Image Courtesy of The Indian Express
ନୂଆଦିଲ୍ଲୀ: ଦୀର୍ଘ ଦିନ ହେବ ବିଶ୍ବ ମହାମାରୀ ସହ ଲଢୁଥିବା ସମୟରେ ତାଇୱାନ୍ର ବିମାନଯାତ୍ରା-ସରିକ ଲୋକମାନଙ୍କ ପାଇଁ ତାଇୱାନ୍ ସରକାର ନିକଟରେ ‘ମାନସ ଉଡ଼ାଣ’ ବା ‘ଫାଣ୍ଟାସି ଫ୍ଲାଇଟ୍’ ଆୟୋଜନ କରିଥିଲେ। ତାଇୱାନ୍ର ବେସାମରିକ ବିମାନ ଚଳାଚଳ ପ୍ରଶାସନ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିମାନ ଉଡ଼ିବା ତ ଦୂରର କଥା ଇଞ୍ଜିନ୍ ମଧ୍ୟ ଷ୍ଟାର୍ଟ ହୋଇ ନ ଥିଲା। ଅର୍ଥାତ୍ ଖାଲିଟାରେ ବିମାନରେ ବସି ଲୋକେ ଦେଶ ବିଦେଶଯାତ୍ରା କରୁଛନ୍ତି ବୋଲି ମନେ ମନେ ଭାବୁଥିଲେ।
ଏହି ଉଡ଼ାଣରେ ଯିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ଅନ୍ଲାଇନ୍ ଲଟେରିରେ ଅଂଶ ଗ୍ରହଣ କରିବାକୁ ପଡ଼ିଥିଲା। ଏଥିରେ ବିଜୟୀ ହୋଇଥିବା ବ୍ୟକ୍ତିମାନଙ୍କୁ ‘ମାନସ ଉଡ଼ାଣ’ ଯାତ୍ରାରେ ଯିବା ନିମନ୍ତେ ସାଥିରେ ଅନ୍ୟଜଣକୁ ଆଣିବାକୁ ଅନୁମତି ମିଳିଥିଲା। ଗନ୍ତବ୍ୟସ୍ଥଳ ନ ଥିବା ଏହି ବିମାନରେ ସମୁଦାୟ ୬୬ଜଣ ଯାତ୍ରୀ ବସିଥିଲେ।
କିନ୍ତୁ, ବିମାନ ଯାତ୍ରା ଭଳି ଏମାନଙ୍କ ପାଇଁ ସମସ୍ତ ପ୍ରକାର ଔପଚାରିକତା ଅବଲମ୍ବନ କରାଯାଇଥିଲା। ଯାତ୍ରୀମାନଙ୍କୁ ଚେକ୍-ଇନ୍ କରାଯାଇଥିଲା। ଏହାପରେ ସେମାନଙ୍କୁ ବୋର୍ଡିଙ୍ଗ୍ ପାସ୍ ମିଳିଥିଲା। ଯାତ୍ରୀମାନେ ସିକ୍ୟୁରିଟି ଓ ଇମିଗ୍ରେସନ୍ ଦେଇ ଯିବା ପରେ ସେମାନଙ୍କୁ ବିମାନ ଆରୋହଣ ନିମନ୍ତେ ଅନୁମତି ମିଳିଥିଲା।
Image Courtesy of The Indian Expressପ୍ରାପ୍ତ ସୂଚନା ଅନୁସାରେ, ଯାତ୍ରା ପାଇଁ ଆୟୋଜିତ ଅନ୍ଲାଇନ୍ ଲଟେରିରେ ୧୦, ୦୦୦ଟି ଏଣ୍ଟ୍ରି ଆସିଥିଲା। ଲଟେରି ଜିଣିଥିବା ଯାତ୍ରୀମାନେ ବିମାନ ଆରୋହଣ କରିବା ପରେ ଖାଦ୍ୟ ଓ ପାନୀୟ ପରଷା ଯାଇଥିଲା। ସେମାନେ ପପ୍ କୁଇଜ୍ରେ ବି ଭାଗ ନେଇଥିଲେ। ପରେ ଜଳ ସିଞ୍ଚନ କରୁଥିବା ଦମକଳ ସେମାନଙ୍କୁ ‘ଗୁଡ୍ଲକ୍’ ଅଭିବାଦନ ଜଣାଇଥିଲା।
ବିମାନରୁ ଅବତରଣ କରିବା ସମୟରେ ସମ୍ପୃକ୍ତ ଯାତ୍ରୀମାନେ କଷ୍ଟମ୍ ଅଧିକାରୀଙ୍କୁ ଭେଟିଥିଲେ। ସେମାନେ ସନ୍ଧାନୀ ଶ୍ବାନଙ୍କ ଦ୍ବାରା ନିରାପତ୍ତା ଯାଞ୍ଚ କରାଇଥିଲେ।
ବିମାନ ବନ୍ଦରର ଉପ-ନିର୍ଦେଶକ ୱାଙ୍ଗ୍ ଚିହ୍-ଚିଙ୍ଗ୍ କହନ୍ତି, ବିଦେଶଯାତ୍ରା କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଦୀର୍ଘ ଦିନ ହେବ ବିଷାଦରେ ଅଛନ୍ତି। ସେ ଆଶା କରିଛନ୍ତି, ଆନ୍ତର୍ଜାତିକ ବିମାନ ଚଳାଚଳ ଆରମ୍ଭ ହେଲେ ଏହି କାର୍ଯ୍ୟକ୍ରମ ଏବଂ ଏହାର ପ୍ରଚାର ଯାତ୍ରୀଙ୍କୁ ‘ନୂତନ ସ୍ବାଭାବିକତା’ ବା ନୂଆ ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରାଇବାରେ ସହାୟକ ହେବ।
ଆଗାମୀ ଦିନରେ ଆହୁରି ଅଧିକ ‘ମାସନ ଉଡ଼ାଣ’ ଆୟୋଜନ ହେବ ବୋଲି ଆଶା କରାଯାଉଛି।
Follow Us