ଲୁଚକାଳି ଖେଳିଲା ବେଳେ ୯ ବର୍ଷୀୟ ବାଳିକାକୁ ଆକ୍ରମଣ କଲା ‘କୁଗାର୍‌’

ଲୁଚକାଳି ଖେଳିଲା ବେଳେ ୯ ବର୍ଷୀୟ ବାଳିକାକୁ ଆକ୍ରମଣ କଲା ‘କୁଗାର୍‌’

ୱାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମାଞ୍ଚଳକୁ ବୁଲିଯାଇଥିବା ବେଳେ ‘କୁଗାର୍‌’ (ବାଘ ଜାତୀୟ ଜନ୍ତୁ) ହାବୁଡ଼ରେ ପଡ଼ି ଗୁରୁତର ଆହତ ଅବସ୍ଥାରେ ଜଣେ ୯ ବର୍ଷୀୟ ବାଳିକା ରକ୍ଷା ପାଇଯାଇଥିବା କଥା ମଙ୍ଗଳବାର ଦିନ ବନ୍ୟପ୍ରାଣୀ ଅଧିକାରୀ ଏବଂ ଝିଅର ପରିବାର ଲୋକେ କହିଛନ୍ତି।

ଆପଣା ପରିବାର ସହ ୱାସିଂଟନ୍‌ ଷ୍ଟେଟ୍‌ରେ ବୁଲୁଥିବା ବେଳେ ଲିଲି କ୍ରାଇଝାନିଭ୍‌ସ୍କି ‘କୁଗାର୍‌’ ଆକ୍ରମଣ କରିଥିଲା ବୋଲି ତା’ର ଡାକ୍ତରୀ ଚିକିତ୍ସା ଖର୍ଚ୍ଚ ଯୋଗାଡ଼ କରିବା ପାଇଁ ଦାଦି ଆଲେକ୍ସ୍‌ ମାନ୍ତସେଭିଚ୍‌ ‘ଗୋଫଣ୍ଡ୍‌ମି’ରେ ଲେଖିଛନ୍ତି।

ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ୱାସିଂଟନ୍‌ ମତ୍ସ୍ୟ ଓ ବନ୍ୟଜନ୍ତୁ ବିଭାଗ’ ଲେଖିଛି: ଲିଲି ଏବଂ ଆଉ ଦୁଇଜଣ ପିଲା କ୍ୟାମ୍ପ୍‌ ବିଲଡିଙ୍ଗ୍‌ଠାରୁ ଅଳ୍ପ ଦୂରରେ ଥିବା ବଣରେ ଲୁଚକାଳି ଖେଳୁଥିଲେ। ସାଙ୍ଗମାନଙ୍କୁ ଆଚମ୍ବିତ କରିବା ପାଇଁ ଲିଲି କୁଦାମାରି ବାହାରି ପଡ଼ିବା ବେଳେ ହଠାତ୍‌ ‘କୁଗାର୍‌’ଟାଏ ତାକୁ ଆକ୍ରମଣ କରିଥିଲା।

ଦାଦି ୱେବ୍‌ସାଇଟ୍‌ରେ ପୋଷ୍ଟ୍‌ କରିଥିବା ଫଟୋରେ ଲିଲି ‘କୁଗାର୍‌’ ଆକ୍ରମଣ ପୂର୍ବ ଓ ପରବର୍ତ୍ତୀ ସମୟ ଚେହେରା ରହିଛି। ଦାଦି ମାନ୍ତସେଭିଚ୍‌ ଲେଖିଛନ୍ତି, ଦେହର ଉପରଭାଗ ଓ ମୁହଁରେ ଅସୁମାରି କ୍ଷତ ହୋଇଥିବାରୁ ତାକୁ ବିମାନଯୋଗେ ଡାକ୍ତରଖାନାକୁ ଅଣାଯାଇଥିଲା। ଦୀର୍ଘ ସମୟ ଧରି ଅସ୍ତ୍ରୋପଚାର କରାଯିବା ପରେ ସୋମବାର ଦିନ ତାକୁ ‘ଆଇସିୟୁରୁ’ ବାହାରକୁ ଛଡ଼ାଯାଇଛି।

‘ଷ୍ଟେଟ୍‌ ଏନ୍‌ଭାଇରନ୍‌ମେଣ୍ଟାଲ୍‌ ପ୍ରୋଟେକ୍ସନ୍‌ ଏଜେନ୍‌ସି’ କହିଛି,  ୧୯୨୪ରୁ ୱାସିଂଟନ୍‌ ଷ୍ଟେଟ୍‌ ଅରଣ୍ୟରେ ମାତ୍ର ୨୦ଜଣ ‘କୁଗାର୍‌’ ଆକ୍ରମଣର ସରବ୍ୟ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଛି।

ଲିଲିକୁ ‘କୁଗାର୍‌’ କେଉଁ ଭଳି ପରିସ୍ଥିତି ଯୋଗୁଁ ଆକ୍ରମଣ କଲା ତାହା ବୁଝିବା ପାଇଁ ତଦନ୍ତ କରାଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆକ୍ରମଣ ସମୟରେ ସେଠାରେ ଉପସ୍ଥିତ ଥିବା କେହି ଜଣେ ବ୍ୟକ୍ତି ଉକ୍ତ ‘କୁଗାର୍‌’କୁ ହତ୍ୟା କରିଥିଲେ। ଉକ୍ତ ‘କୁଗାର୍‌’କୁ ଜଳାତଙ୍କ କିଂବା ଅନ୍ୟ କୌଣସି ରୋଗ ‌ହୋଇ ନାହିଁ ବୋଲି ତା’ର ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe