ଇମ୍ରାନ୍‌ଙ୍କ ଜିତିବା ପଛରେ ଫୋନ୍‌ ଆପ୍‌, ଡାଟାବେସ୍‌

Advertisment
ଇମ୍ରାନ୍‌ଙ୍କ ଜିତିବା ପଛରେ ଫୋନ୍‌ ଆପ୍‌, ଡାଟାବେସ୍‌

ଇସ୍‌ଲାମାବାଦ: ପାକିସ୍ତାନ ସାଧାରଣ ନିର୍ବାଚନରେ ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ) ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଫଳରେ ଦଳ ଦେଶରେ ସରକାର ଗଢ଼ିବାକୁ ଯାଉଛି। ଆସନ୍ତା ୧୪ ତାରିଖରେ ଅର୍ଥାତ୍‌ ପାକିସ୍ତାନର ସ୍ୱାଧୀନତା ଦିବସରେ ଇମ୍ରାନ୍‌ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏ ନେଇ ଦଳ ପକ୍ଷରୁ ପ୍ରସ୍ତୁତି ପର୍ବ ଚାଲିଛି। ତେବେ ପିଏମ୍‌ଏଲ୍‌ଏନ୍‌ ଓ ପିପିପି ଭଳି ଲୋକପ୍ରିୟ ଦଳ ଥିବା ସତ୍ତ୍ୱେ ପିଟିଆଇ କିଭଳି ସଂଖ୍ୟାଗରିଷ୍ଠତା ହାସଲ କରିପାରିଲା, ତାହାକୁ ନେଇ ଏବେ କେବଳ ପାକିସ୍ତାନ ନୁହେଁ, ଅଧିକାଂଶ ରାଷ୍ଟ୍ରରେ ଚର୍ଚ୍ଚା। ଏକ ସଦ୍ୟତମ ରିପୋର୍ଟ ଦର୍ଶାଇଛି ଯେ ଇମ୍ରାନ୍‌ଙ୍କ ଜିତିବା ପଛରେ ଏକ ଫୋନ୍‌ ଆପ୍‌ ଓ ୫ କୋଟିରୁ ଊର୍ଧ୍ୱ ଲୋକଙ୍କ ଡାଟାବେସ୍‌ର ହାତ ରହିଛି। ଏହି ଦୁଇଟିକୁ ପ୍ରମୁଖ ଅସ୍ତ୍ର କରି ପିଟିଆଇ ନିର୍ବାଚନ ରଣାଙ୍ଗନ ପାର୍‌ କରିଛି।

ରିପୋର୍ଟ ମୁତାବକ ଏଥର ପାକିସ୍ତାନ ନିର୍ବାଚନରେ ପିଟିଆଇ ଟେକ୍ନୋଲୋଜିକୁ ପ୍ରମୁଖ ଅସ୍ତ୍ର କରିଥିଲା। ଟୋକ୍ନୋଲୋଜିର ପରିସର ବ୍ୟାପକ ହେଉଥିବା ବେଳେ ଅଧିକରୁ ଅଧିକ ଲୋକ ଇଣ୍ଟରନେଟ୍‌ ବ୍ୟବହାର କରୁଥିବାରୁ ପିଟିଆଇ ଏହାକୁ ମାଧ୍ୟମ କରିଥିଲା। ଅନ୍ୟ ଦଳ କାଳେ ସମାନ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି, ତାହାକୁ ନେଇ ଦଳ ଚିନ୍ତାରେ ଥିଲା। କିନ୍ତୁ ଅନ୍ୟ କୌଣସି ଦଳ ଟେକ୍ନୋଲୋଜିକୁ ସେତେଟା ବ୍ୟବହାର କରିନଥିଲେ। ନିର୍ବାଚନ ଦିନ ଲୋକଙ୍କୁ ପୋଲିଂ ବୁଥ୍‌ ସମ୍ପର୍କରେ ସୂଚନା ଦେବାକୁ ଅନ୍ୟ ଦଳ ଅସୁବିଧାର ସମ୍ମୁଖୀନ ହୋଇଥିଲା ବେଳେ ପିଟିଆଇ କିନ୍ତୁ ଟେକ୍ନୋଲୋଜି ସହାୟତାରେ ସେ ସମସ୍ୟାର ପ୍ରତିକାର କରିପାରିଥିଲା। ସେନା ସମର୍ଥନରେ ଦଳକୁ ସଂଖ୍ୟାଗରିଷ୍ଠତା ପ୍ରାପ୍ତ ହେଲା ବୋଲି ବିରୋଧୀ ଓ ଅନ୍ୟ ମହଲରେ ଚର୍ଚ୍ଚା ହେଉଥିବା ବେଳେ ପିଟିଆଇ କିନ୍ତୁ ଭିନ୍ନ ବାଟ ଆପଣାଇ ବିଜୟର ସ୍ୱାଦ ଚାଖିଥିଲା। ପିଟିଆଇର ଟେକ୍ନୋଲୋଜି ସଂକ୍ରାନ୍ତ ଦାୟିତ୍ୱ ତୁଲାଇଥିବା ଆମୀର ମୁଗଲ ନାମକ ଜଣେ ଆଇଟି ବିଶେଷଜ୍ଞ କୁହନ୍ତି, ଫୋନ୍‌ ଆପ୍ଲିକେସନ୍‌ ଓ ଡାଟାବେସ୍‌ (ଯାହାକୁ କନ୍‌ଷ୍ଟିଚୁଏଣ୍ଟ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ କୁହାଯାଉଛି) ପିଟିଆଇ ପାଇଁ ଅଧିକ କାମ ଦେଇଛି। ଏହାଦ୍ୱାରା ଇସ୍‌ଲାମାବାଦ ଆସନରେ ଅସଦ୍‌ ଉମର୍‌ ବିଜୟୀ ହୋଇ ଇମ୍ରାନ୍‌ଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଅସଦ୍‌ ଉମର୍‌ଙ୍କ ପିଏ ଭାବେ କାମ କରୁଥିବା ମୁଗଲ୍‌ କୁହନ୍ତି ଟେକ୍ନୋଲୋଜି ସହାୟତାରେ ଦୀର୍ଘଦିନର କାମ କେଇ ଘଣ୍ଟା ମଧ୍ୟରେ ସମ୍ଭବ ହୋଇପାରିଥିଲା। ଫଳରେ ଭୋଟର୍‌ଙ୍କ ପାଖରେ ପହଞ୍ଚିବା ପାଇଁ ଦଳକୁ ଯଥେଷ୍ଟ ସମୟ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe