Navbharat Times
ଇସଲାମାବାଦ : ପାକିସ୍ତାନ ସରକାର ଶୁକ୍ରବାର ପେଟ୍ରୋଲିୟମ ଉତ୍ପାଦ ଦାମ ଲିଟର ପିଛା ୩୦ ଟଙ୍କା ବୃଦ୍ଧି କରିଛନ୍ତି। ଏଥିଯୋଗୁ ପାକିସ୍ତାନୀ ମୁଦ୍ରାରେ ପେଟ୍ରୋଲ ଦାମ ପ୍ରାୟ ୧୮୦ ଟଙ୍କାରେ ପହଞ୍ଚିଛି। ଏଥିସହିତ ଦେଶରେ ଡିଜେଲ ଦର ଲିଟର ପିଛା ୧୭୪ ଟଙ୍କା ଏବଂ କିରୋସିନ ଦାମ ୧୫୬ ଟଙ୍କା ହୋଇଛି। ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ପୁର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଅନ୍ୟପକ୍ଷରେ ସେ ପୁଣି ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ତାଙ୍କ ସରକାରଙ୍କ ଦ୍ବାରା ରୁଷରୁ ୩୦ ପ୍ରତିଶତ ଶସ୍ତା ତେଲ ଆମଦାନି ପାଇଁ ହୋଇଥିବା ବୁଝାମଣାକୁ ଶାହବାଜଙ୍କ ସମ୍ବେଦନହୀନ ସରକାର ଆଗକୁ ବଢ଼ାଇଲେ ନାହିଁ। ଶାହବାଜ ସରକାରଙ୍କ ପାଇଁ ପାକିସ୍ତାନର ଲୋକଙ୍କୁ ମୂଲ୍ୟ ଦେବାକୁ ପଡ଼ୁଛି। ଏଥିପାଇଁ ପେଟ୍ରୋଲ ଓ ଡିଜେଲ ଦର ପାଖାପାଖି ୨୦ ପ୍ରତିଶତ ବା ଲିଟର ପିଛା ୩୦ ଟଙ୍କା ବୃଦ୍ଧି କରାଯାଇଛି। ଦେଶର ଇତିହାସରେ କୌଣସି ଗୋଟିଏ ଦିନରେ ଏତେମାତ୍ରାରେ ଦର ବୃଦ୍ଧି କରାଯାଇ ନଥିଲା। ଅନ୍ୟପକ୍ଷରେ ଭାରତ ସରକାର ରୁଷ୍ରୁ ଶସ୍ତାରେ ତେଲ କିଣି ଇନ୍ଧନ ମୂଲ୍ୟରେ ୨୫ ଟଙ୍କା (ପାକିସ୍ତାନୀ ମୁଦ୍ରାରେ) ହ୍ରାସ କରିବାରେ ସଫଳ ହୋଇଛନ୍ତି ବୋଲି ଇମ୍ରାନ କହିଛନ୍ତି।
Follow Us