Image Courtesy of India Today
ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗାରେ ଘଟିଯାଇଥିବା ରେଳ ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ସୁପ୍ରିମ୍ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି।
ଏଥିସହ ତୁରନ୍ତ ‘କବଚ’ ସୁରକ୍ଷା ବ୍ୟବସ୍ଥା ବା ‘ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ୍’ ଲଗାଇବା ପାଇଁ ଗାଇଡ୍ଲାଇନ୍ ଏବଂ ନିର୍ଦେଶନାମା ଜାରି କରିବା ଲାଗି ମଧ୍ୟ ଏହି ଜନସ୍ବାର୍ଥ ମାମଲାରେ ଦାବି କରାଯାଇଛି। ଏହି ବ୍ୟବସ୍ଥା ପ୍ରଚଳନ କରାଗଲେ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟିବା ସହିତ ଦେଶରେ ରେଳ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ ବୋଲି ଏଥିରେ କୁହାଯାଇଛି।
Image Courtesy of Tribune Indiaବୈଷୟିକ ଜ୍ଞାନ ଥିବା ସଦସ୍ୟମାନଙ୍କୁ ନେଇ ସୁପ୍ରିମ୍ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ସରକାର ନିର୍ଦେଶ ଦିଅନ୍ତୁ ବୋଲି ଏହି ଜନସ୍ବାର୍ଥ ମାମଲାରେ ଉଲ୍ଲେଖ ଅଛି। ଏହି କମିଟି ସମ୍ପ୍ରତି ରେଳବାଇ ବ୍ୟବସ୍ଥାରେ ଥିବା ମାନ ଓ ବିପଦର ସମୀକ୍ଷା କରିବା ସହିତ ରେଳବାଇ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପରିବର୍ତ୍ତନ ସଂକ୍ରାନ୍ତରେ ମଧ୍ୟ ପ୍ରସ୍ତାବ ଦେବ। ଏହାଛଡ଼ା, ଏହି କମିଟି ଅଦାଲତରେ ତା’ର ରିପୋର୍ଟ ଦାଖଲ କରିବ ବୋଲି ଏଥିରେ କୁହାଯାଇଛି।
ସୁପ୍ରିମ୍ କୋର୍ଟରେ ଓକିଲାତି କରୁଥିବା ଆଡ୍ଭୋକେଟ୍ ବିଶାଳ ତିୱାରି ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି, ରେଳବାଇର ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଉଚିତ। ରେଳ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଗାଇଡ୍ଲାଇନ୍ କରାଯିବା ଉଚିତ ଏବଂ ଏହି କମିସନ୍ ୨ ମାସ ଭିତରେ ଅଦାଲତରେ ରିପୋର୍ଟ ଦାଖଲ କରିବା ଉଚିତ।
Follow Us