ସୈନିକଙ୍କ ସହିତ ଏଲଓସିରେ ଦୀପାବଳି ପାଳିଲେ ମୋଦି

ସୈନିକଙ୍କ ସହିତ ଏଲଓସିରେ ଦୀପାବଳି ପାଳିଲେ ମୋଦି

representative picture

ନୂଆଦିଲ୍ଲୀ: ସୀମାନ୍ତରେ ନିୟୋଜିତ ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପରମ୍ପରାରେ ପରିଣତ କରି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲଗାତର ଚତୁର୍ଥ ବର୍ଷ ପାଇଁ ସୈନିକମାନଙ୍କ ଗହଣରେ ଦୀପାବଳି ପାଳନ କରିଛନ୍ତି। ଏଥର ପ୍ରଧାନମନ୍ତ୍ରୀ ଉତ୍ତର କଶ୍ମୀରର ପାକିସ୍ତାନ ସୀମାନ୍ତରେ (ଲାଇନ୍‌ ଅଫ୍‌ କଣ୍ଟ୍ରୋଲ) ଯବାନମାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି।
ଆଜି ସକାଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶ୍ରୀନଗରରେ ପହଞ୍ଚିବା ପରେ ଉତ୍ତର କଶ୍ମୀର ବନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରରେ ପହଞ୍ଚି ସେଠାରେ ଯବାନ ଓ ସେନାଧିକାରୀମାନଙ୍କୁ ଭେଟିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀନଗର ବିମାନବନ୍ଦରରେ ସେନାମୁଖ୍ୟ ବିପିନ ରାଓ୍ଵତ ସ୍ୱାଗତ କରିଥିଲେ। ସେଠାରୁ ନର୍ଦ୍ଦନ କମାଣ୍ଡ ଚିଫ୍‌୍‌ ଲେପ୍ଟନାଣ୍ଟ ଜେନେରାଲ ଦେବରାଜ ଅନ୍‌ବୁ ଏବଂ ଚିନର୍‌ କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଜେ ଏସ ସାନ୍ଧୁ ପ୍ରଧାନମନ୍ତ୍ରୀଙ୍କୁ ଗୁରେଜ୍‌ ସେକ୍ଟର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମାନ୍ତରେ ପ୍ରହରୀ ଭଳି ଜଗି ରହିଥିବା ସୈନିକମାନଙ୍କ ମନୋବଳ ବୃଦ୍ଧି ପାଇଁ ପ୍ରତିବର୍ଷ ଦୀପାବଳି ସେମାନଙ୍କ ସହିତ ପାଳନ କରୁଛନ୍ତି। କେତେବେଳେ ତୁଷାରାଚ୍ଛନ ସୀଆଚୀନରେ ତ କେତେବେଳେ ହିମାଚଳ ପ୍ରଦେଶ ସୀମାନ୍ତରେ ସୈନ୍ୟବାହିନୀ ସହିତ ଦୀପାବଳୀ ଦିନ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ସୈନିତକମାନଙ୍କ ବଳିଦାନକୁ ଦେଶବାସୀ କୃତଜ୍ଞତାର ସହିତ ସ୍ୱୀକାର କରିଥାନ୍ତି ବୋଲି ବାର୍ତ୍ତା ଦେଇଥାନ୍ତି। ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପହଁଞ୍ଚିଛନ୍ତି ଉତ୍ତର କଶ୍ମୀର ଗୁରେଜ୍‌ ସେକ୍ଟରରେ। ସେଠାରେ ସେ ଜବାନମାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। ସୈନିକମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି ପାଖରେ ପାଇ ଭାବବିହ୍ଵଳ ହୋଇପଡ଼ିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ କେନ୍ଦ୍ରରେ କ୍ଷମତାସୀନ ହେବା ପରେ ଏହାକୁ ଲଗାଇ ୪ ବର୍ଷରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଥର ପାଇଁ କଶ୍ମୀରରେ ଦୀପାବଳି ପାଳନ କରିଛନ୍ତି। ପ୍ରଥମ ବର୍ଷ ସିଆଚିନ୍‌ରେ ଓ ୨୦୧୬ମସିହାରେ ହିମାଚଳପ୍ରଦେଶରେ ଚୀନ୍‌ ସୀମାନ୍ତରେ ସୈନ୍ୟମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଦୀପାବଳି ପାଳନ କରିଥିଲେ।ଗତ ୨୦୧୫ ମସିହାରେ ପଞ୍ଜାବର ଅମୃତସର ଠାରେ ପ୍ରଧାନମନ୍ତ୍ରୀ ପାକିସ୍ତାନ ସୀମାନ୍ତରେ ସୈନ୍ୟବାହିନୀ ସହିତ ଦୀପାବଳି ପାଳନ କରିଥିଲେ। ତେବେ ବାନ୍ଦିପୋରା ଠାରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ପାଳନ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମାନ୍ତରେ ଯାଇ ସୈନ୍ୟମାନଙ୍କ ସହିତ ଦୀପାବଳି ପାଳନ କରିବା ସୈନ୍ୟବାହୀନିର ମନୋବଳ ବୃଦ୍ଧିି କରୁଛି ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ ପାକିସ୍ତାନ ପକ୍ଷରୁ ଚଳିତ ବର୍ଷ ୬ଶହ ଥର ଅସ୍ତ୍ରବିତରତି ଉଲଂଘନ କରାଯାଇଛି। ଏହା ଫଳରେ ଭାରତର ସୀମାନ୍ତ ଅଞ୍ଚଳରେ ରହିଥିବା ଲୋକେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି। ଗତ ଦୁଇ ଦିନ ତଳେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ ଯୋଗୁଁ ସୀମାନ୍ତରେ ୮ ଜଣ ଭାରତୀୟ ନାଗରିକ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ଏକ ଛୋଟ ଶିଶୁ ମଧ୍ୟ ଅଛନ୍ତି। ତେବେ ସେ ଯାହାହେଉ ଦୀପାବଳି ଅବସରରେ ଆଜି ସକାଳେ ଓ୍ଵାଘା ସୀମାନ୍ତରେ ଦୁଇ ଦେଶର ସୀମା ସୁରକ୍ଷା ବଳ ପରସ୍ପର ମଧରେ ମିଠାଇ ବାଣ୍ଟି ପରସ୍ପରଙ୍କୁ ଦୀପାବଳି ଶୁଭକାମନା କରିଛନ୍ତି।
ସେହିପରି ଦୁର୍ଗମ ଅଞ୍ଚଳରେ ରହୁଥିବା ସେନାନୀମାନଙ୍କ ପାଇଁ ସାଟେଲାଇଟ ଫୋନ କଲ ଦର ଗତକାଲି ସରକାର ମିନିଟ ପ୍ରତି ୫ଟଙ୍କାରୁ ୧ ଟଙ୍କାକୁ ହ୍ରାସ କରି ସୈନିକମାନଙ୍କୁ ଦୀପାବଳି ଭେଟି ଦେଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe