ବିଦେଶରେ ହନ୍ତସନ୍ତ ଓଡ଼ିଆ ଶ୍ରମିକ: ଦରମା ଦେଉନି, ଦିନରାତି ଖଟେଇ ମାରୁଛି କମ୍ପାନି

Advertisment
ବିଦେଶରେ ହନ୍ତସନ୍ତ ଓଡ଼ିଆ ଶ୍ରମିକ: ଦରମା ଦେଉନି, ଦିନରାତି ଖଟେଇ ମାରୁଛି କମ୍ପାନି

ବାହାରିନ : କମ୍ପାନି ଦିନରାତି ଖଟେଇ ଖଟେଇ ମାରୁଛି। ନା ଖାଇବା, ପିଇବାକୁ ଦେଉଛି ନା ଚୁକ୍ତି ମୁତାବକ ଦରମା। ମୁଣ୍ଡ ଗୁଞ୍ଜିବାକୁ ୮ଜଣଙ୍କୁ ଏମିତିଆ ଘର ବଖରାଏ ଦେଇଛି ଯେ ସେଥିରେ କଡ଼ ଲେଉଟାଇବା ବି କଷ୍ଟକର ହୋଇପଡ଼ୁଛି। ଏମିତି ଦୁର୍ଦ୍ଦଶାର ଦ୍ବାହି ଦେଇ ସ୍ଥାନୀୟ ଏକ ଦୋକାନରୁ ବେଶ୍‌ କିଛି ଦିନ ସେମାନେ ଧାର ଉଧାର କରି ଚଳିଲେ। କିନ୍ତୁ ପଇସା ମିଳିବ ନାହିଁ ଜାଣିବା ପରେ ସଂପୃକ୍ତ ଦୋକାନୀ ବି ଆଉ ସେମାନଙ୍କୁ ଆଡ଼ ଆଖିରେ ଚାହୁଁ ନାହିଁ। ଗତ କିଛି ମାସ ହେଲା ବିଦେଶ ମାଟି ବାହାରିନ୍‌କୁ ଦାଦନ ଖଟିବାକୁ ଯାଇଥିବା ୮ ଓଡ଼ିଆ ଶ୍ରମିକ ଏମିତି ହନ୍ତସନ୍ତ ହୋଇ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି।

ବାଲେଶ୍ବର, ଯାଜପୁର, କଟକ, ଭୁବନେଶ୍ୱର ଆଦି ଅଞ୍ଚଳର ଦୀପାଂଶୁ ଶେଖର ଦାସ, ସୋମନାଥ ପରିଡ଼ା, ଭଗବାନ ସ୍ୱାଇଁ, ଜଗମୋହନ କର, ରାଜେନ୍ଦ୍ର କୁମାରଙ୍କ ସମେତ ୮ଜଣ ଯୁବକ ମନରେ ଅନେକ ଆଶା, ବିଶ୍ୱାସ ନେଇ ବାହାରିନ୍‌ ଯାଇଥିଲେ। ଭଲ କାମ, ରହିବାକୁ ଭଲ ଖାଇବା ଓ ରହିବା ପାଇଁ ଘର ଆଦିର ଗୋଲାପି ସ୍ବପ୍ନ ଦେଖାଇ ଦଲାଲ ସେମାନଙ୍କୁ ପଠାଇଥିଲା। ମାଗନମ୍‌ ଜାହାଜ କମ୍ପାନିରେ ସେବା ଯୋଗାଇବା ତାଙ୍କ କାମ ବୋଲି କୁହାଯାଇଥିଲା। କିନ୍ତୁ ସେଠାରେ ପହଞ୍ଚୁ ପହଞ୍ଚୁ ସବୁ ଓଲଟ ପାଲଟ ହୋଇଯାଇଥିଲା। ଜାହାଜ ସେବା ନୁହେଁ, ବରଂ ଜାହାଜ କାରଖାନାରେ ବିପଦପୂର୍ଣ୍ଣ ଓ କଷ୍ଟକର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଗଲା। ତଥାପି ଯୁବକମାନେ ମନରେ ଦମ୍ଭ ନେଇ କାର୍ଯ୍ୟରେ ଯୋଗଦେଲେ। କିନ୍ତୁ ସମସ୍ୟାର କଥା ହେଲା, କମ୍ପାନି ଏବେ ସେମାନଙ୍କୁ ଦରମା ଦେଉନାହିଁ। ଫଳରେ ଖାଇବା, ପିଇବା ପାଇଁ ବି ସେମାନଙ୍କୁ ବାରଦୁଆର ହେବାକୁ ପଡ଼ୁଛି। ତେ‌େବ‌ ଏ ସଂପର୍କରେ ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଅରୁଣ କୁମାର ପ୍ରହରାଜଙ୍କ ଦୃଷ୍ଟିକୁ ଆସିବା ପରେ ସେ ଏହାର ସମାଧାନ ପାଇଁ ଚେଷ୍ଟା କରିଛନ୍ତି। ଭାରତୀୟ ଦୂତାବାସ, ଶ୍ରମ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ଯୋଗାଯୋଗ କରି ସେମାନଙ୍କ ସୁରକ୍ଷିତ ଭାବେ ଓଡ଼ିଶାକୁ ଫେରାଇ ନେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଶ୍ରୀ ପ୍ରହରାଜ ଯୁବକମାନଙ୍କୁ ନିଜ ବାସଭବନକୁ ଡକାଇ ସେମାନଙ୍କ ଫେରିବା ବ୍ୟବସ୍ଥା କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଏହି ମାମଲାରେ ସେ ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe