Outlook India
ନୂଆଦିଲ୍ଲୀ: ଲଗାତାର ୬ ଦିନ ଧରି ଦେଶରେ କରୋନା ସଂକ୍ରମଣ ମାମଲା ୧୫ ହଜାରରୁ ଅଧିକ ରହିଛି। ରବିବାର ଦିନ ଦେଶରେ ପୁଣି ୧୯ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୮୦ ଲୋକଙ୍କ ମୃତ୍ୟୁ ହୋଇଛି। ରବିବାର ୧୯ ହଜାର ୪୫୯ ନୂଆ ମାମଲା ସହ ଦେଶରେ ମୋଟ୍ ସଂକ୍ରମଣ ୫ ଲକ୍ଷ ୫୦ ହଜାର ନିକଟବର୍ତ୍ତୀ ହୋଇଛି। ମୋଟ୍ ୫ ଲକ୍ଷ ୪୮ ହଜାର ୩୧୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୧୬ ହଜାର ୪୭୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶରେ ଏବେ ସକ୍ରିୟ ମାମଲା ୨ ଲକ୍ଷ ୧୦ ହଜାର ୧୨୦ ଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୭୨୨ରେ ପହଞ୍ଚିଛି। ଅର୍ଥାତ୍ ୫୮.୬୭ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଆଇସିଏମ୍ଆର ଅନୁଯାୟୀ ଦେଶରେ ଜୁନ୍ ୨୮ ସୁଦ୍ଧା ୮୩ ଲକ୍ଷ ୯୮ ହଜାର ୩୬୨ ନମୁନା ପରୀକ୍ଷା କରାଯାଇଛି। କେବଳ ରବିବାର ଦିନ ୧ ଲକ୍ଷ ୭୦ ହଜାର ୫୬୦ ନମୁନା ପରୀକ୍ଷା କରାଯାଇଛି।
ଦେଶରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ଲଗାତାର ୩ ଦିନ ଧରି କରୋନା ମାମଲା ୫ ହଜାରରୁ ଅଧିକ ରହୁଛି। ମହାରାଷ୍ଟ୍ରରେ ରବିବାର ପୁଣି ୫,୪୯୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଏଥିସହ ରାଜ୍ୟରେ ମୋଟ୍ ସଂକ୍ରମଣ ମାମଲା ୧ ଲକ୍ଷ ୬୪ ହଜାର ୬୨୬ରେ ପହଞ୍ଚିଛି। ରାଜ୍ୟରେ ସକ୍ରିୟ ମାମଲା ୭୦ ହଜାର ୬୦୭ ଥିବାବେଳେ ୮୬ ହଜାର ୫୭୫ ଜଣ ଆରୋଗ୍ୟ ହୋଇଛନ୍ତି। ଅନ୍ୟପକ୍ଷେ ମୁମ୍ବାଇରେ ସଂକ୍ରମଣ ମାମଲା ୭୫ ହଜାର ଟପିଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ୮୦ ହଜାର ଟପିଯାଇଛି। ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡ଼ୁ, ଗୁଜରାଟ ସମେତ ଦେଶରେ ମୋଟ୍ ୮ଟି ରାଜ୍ୟରୁ ୮୫ ପ୍ରତିଶତ ମାମଲା ରେକର୍ଡ କରାଯାଇଥିବାରୁ ଏହି ୮ଟି ରାଜ୍ୟ ଉପରେ ସ୍ବତନ୍ତ୍ର ଭାବେ ଫୋକସ୍ କରାଯାଇଛି।
Follow Us