Image Courtesy of NDTV
ୱାସିଂଟନ୍: ରବିବାର ଦିନ ପ୍ରଥମ ଅର୍ନ୍ତରାଷ୍ଟ୍ରୀୟ ଗସ୍ତରେ ଗୁଏଟମାଲା ବାହାରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ଙ୍କୁ ନେଇ ଯାଉଥିବା ‘ଏୟାର୍ ଫୋର୍ସ ଟୁ’ ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବୈଷୟିକ ତ୍ରୁଟି କାରଣରୁ ଫେରି ଆସି ଅବତରଣ କରିବାକୁ ବାଧ୍ୟ ହୋଇଥିଲା।
ୱାସିଂଟନ୍ ଉପକଣ୍ଠରେ ଅବସ୍ଥିତ ‘ଜଏଣ୍ଟ୍ ବେସ୍ ଆଣ୍ଡ୍ରିଉଜ୍’କୁ ଫେରି ଅବତରଣ କରିବା ପରେ ବିମାନରୁ ବାହାରି ଆସି ଉପସ୍ଥିତ ସାମ୍ବାଦିକମାନଙ୍କୁ ସ୍ବାଗତ କରି ହାରିସ୍ କହିଲେ, ମୁଁ ଠିକ୍ ଅଛି। ମୁଁ ଠିକ୍ ଅଛି। ଆମେ କ୍ଷଣିକ ପାଇଁ ପ୍ରାର୍ଥନା କରିଥିଲୁ, କିନ୍ତୁ ଆମେ ସବୁ ନିରାପଦ ଅଛୁ।
ଏହାପରେ ଉପରାଷ୍ଟ୍ରପତି ବିମାନ ପରିବର୍ତ୍ତନ କରି ରବିବାର ସନ୍ଧ୍ୟାରେ ନିରାପଦରେ ଗୁଏଟମାଲାରେ ପହଞ୍ଚିଥିବା କଥା ‘ପୁଲ୍ ରିପୋର୍ଟ’ରୁ (ସ୍ବଳ୍ପସଂଖ୍ୟକ ଲୋକଙ୍କୁ ବଣ୍ଟାଯାଇଥିବା ଲିଖିତ ରିପୋର୍ଟ) ଜଣାପଡ଼ିଛି। ଉପରାଷ୍ଟ୍ରପତିଙ୍କ ମୁଖପାତ୍ରୀ ସାଇମନ୍ ସ୍ୟାଣ୍ଡର୍ସ କହିଛନ୍ତି, ତାଙ୍କ ପାଇଁ ନିର୍ଦ୍ଧାରିତ ଗସ୍ତ ସମୟସୂଚୀରେ ବିଶେଷ କିଛି ବିଳମ୍ବ ଘଟିନାହିଁ।
Image Courtesy of Yahoo Newsବିମାନର ବୈଷୟିକ ତ୍ରୁଟି ସଂକ୍ରାନ୍ତରେ ସୂଚନା ଦେଇ ସ୍ୟାଣ୍ଡର୍ସ କହିଛନ୍ତି, ବିମାନଟିର ଅବତରଣକାଳୀନ ଗିଅର୍ ବା ଚକା ଠିକ୍ ରହୁ ନ ଥିବା କଥା କ୍ରୁ’ମାନେ ଲକ୍ଷ୍ୟ କରିଥିଲେ। ଏହା ଅଧିକ ଯାନ୍ତ୍ରିକ ସମସ୍ୟା କରାଇପାରେ ବୋଲି ସେମାନଙ୍କର ମନେ ହୋଇଥିଲା। ସତର୍କତା ଦୃଷ୍ଟିରୁ ସେମାନେ ‘ଜଏଣ୍ଟ୍ ବେସ୍ ଆଣ୍ଡ୍ରିଉଜ୍’କୁ ଫେରିଆସିଥିଲେ।
‘ଏୟାର୍ ଫୋର୍ସ ଟୁ’ ଭାବେ ସୁପରିଚିତ ଉକ୍ତ ବିମାନରେ ଯାତ୍ରା କରୁଥିବା ଜଣେ ସାମ୍ବାଦିକ ରିପୋର୍ଟ କରିଛନ୍ତି ଯେ, ବିମାନ ଉଡ଼ାଣ ଆରମ୍ଭ କରିବା ବେଳେ ଲ୍ୟାଣ୍ଡିଙ୍ଗ୍ ଗିଅର୍ ବା ଚକାରୁ ଗୋଟାଏ ପ୍ରକାର ଅସ୍ବାଭାବିକ ଶବ୍ଦ ଶୁଭିଲା। କିନ୍ତୁ, ବିମାନ ଅବତରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବାଭାବିକ ଭାବେ ସମାପନ ହେଲା।
କୋଭିଡ୍-୧୯ଦ୍ବାରା ବିପର୍ଯ୍ୟସ୍ତ ଅଞ୍ଚଳରେ ଆଶା ଆଶ୍ବାସନାର ବାର୍ତ୍ତା ଦେବା ଲାଗି ଏ ସପ୍ତାହରେ ହାରିସ୍ ଗୁଏଟମାଲା ଏବଂ ମେକ୍ସିକୋ ଗସ୍ତରେ ଯାଇଛନ୍ତି।
Follow Us