India Today
ଜଲନ୍ଧର: ପଞ୍ଜାବର ଜଲନ୍ଧରରୁ ଏକ ହୃଦୟ ଥରାଇଦେବା ଭଳି ଭିଡିଓ ସାମ୍ନାକୁ ଆସିଛି। ଭାଇରାଲ ଭିଡିଓରେ ଏକ କୁକୁର ଜଣେ ବାଳକର ଗୋଡ଼କୁ କାମୁଡ଼ି ଧରିଥିବା ଦେଖାଯାଇଛି। ଉପସ୍ଥିତ ଲୋକେ ବାଳକକୁ ବଞ୍ଚାଇବାକୁ ଯାଇ ଇଟା, ବାଲଟି, ପାଣି ମାଡ଼ କରିବା ସହ ବାଡ଼ିରେ ବାଡ଼ାଇ ଥିଲେ ମଧ୍ୟ କୁକୁରଟି ବାଳକର ଗୋଡ଼କୁ ଛାଡ଼ି ନଥିଲା। ୧୫ମିନିଟ୍ ପର୍ଯ୍ୟନ୍ତ ସଂଘର୍ଷ କରିବା ପରେ ବାଳକଟି ନିଜ ହାତରେ କୁକୁର ମୁହଁକୁ ଟାଣି ନିଜକୁ ରକ୍ଷା କରିଥିଲା ବୋଲି ଜଣା ପଡ଼ିଛି।
ମିଳିଥିବା ସୂଚନାନୁସାରେ, ଘଟଣାଟି ଘଟିଥିଲା ମଙ୍ଗଳବାର ସନ୍ଧ୍ୟା ସମୟରେ। ଏହି ସମୟରେ ଲକ୍ଷଦ୍ବୀପ ଉପ୍ପଲ ଟ୍ୟୁସନରୁ ନିଜ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ତାଙ୍କ ସହ ଘଟିଥିଲା। ସେଠାରେ ଲାଗିଥିବା ସିସିଟିଭିରେ ପୂରା ଘଟଣା କଏଦ ହୋଇଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ଦେଖାଯାଇଛି କି, ଲକ୍ଷଦ୍ବୀପ ଏକ ଘର ଆଗରୁ ସାଇକେଲ ଚଳାଇବା ଆରମ୍ଭ କରୁଥିବା ବେଳେ ପିଟପୁଲ କୁକୁର ଆସି ତାଙ୍କ ଗୋଡ଼କୁ କାମୁଡ଼ି ଧରୁଛି। ଏହା ପରେ ଲକ୍ଷଦ୍ବୀପ ଚିତ୍କାର କରିବା ସହ କୁକୁର ମୁହଁରୁ ନିଜ ଗୋଡ଼କୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି। କୁକୁରର ଏଭଳି କାମ ଦେଖି ଉପସ୍ଥିତ ଲୋକେ କୁକୁର ଉପରକୁ ପାଣି ଫିଙ୍ଗିବା ସହ ଇଟା, ପଥର ଓ ବାଡ଼ିରେ ମାଡ଼ ମାରିଥିଲେ ମଧ୍ୟ କୁକୁର ଉପରେ ତାହାର କୌଣସି ପ୍ରଭାବ ପଡ଼ୁନାହିଁ। ଏହା ଦେଖି ଜଣେ ମହିଳା ଲକ୍ଷଦ୍ବୀପଙ୍କୁ ନିଜ ଘର ଭିତରକୁ ଟାଣି ନେଇଥିଲେ ମଧ୍ୟ କୁକୁର ଗୋଡ଼ ନଛାଡ଼ି ଘର ଭିତରକୁ ଘୋଷାଡ଼ି ହୋଇ ଯାଉଛି। ଏଭଳି ଦୀର୍ଘ ୧୫ମିନିଟ୍ ପର୍ଯ୍ୟନ୍ତ ସଂଘର୍ଷ କରିବା ପରେ କୁକୁର ଲକ୍ଷଦ୍ବୀପଙ୍କ ଗୋଡ଼ ନ ଛାଡ଼ିବାରୁ ସେ ନିଜେ କୁକୁର ମୁହଁରୁ ନିଜ ଗୋଡ଼କୁ ମୁକ୍ତ କରିଥିଲେ ବୋଲି ଜଣା ପଡ଼ିଛି। ଏହି ଘଟଣା ପରେ ଲକ୍ଷଦ୍ବୀପଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମାତା-ପିତା ଏ ନେଇ ପୁଲିସରେ ଅଭିଯୋଗ କରିଛନ୍ତି।
Follow Us