Image Courtesy of The Pioneer
ୱାସିଂଟନ୍: ବାୟୁସେନାର ସାମରିକ ପଣ୍ୟବାହୀ ବିମାନ ସି-୧୩୦ଜେ ସୁପର୍ ହର୍କ୍ୟୁଲେସ୍ ପାଇଁ ୯୦ ନିୟୁତ ଡଲାର୍ର ଯନ୍ତ୍ରାଂଶ ଓ ବୈଷୟିକ ସହାୟତା ଯୋଗାଇ ଦେବା ଲାଗି ଭାରତର ଅନୁରୋଧକୁ ପେଣ୍ଟାଗନ୍ର ଅନୁମୋଦନ କରିଛି।
କଂଗ୍ରେସକୁ ଜାରି କରିଥିବା ବିଜ୍ଞପ୍ତିରେ ‘ଡିଫେନ୍ସ୍ ସିକ୍ୟୁରିଟି କୋଅପରେସନ୍ ଏଜେନ୍ସି’ କହିଛି, ଆମେରିକା-ଭାରତ ରଣନୈତିକ ସମ୍ପର୍କକୁ ସୁଦୃଢ଼ କରିବା ସହ ପ୍ରମୁଖ ପ୍ରତିରକ୍ଷା ଅଂଶୀଦାର ଭାରତର ନିରାପତ୍ତା ଅଭିବୃଦ୍ଧି କରିବାରେ ସହାୟକ ହେବାକୁ ଯାଉଥିବା ଏହି ପ୍ରସ୍ତାବିତ ବିକ୍ରୟ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ନୀତି ଓ ଜାତୀୟ ନିରାପତ୍ତାକୁ ସମର୍ଥନ କରିବ। କାରଣ, ଭାରତୀୟ-ପ୍ରଶାନ୍ତ ମହାସାଗରୀୟ ଏବଂ ଦକ୍ଷିଣ ଏସୀୟ ଅଞ୍ଚଳରେ ରାଜନୈତିକ ସ୍ଥିରତା, ଶାନ୍ତି ଏବଂ ଆର୍ଥିକ ପ୍ରଗତି ଲାଗି ଭାରତ ଏକ ଗୁରୁତ୍ବପୂର୍ଣ୍ଣ ଶକ୍ତି ହୋଇ ରହିଛି।
ଏହି ଯନ୍ତ୍ରାଂଶ ଏବଂ ବୈଷୟିକ ସହାୟତା ଭାରତୀୟ ବାୟୁସେନାର ବିମାନଗୁଡ଼ିକୁ ବୃହତ୍ତର ଅଭିଯାନ ନିମନ୍ତେ ପ୍ରସ୍ତୁତ କରିବ।
Image Courtesy of Defence Aviation Postଏଭଳି ଗୁରୁତ୍ବପୂର୍ଣ୍ଣ ବିକ୍ରୟ ଲାଗି ବିଜ୍ଞପ୍ତି ଜାରି କରିବା ନିମନ୍ତେ ‘ଆର୍ମସ୍ ଏକ୍ସପୋର୍ଟ କଣ୍ଟ୍ରୋଲ୍ ଆକ୍ଟ୍’ରେ ନିୟମ ରହିଛି। ପ୍ରସ୍ତାବିତ ବିକ୍ରୟର ସମୀକ୍ଷା ଲାଗି ସାଂସଦମାନଙ୍କୁ ୩୦ ଦିନ ସମୟ ମଧ୍ୟ ଦିଆଯାଇଛି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରୁଥିବା ଲକ୍ହିଡ୍-ମାର୍ଟିନ୍ ଏହି ବିକ୍ରୟ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବ।
ଯୁକ୍ତରାଷ୍ଟ୍ର ଆମେରିକା ‘ସି-୧୩୦ଜେ ସୁପର୍ ହର୍କ୍ୟୁଲେସ୍ ବିମାନ’ ବିକ୍ରୟ କରିଥିବା୧୭ଟି ଦେଶ ମଧ୍ୟରୁ ଭାରତ ଅନ୍ୟତମ। ଭାରତୀୟ ବାୟୁସେନା ସମ୍ପ୍ରତି ପାଞ୍ଚଟି ‘ସି-୧୩୦ଜେ ସୁପର୍ ହର୍କ୍ୟୁଲେସ୍ ବିମାନ’ ଚଳାଉଛି। ଏହାଛଡ଼ା ଆହୁରି ଛଅଟି ‘ସି-୧୩୦ଜେ ସୁପର୍ ହର୍କ୍ୟୁଲେସ୍ ବିମାନ’ ଲାଗି ମଧ୍ୟ ଭାରତ ବରାଦ ଦେଇଛି।
ଲକ୍ହିଡ୍ ତା’ର ୱେବ୍ସାଇଟ୍ରେ କହିଛି, ବିଶ୍ବର ଉଚ୍ଚତମ ଲ୍ୟାଣ୍ଡିଙ୍ଗ୍ ଷ୍ଟ୍ରିପ୍ ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟରେ ନଷ୍ଟ ହୋଇ ଆବୁଡ଼ାଖାବୁଡ଼ା ହୋଇଯାଇଥିବା ରନ୍ୱେରେ ମଧ୍ୟ ‘ସି-୧୩୦ଜେ ସୁପର୍ ହର୍କ୍ୟୁଲେସ୍ ବିମାନ’ ଅବତରଣ କରିପାରିବ, ଯେଉଁଠାକୁ ଅନ୍ୟ ବିମାନ ସବୁ ଯାଇ ପାରିବେ ନାହିଁ।
Follow Us