କଥାକୁହା ଛବି: ଭକ୍ତି ଆଗରେ ଲୋଡ଼ା ନାହିଁ ଆକାଶଛୁଆଁ ତୋରଣ, ଗଣେଶଙ୍କ ପୂଜା ପାଇଁ ଲୋଡ଼ା ତ ଖାଲି ଟିକେ ଆପଣାପଣ…

ପିଢା ଉପରେ କଳସୀଟେ ବସାଇ ଦେଇ ଯଦି ଭକ୍ତଟେ ତା ଭକ୍ତିର ଭୋଗ ଦେଇ, ଆପଣାପଣର ଅଗରବତୀ ଲଗାଇ ଆଉ ତା ଦୁଃଖ ଯନ୍ତ୍ରଣାକୁ ଦୀପର ତେଲରେ ଜାଳି ଯଦି ବାବାଙ୍କୁ ଗୁହାରୀ କରେ ତେବେ ଗଣପତି ତାରି ପାଖରେ ହିଁ ପ୍ରସନ୍ନ ହୁଅନ୍ତି ମ… ଏହି କଥାକୁ ଏ ଫଟୋ ହିଁ ପ୍ରମାଣିତ କରୁଛି ।

New Project (17)

ନୂଆଦିଲ୍ଲୀ: ଗଣେଶ- ଅଗ୍ରପୂଜ୍ୟ, ବିଘ୍ନନାଶନ, ବିଘ୍ନହର୍ତ୍ତା, ବିଘ୍ନହର, ବିଘ୍ନେଶ୍ୱର ଆଉ ବିଦ୍ୟାଦାତା । କେତେ କେତେ ନାଁରେ ବାବା ଗଣପତିଙ୍କୁ କିଏ ଡାକେ । କୁହାଯାଏ ସିଏ ବୁଦ୍ଧିଦାତା, ସିଦ୍ଧିଦାତା, ଜ୍ଞାନର ଦେବତା । ପୁଣି ଗଣେଶଙ୍କୁ ପୂଜିଲେ ଋଣମୁକ୍ତ ହୁଏ ମଣିଷ । ଏଇ ବିଶ୍ବାସ ନେଇ ଗଜାନନ, ଗିରିଜାନନ୍ଦନଙ୍କୁ ପୂଜେ ଏ ଦୁନିଆ, ବନ୍ଦନା କରେ ଏ ବିଶ୍ବ । ଯେତେବେଳେ ଗଣେଶଙ୍କ ଆବାହନୀ-ଆରାଧନା, ପୂଜା ଓ ଉତ୍ସବ ପାଇଁ ସବୁଠି ଖୁସିର ମାହୋଲ । ସବୁଠି  ବିରାଟ ବିରାଟ ପ୍ରତିମୂର୍ତ୍ତି, ଆକାଶଛୁଆଁ ତୋରଣ ଆଉ ରଙ୍ଗୀନ ଆଲୋକମାଳା ଠିକ୍ ସେତେବେଳେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ଫଟୋ । ଯେଉଁଠି ବୁଢୀ ମାଆ ଜଣଙ୍କ ତା ଭଙ୍ଗା କୁଡିଆ ଆଗରେ ଜରିପାଲଟେ ଟାଙ୍ଗି ବାବା ଗଣନାଥଙ୍କୁ ସ୍ଥାପନା କରିଛି ଆଉ ତାଙ୍କୁ ପୂଜା କରୁଛି ।

ଭାଇରାଲ ହେଉଥିବା ଏ ଭକ୍ତିର ଫଟୋ କେଉଁ ଦିନର, କେଉଁ ବର୍ଷର ଏବଂ କେଉଁ ସ୍ଥାନର ବୋଲି ସ୍ପଷ୍ଟ ଭାବେ ଜଣାପଡିନଥିଲେ ହେଁ ଫଟୋରେ ଥିବା ସେ ଭାବ, ସେ ଭକ୍ତି ହିଁ ସମସ୍ତଙ୍କ ଆଖିରେ ଲାଖି ଯାଉଛି । ଭକ୍ତିରେ ଥାଏ ଶକ୍ତି । ଭକ୍ତିରେ ନଥାଏ ଧନୀ କି ଗରିବ । ଭଗବାନ ସମସ୍ତଙ୍କର, ଭଗବାନ ସବୁଠି ଥାନ୍ତି, ସବୁଠି ବିରାଜନ୍ତି । ବାସ୍ ଖାଲି ଆପଣାପଣ ଟିକେ ଲୋଡା । ନିଷ୍ଠାର ସହ ଆବହନୀ ଲୋଡା । ଭଗବାନ ତ ଭକ୍ତର ଭକ୍ତି ପାଖେ ଅଟକିଯାଆନ୍ତି । ସିଏ କେବେ ଦେଖନ୍ତିନି ମ କାହାର କେତେ ବଡ଼ ତୋରଣ ହେଲା କି କାହାର କେଉଁ ଆଲୁଅରେ ତାଙ୍କ ପେଣ୍ଡାଲ ସଜାଗଲା । ପିଢା ଉପରେ କଳସୀଟେ ବସାଇ ଦେଇ ଯଦି ଭକ୍ତଟେ ତା ଭକ୍ତିର ଭୋଗ ଦେଇ, ଆପଣାପଣର ଅଗରବତୀ ଲଗାଇ ଆଉ ତା ଦୁଃଖ ଯନ୍ତ୍ରଣାକୁ ଦୀପର ତେଲରେ ଜାଳି ଯଦି ବାବାଙ୍କୁ ଗୁହାରୀ କରେ ତେବେ ଗଣପତି ତାରି ପାଖରେ ହିଁ ପ୍ରସନ୍ନ ହୁଅନ୍ତି ମ… ଏହି କଥାକୁ ଏ ଫଟୋ ହିଁ ପ୍ରମାଣିତ କରୁଛି ।

540498227_1331127878633177_2222968095552506727_n

ଏଇ ଦେଖୁନାହାନ୍ତି ଏ ମାଉସୀ କେମିତି ତା ଭଙ୍ଗା କୁଡିଆ ଆଗରେ ଅତି ଆତ୍ମିୟତାର ସହ ଗୋଟେ ପଲିଥିନ ଘେରାଇ ଘରଟେ କରିଛି । ହେଇପାରେ କେଉଁ ପୂଜା କମିଟିର ବିରାଟ ତୋରଣ ଆଗରେ ତା ପୂଜା ଘର ଛୋଟ କିନ୍ତୁ ସେ ଯେଉଁ ସ୍ନେହ, ଆଦରରେ ଗୋଟେ ଛୋଟ ସିମେଣ୍ଟ ଉପରେ ଶ୍ରୀଗଜାନନଙ୍କୁ ବସାଇ ତାଙ୍କୁ ପୂଜା କରିଛି ତାହା ଅତି ଚମତ୍କାର । ତାପାଖରେ ଏତେ ବି ଟଙ୍କା ନାହିଁ ଫଳମୂଳ କିଣି ଆଣି ମହା ଆଡମ୍ବରରେ ଭୋଗ କରିବାକୁ କିନ୍ତୁ ତା ମୂଲ ଲଗା ମେହେନତି ଟଙ୍କାକୁ ସେ ଭୋଗ ବଦଳରେ ଭେଟି ଦେଇଛି… ତା ସକ୍ଷମ ଅନୁସାରେ ସେ ଠାକୁରଙ୍କୁ ପୂଜିଛି ତେଣିକି ଠାକୁରଙ୍କ ଇଚ୍ଛା ସେ ପୂଜା ଗ୍ରହଣ କରିବେ ନହେଲେ ମୁହଁ ଫେରାଇ ପଳେଇଯିବେ…

ନୁଖୁରା ବାଳ, ଦେହରେ ମଳି ପିଇଯାଇଥିବା ଶାଢି… ଭକ୍ତିର ଭାବୁକ ଆଖିରେ ଗୋଟିଏ ହାତରେ ପଲିଥିନ ଟେକି ବାବା ଗଣପତିଙ୍କୁ ଦେଖୁଛି ମାଉସୀ… ଏବେ ପାଇଁ ପ୍ରଭୁ ଗଣେଶ ବୁଢୀ ମାଉସୀର ବାପା, ବନ୍ଧୁ, ପୁଅ ପରି… ଗରିବ ଘରକୁ ଆମନ୍ତ୍ରଣ କରି ଭାରି ଖୁସି ବୃଦ୍ଧା ଜଣକ, ଯାହା ତା ହସିଲା ହସିଲା ମୁହଁରେ ସ୍ପଷ୍ଟ ବାରି ହୋଇ ପଡୁଛି । ଦେହ ଭିତରେ ଦୁଃଖ ହଜାରେ ଥାଉ ମୁହଁରେ କିନ୍ତୁ ହସ ଥାଉ- ଏହାହିଁ ତ ଜଣେ ଈଶ୍ବର ବିଶ୍ବାସୀ ମଣିଷ ପଣ ଓ ଲକ୍ଷଣ… ସେଥିରୁ ଏ ମାଉସୀ ଜଣଙ୍କ ଭିନ୍ନ ହୋଇଥାନ୍ତେ ବା କେମିତି ?

ସତରେ ଆଜିର ସମାଜକୁ ଯଦି ଦେଖିବେ- ପୂଜା ନାଁରେ ଯେଉଁ ଚାନ୍ଦାମଗାର ଆତଙ୍କ ଏବଂ ପୂଜା ନାଁରେ ଯେଉଁ ପ୍ରତିଯୋଗିତା ଚାଲିଛି । ପ୍ରତି ୧୦୦ ମିଟରରେ ଗୋଟେ ଗୋଟେ ଗଣେଶ ପେଣ୍ଡାଲ ଦେଖିବାକୁ ମିଳୁଛି । ପୂଜା, ଭସାଣି ବେଳେ ଯେଉଁ ଡିଜେ ଶବ୍ଦ, ବଡ ତୋରଣ, ଚିକିମିକ ଆଲୁଅ ଦେଖିବାକୁ ମିଳୁଛି ଆଉ ପୂଜା ଆଳରେ କୋଟି କୋଟି ଟଙ୍କାର ବାଜି ଲାଗୁଛି ସେ ଭିଡରୁ ଏ ଭକ୍ତି ସମ୍ପୂର୍ଣ୍ଣ ଭିନ୍ନ- ତୋରଣ ତଳେ ଥିବା ପେଣ୍ଡାଲରେ ଭକ୍ତି ନାହିଁ ବୋଲି କହୁନୁ କିନ୍ତୁ ଏ ଚିରା ପଲିଥିନ ତଳର ଭକ୍ତି ସେ ଆକାଶଛୁଆଁ ତୋରଣ ତଳର ଭକ୍ତି ଠାରୁ ଟିକେ ଭାରି, ଟିକେ ନିଆରା…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe