ପାଟନା: ବିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ମୋଦୀ କେବଳ ଭୋଟ ପାଇଁ ଡ୍ରାମା କରୁଛନ୍ତି ଏବଂ ନିର୍ବାଚନ ଶେଷ ହୋଇଯିବା ପରେ ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିବେନି। ବିହାରର ବେଗୁସରାୟରେ ଏକ ନିର୍ବାଚନ ରୢାଲିରେ ଉଦ୍ବୋଧନ ଦେଇ ରାହୁଲ ଦାବି କରିଛନ୍ତି ଯେ ମୋଦୀ ଲୋକମାନଙ୍କ କଥା ଶୁଣୁନାହାନ୍ତି ଏବଂ ନିର୍ବାଚନ ପରେ ସେ ଅଦୃଶ୍ୟ ହୋଇଯିବେ। ରାହୁଲ କହିଛନ୍ତି, ନରେନ୍ଦ୍ର ମୋଦୀ ଆସୁଛନ୍ତି, ଭାଷଣ ଦେଉଛନ୍ତି ଏବଂ ପ୍ରତିଶ୍ରୁତି ଦେଉଛନ୍ତି। କେବଳ ନିର୍ବାଚନ ପର୍ଯ୍ୟନ୍ତ ଆପଣମାନେ ଯାହା କହିବେ ସେମାନେ ତାହା କରିବେ। କିନ୍ତୁ ନିର୍ବାଚନ ପରେ ସେ ନା’ ବିହାରକୁ ଆସିବେ ନା’ ଆପଣମାନଙ୍କ କଥା ଶୁଣିବେ। ମୁଁ କହିବାକୁ ଚାହୁଛି ଯେ ଯାହା ବି କରିବାକୁ ଚାହୁଛନ୍ତି ତାହା ଏବେ କରନ୍ତୁ। ଏହି କ୍ରମରେ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଭୋଟ୍ ପାଇଁ କିଛି ବି କରିପାରିବେ। ତାଙ୍କୁ ଯୋଗ କରିବାକୁ କୁହ ସେ କିଛି ଆସନ କରି ଦେଖାଇବେ। କିନ୍ତୁ ନିର୍ବାଚନ ପରେ ସମସ୍ତ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରିବେ ଆଦାନୀ ଏବଂ ଅମ୍ବାନୀ। ଏହି ସମଗ୍ର କାର୍ଯ୍ୟକ୍ରମ କେବଳ ଏକ ଡ୍ରାମା।
ଆଦାନୀ, ଅମ୍ବାନୀଙ୍କ ରିମୋଟ୍ରେ ନାଚୁଛନ୍ତି
ଭାରତ-ପାକିସ୍ତାନ ସଂଘର୍ଷ ଅଟାଇଥିବା ନେଇ ଟ୍ରମ୍ପଙ୍କ ଦାବିକୁ ଉଦ୍ଧୃତ କରି ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଯିଏ କହୁଛନ୍ତି ତାଙ୍କର ୫୬ ଇଞ୍ଚିଆ ଛାତି ସେ ଟ୍ରମ୍ପଙ୍କୁ ଭୟ କରୁଛନ୍ତି। ସେ ମୋଦୀଙ୍କୁ ଅପରେସନ୍ ସିନ୍ଦୂର ବନ୍ଦ କରିବା ପାଇଁ କହିଲେ ଏବଂ ସେ ୨ ଦିନରେ ଏହା ବନ୍ଦ କରିଦେଲେ। ସତ ହେଉଛି ସେ କେବଳ ଟ୍ରମ୍ପଙ୍କୁ ହିଁ ଭୟ କରନ୍ତି ଏବଂ ଆଦାନୀ ଓ ଅମ୍ବାନୀଙ୍କ ରିମୋଟ୍ କଣ୍ଟ୍ରୋଲ୍ରେ ଚାଲନ୍ତି। କଂଗ୍ରେସ ନେତା ଦାବି କରିଛନ୍ତି ଯେ ମୋଦୀ ସରକାରରେ ହୋଇଥିବା ସମସ୍ତ ପ୍ରମୁଖ ନିଷ୍ପତ୍ତି ଯଥା ଜିଏସ୍ଟି ଏବଂ ବିମୁଦ୍ରୀକରଣ କ୍ଷୁଦ୍ର ବ୍ୟବସାୟକୁ ନଷ୍ଟ କରିବା ସହ ବଡ଼ ବଡ଼ ବ୍ୟବସାୟୀଙ୍କୁ ଲାଭ ଦେଇଛି।
Follow Us