ପିଏମ୍‌ କେୟାର୍ସ ପାଣ୍ଠି ସ୍ଥାନାନ୍ତର ହେବନି: ସୁପ୍ରିମ କୋର୍ଟ

Advertisment
ପୂଜାସ୍ଥଳ ଅଧିନିୟମ ନେଇ ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟ

Image Courtesy of Zee News

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ଗଠିତ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରୁ ଅର୍ଥ କୌଣସିମତେ ଜାତୀୟ ଦୁର୍ବିପାକ ମୁକାବିଲା ପାଣ୍ଠି(ଏନ୍‌ଡିଆର୍‌ଏଫ୍‌)କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସେହିପରି ଉଭୟ ପାଣ୍ଠିକୁ ଆସୁଥିବା ଅନୁଦାନଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ସ୍ବେଚ୍ଛାକୃତ ଦାନ ହୋଇଥିବାରୁ କେନ୍ଦ୍ର ସରକାର ଉଚିତ ମନେକଲେ ଅର୍ଥ ଅଦଳବଦଳ କରିପାରିବେ ବୋଲି ମଧ୍ୟ ମାନ୍ୟବର ଅଦାଲତ ସ୍ପଷ୍ଟ କରିଛନ୍ତି। ଦୁର୍ବିପାକ ପରିଚାଳନା ଆଇନ-୨୦୦୫ରେ ରହିଥିବା ପ୍ରାବଧାନ ଅନୁସାରେ କୋଭିଡ୍‌-୧୯ ଦ୍ବାରା ହୋଇଥିବା କ୍ଷତିର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଜାତୀୟ ନୀତି ପ୍ରଣୟନ କରିବା ଲାଗି ମାନ୍ୟବର ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ ନିବେଦନ କରିଥିଲେ। ତେବେ କୋଭିଡ୍‌-୧୯ ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌ ଅଧୀନରେ ରହିଥିବା ବ୍ୟବସ୍ଥା ଯଥେଷ୍ଟ ହୋଇଥିବାରୁ ଏଥିପାଇଁ ଆଉ ନୂତନ ନୀତିର ଆବଶ୍ୟକତା ନାହିଁ ବୋଲି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ବରେ ପରିଚାଳିତ ତିନିଜଣିଆ ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି।

ସେହିପରି ଯେ କେହି ଚାହିଲେ ପିଏମ୍‌ କେୟାର୍ସ ପାଣ୍ଠିକୁ ଦାନ କରିପାରିବେ ଏବଂ ଏନ୍‌ଡିଆର୍‌ଏଫ୍‌କୁ ମଧ୍ୟ ଅନୁଦାନ ପ୍ରଦାନ କରିବାରେ କିଛି କଟକଣା ନାହିଁ। ସୁତରାଂ ଏନ୍‌ଡିଆର୍‌ଏଫ୍‌ରୁ ମଧ୍ୟ ସରକାର କୋଭିଡ୍‌ ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ ବୋଲି ଅଦାଲତ କହିଛନ୍ତି। ସୂଚନା ଥାଉ କି, ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି ଗଠନ କରିବା ଦୁର୍ବିପାକ ପରିଚାଳନା ଆଇନ-୨୦୦୫ର କ୍ଷମତା ପରିସର ନୁହେଁ ଏବଂ ସାମ୍ପ୍ରତିକ ସ୍ବାସ୍ଥ୍ୟ ସଂକଟ ସତ୍ତ୍ବେ ଏନ୍‌ଡିଆର୍‌ଏଫ୍‌ ପୂର୍ଣ୍ଣମାତ୍ରାରେ ବିନିଯୋଗ ହୋଇପାରୁ ନାହିଁ ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ସେହିପରି କେୟାର୍ସ ପାଣ୍ଠି ସିଏଜି ଯାଞ୍ଚ କି ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇନଥିବାରୁ ଉକ୍ତ ପାଣ୍ଠିର କାରବାରରେ ସ୍ବଚ୍ଛତା ରହୁନାହିଁ ବୋଲି ମଧ୍ୟ ପ୍ରଶାନ୍ତ ଭୂଷଣ ତାଙ୍କ ଆବେଦନରେ ଦର୍ଶାଇଥିଲେ। ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ମହାମାରୀ ବ୍ୟାପିବା ପରେ କେନ୍ଦ୍ର ସରକାର ଗତ ମାର୍ଚ୍ଚ ୨୮ ତାରିଖରେ ପିଏମ୍‌ କେୟାର୍ସ ପାଣ୍ଠି ଗଠନ କରିଥିଲେ। କରୋନା ମୁକାବିଲା ପାଇଁ ଏହି ପାଣ୍ଠିକୁ ବଦାନ୍ୟ ବ୍ୟକ୍ତିମାନେ ଅର୍ଥ ଦାନ କରିଥିଲେ। ସେହି ଅର୍ଥକୁ ସରକାର କରୋନା ମୁକାବିଲା ପାଇଁ ଖର୍ଚ୍ଚ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe