ସୁପ୍ରିମ କୋର୍ଟ ଉକ୍ତ ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ। ବିଶେଷଜ୍ଞ କମିଟି ଗଠନ ଏବଂ ସ୍ବାଧୀନ ତଦନ୍ତ କମିଟି ଗଠନ ସଂପର୍କରେ ୩ରୁ ୪ ଦିନ ଭିତରେ ଅଦାଲତ ରାୟ ଦେବେ ବୋଲି କହିଥିଲେ। ସେହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ ପେଗାସସ୍ ଭଳି ନିର୍ଦ୍ଦିଷ୍ଟ ସଫ୍ଟୱେର ବ୍ୟବହାର ଶପଥପାଠ କିମ୍ବା ସାଧାରଣ ବିତର୍କର ଅଂଶବିଶେଷ ହୋଇପାରିବ ନାହିଁ। ପେଗାସସ୍ ଗୁଇନ୍ଦାଗିରି ମାମଲାରେ ସରକାର ଗତ ଅଗଷ୍ଟ ୧୬ ତାରିଖରେ ଯେଉଁ ଶପଥପାଠ ଦାଖଲ କରିଛନ୍ତି ସେହି ମତ ସହ ସରକାର ଏକମତ ଅଛନ୍ତି। ସ୍ପାଏୱେର ବ୍ୟବହାରକୁ ସରକାର ଶପଥପାଠରେ ଖଣ୍ଡନ କରି ନଥିଲେ କିମ୍ବା ସ୍ବୀକାର ମଧ୍ୟ କରି ନଥିଲେ। ସରକାରଙ୍କ ସତ୍ୟପାଠକୁ ଆବେଦନକାରୀମାନଙ୍କ ଆଇନଜୀବୀ ଯଥା କପିଲ ସିବଲ, ଶ୍ୟାମ ଦିବାନ, ରାକେଶ ଦ୍ବିବେଦୀ, ‌ଦିନେଶ ଦ୍ବିବେଦୀ, କୋଲିନ ଗନସ୍ଲେଭ୍ସ ଏବଂ ମୀନାକ୍ଷୀ ଅରୋରା ପ୍ରମୁଖ ଦୃଢ଼ ବିରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe