କୋଝିକୋଡ଼ରେ ଅବତରଣ କଲାବେଳେ ଦୁଇଖଣ୍ଡ ହୋଇଗଲା ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ : ପାଇଲଟ୍ ମୃତ, ଯାତ୍ରୀ ଆହତ

Advertisment
କୋଝିକୋଡ଼ରେ ଅବତରଣ କଲାବେଳେ ଦୁଇଖଣ୍ଡ ହୋଇଗଲା ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ : ପାଇଲଟ୍ ମୃତ, ଯାତ୍ରୀ ଆହତ

Image Courtesy of Hindustan Times

‌ନୂଆଦିଲ୍ଲୀ: ୧୯୧ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଶୁକ୍ରବାର ସନ୍ଧ୍ୟାରେ କେରଳର କୋଝିକୋଡ଼ ଠାରେ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍ କରିବାରୁ ପାଇଲଟ୍‌ଙ୍କର ମୃତ୍ୟୁ ଘଟିବା ସହ ଯାତ୍ରୀମାନେ ଆହତ ହୋଇଛନ୍ତି।

ସନ୍ଧ୍ୟା ପ୍ରାୟ ୭:୪୦ ସମୟରେ ପ୍ରବଳ ବୃଷ୍ଟିପାତ ମଧ୍ୟରେ କାରିପୁର ବିମାନ ବନ୍ଦରରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟିର ସମ୍ମୁଖ ଭାଗ ଦୁଇ ଖଣ୍ଡ ହୋଇଯାଇଛି।

ବିମାନ ରନ୍‌ୱେରୁ ଖସି ଯାଇଥିବା ଖବର ସୁନିଶ୍ଚିତ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ କେଜେ ଆଲ୍‌ଫୋନ୍ସ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, କେରଳରେ ଦ୍ବିତୀୟ ଦୁଃଖଦ ଘଟଣା: କୋଝିକୋଡ଼ରେ ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ରନ୍‌ୱେରୁ ଖସି ଯାଇ, ସମ୍ମୁଖ ଭାଗ ଦୁଇଗଡ଼ ହୋଇଯାଇଛି। ପାଇଲଟ୍‌ ମରିଛନ୍ତି ଓ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି। ଯୋଗକୁ ବିମାନରେ ନିଆଁ ଲାଗିନାହିଁ।

ଦୁର୍ଘଟଣାଗ୍ରସ୍ତ ବିମାନରେ ୧୮୯ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ରହିଥିଲେ। ସୌଭାଗ୍ୟବଶତଃ କୌଣସି ଯାତ୍ରୀ ମୃତ୍ୟୁମୁଖରେ ପଡ଼ିଥିବା ଖବର ଏଯାବତ୍ ହସ୍ତଗତ ହୋଇନାହିଁ। ଦୁର୍ଘଟଣା ଘଟିବାର ଅଳ୍ପ ସମୟ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଯାତ୍ରୀମାନେ ଆସନ୍ନ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି। ଆହତ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ପକ୍ଷରେ ବିମାନଟି ୨ ଖଣ୍ଡ ହୋଇଥିଲେ ମଧ୍ୟ ନିଆଁ ଲାଗି ନ ଥିବାରୁ ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷାପାଇ ଯାଇଛି। ସୂଚନା ଅନୁସାରେ, ବିମାନରେ କରୋନା ମହାମାରୀ ହେତୁ ଦୁବାଇରେ ଫସି ରହିଥିବା ଭାରତୀୟମାନେ ଘରକୁ ଫେରୁଥିଲେ। ଯାତ୍ରୀମାନଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ସୂଚନା ରହିଛି।

publive-image

ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଘଟଣା ଲାଗି ଦୁଃଖ ପ୍ରକାଶ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ କେନ୍ଦ୍ର ଗ୍‌ହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଉଦ୍ଧାରକାର୍ଯ୍ୟ ଲାଗି ଏନଡିଆରଏଫ୍ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଛି ବୋଲି କହିଛନ୍ତି।

ବିମାନର ମୁଖ୍ୟ ପାଇଲଟ ଥିଲେ ପାଇଲଟ୍ ଭି.ଡି ସାଠେ ଓ ତାଙ୍କର ସହଯୋଗୀ ଥିଲେ ଅଖିଳେଶ କୁମାର। ବିମାନ ଅବତରଣ କରିବା ସମୟରେ ଦୁର୍ଘଟଣା ଘଟିଥିଲା। ପ୍ରବଳ ବର୍ଷା ହେଉଥିବାରୁ ରନୱେ ଠିକ ଭାବେ ଦେଖାଯାଉଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କୁହାଯାଉଛି କି ଅବତରଣ ସମୟରେ ବିମାନର ଅଗ୍ରଭାଗ ମାଡ଼ ହୋଇଯିବା ପରେ ବିମାନ କ୍ଷତିଗ୍ରସ୍ତ ହୋଇଥିଲା। ଅନ୍ୟପକ୍ଷରେ ପାଇଲଟ୍ ଅଭିଜ୍ଞ ହୋଇଥିବାରୁ ଅବତରଣ ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe