‘ରାଖି’ ବାନ୍ଧିବା ସର୍ତ୍ତରେ ଯୌନ ନିର୍ଯାତନାକାରୀଙ୍କୁ ଜାମିନର ବିରୋଧ କରି ସୁପ୍ରିମ୍‌ କୋର୍ଟରେ ନଅ ମହିଳା ଓକିଲଙ୍କ ଆବେଦନ

‘ରାଖି’ ବାନ୍ଧିବା ସର୍ତ୍ତରେ ଯୌନ ନିର୍ଯାତନାକାରୀଙ୍କୁ ଜାମିନର ବିରୋଧ କରି ସୁପ୍ରିମ୍‌ କୋର୍ଟରେ ନଅ ମହିଳା ଓକିଲଙ୍କ ଆବେଦନ

Image Courtesy of Hindustan Times

ନୂଆଦିଲ୍ଲୀ: ‘ରାଖି’ ବାନ୍ଧିବା ସର୍ତ୍ତରେ ଜଣେ ଯୌନ ନିର୍ଯାତନାକାରୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଜାମିନ ମଞ୍ଜୁରକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିବା ନଅଜଣ ମହିଳା ଓକିଲଙ୍କ ମାମଲାରେ ଆଟର୍ଣ୍ଣି ଜେନେରାଲ୍‌ଙ୍କ ସହାୟତା ଲୋଡ଼ାଯାଇଛି।

ବିଚାରପତି ଏ ଏମ୍ ଖାନୱିଲ୍‌କର୍‌ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଶୁକ୍ରବାର ଦିନ ଏ ସଂକ୍ରାନ୍ତରେ ଆଟର୍ଣ୍ଣି ଜେନେରାଲ୍ କେ କେ ବେଣୁଗୋପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି କରିଛନ୍ତି।

ପୀଡ଼ିତାଙ୍କୁ ‘ରାଖି’ ବାନ୍ଧିବା ସର୍ତ୍ତ ରଖି ଯୌନ ନିର୍ଯାତନା ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଜୁଲାଇ ମାସରେ ଜଣେ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରିଥିଲେ। ଏହା ଆଇନ ସମ୍ମତ ହୋଇ ନ ଥିବାରୁ ସମଗ୍ର ଦେଶରେ ଥିବା ଅଦାଲତମାନେ ଏ ଭଳି ସର୍ତ୍ତ ପ୍ରଣୟନରୁ ନିବୃତ ରହିବା ଉଚିତ ବୋଲି କହିବା ସହ ହାଇକୋର୍ଟଙ୍କ ମଞ୍ଜୁରି ଉପରେ ରହିତାଦେଶ ଜାରି କରାଇବାକୁ ନଅ ଜଣ ମହିଳା ଓକିଲ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ।

ଉକ୍ତ ଆଦେଶରେ ମଧ୍ୟପ୍ରଦେଶ ହାଇକୋର୍ଟ କହିଥିଲେ ଯେ, ଅଗଷ୍ଟ ୩ ତାରିଖ ଦିନ ଅଭିଯୁକ୍ତ ‘ରାଖି’ ସୂତା/ଫିତା ଏବଂ ମିଠାଇ ଖୋଳ ସହ ପତ୍ନୀଙ୍କୁ ସାଥୀରେ ନେଇ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚିବେ ଓ ଚିରଦିନ ପାଇଁ ନିଜ ପାରୁପର୍ଯ୍ୟନ୍ତ ତାଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ରାଖି ବାନ୍ଧିବାକୁ ଅନୁରୋଧ କରିବେ। ପ୍ରଥା ଅନୁସାରେ ସେ ଅଭିଯୋଗକାରିଣୀଙ୍କୁ ୧୧, ୦୦୦ ଟଙ୍କା ଉପହାର ଭାବେ ପ୍ରଦାନ କରିବେ। ଏହାଛଡ଼ା ଅଭିଯୋଗକାରିଣୀଙ୍କ ପୁଅ ଲାଗି ପୋଷାକ ଓ ମିଠାଇ ଖରିଦ କରିବାକୁ ଆଉ ୫୦୦୦ ଟଙ୍କା ଦେବେ।

publive-image Image Courtesy of India Legal

ଓକିଲ ଅପର୍ଣ୍ଣା ଭଟ୍ଟଙ୍କ ସମେତ ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ସଞ୍ଜୟ ପାରିଖ ଖଣ୍ଡପୀଠଙ୍କୁ କହିଲେ ଯେ, ଅସ୍ବାଭାବିକ ପରିସ୍ଥିତିରେ ଏହି ଆବେଦନ ଫାଇଲ୍ କରାଯାଇଛି। ଏ ଭଳି ସର୍ତ୍ତ ରଖି ପୀଡ଼ିତାଙ୍କ କଷ୍ଟକୁ ଗୁରୁତ୍ବହୀନ କରାଯାଇଛି। ଏ ପ୍ରକାରର ସର୍ତ୍ତ ଆଇନର ନୀତି ବିରୋଧୀ। କିନ୍ତୁ, ଏହାର ପୁନରାବୃତ୍ତି କରାଯାଉଛି।

ଖଣ୍ଡପୀଠ ପଚାରିଲେ ଯେ, ଆପଣ କେବଳ ମଧ୍ୟପ୍ରଦେଶ ନା, ସମଗ୍ର ଦେଶ ନିମନ୍ତେ ଏଭଳି ଆବେଦନ କରିଛନ୍ତି? ଏହାର ଉତ୍ତର ଦେଇ ପାରିଖ କହିଲେ, ହାଇକୋର୍ଟ ଓ ଟ୍ରାଏଲ୍‌ କୋର୍ଟ ସମେତ ଦେଶରେ ଥିବା ସମସ୍ତ ଅଦାଲତଙ୍କୁ ଏ ଭଳି ନିଷ୍ପତ୍ତିରୁ ନିବୃତ କରାଇବାକୁ ନିବେଦନ କରାଯାଇଛି।

ଖଣ୍ଡପୀଠ ଦେଶର ଶୀର୍ଷ ଆଇନ ଅଧିକାରୀଙ୍କ ଅଫିସକୁ ନୋଟିସ୍ ଜାରି କରିବା ସହ ନଭେମ୍ବର ୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe