Image Courtesy of ANI
ନୂଆଦିଲ୍ଲୀ: ୩ ୟୁରୋପୀୟ ରାଷ୍ଟ୍ର ଗସ୍ତ ଆରମ୍ଭ କରି ରବିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନିର ବର୍ଲିନ୍ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନ୍ ଚାନ୍ସେଲର୍ ଓଲାଫ୍ ସୋଲ୍ଜ୍, ଡେନ୍ମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡେରିକ୍ସେନ୍ ଏବଂ ଫରାସୀ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ଙ୍କୁ ଭେଟିବେ।
ଜର୍ମାନିରେ କେତେକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ମୋଦୀଙ୍କର ଅନେକ ଆଜେଣ୍ଡା ମଧ୍ୟରୁ ଗୋଟିଏ ହେଉଛି କୋଭିଡ୍ ପରବର୍ତ୍ତୀ ଆର୍ଥିକ ସୁଧାର। ୟୁରୋପ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ୍ ଯୁଦ୍ଧ ଉପରେ ମଧ୍ୟ ଆଲୋକପାତ କରିବେ ବୋଲି ସରକାରୀସୂତ୍ରରୁ ପ୍ରକାଶ।
ରବିବାର ଦିନ ବିବୃତିରେ ସେ କହିଥିଲେ, ୟୁରୋପୀୟ ଅଞ୍ଚଳ ଅନେକ ଆହ୍ବାନର ସମ୍ମୁଖୀନ ହେଉଥିବା ବେଳେ ମୋର ୟୁରୋପ ଗସ୍ତ ଆରମ୍ଭ ହେଉଛି। ଶାନ୍ତି ଓ ସମୃଦ୍ଧି ଅନ୍ବେଷଣରେ ଭାରତର ପ୍ରମୁଖ ସହଯୋଗୀ ୟୁରୋପୀୟ ରାଷ୍ଟ୍ରମାନଙ୍କର ସହଯୋଗ ମନୋଭାବ ସୁଦୃଢ଼ କରିବା ହେଉଛି ମୋର ଆଲୋଚନାର ଉଦ୍ଦେଶ୍ୟ।
Image Courtesy of PMO Twitterବିବୃତିରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ରାଷ୍ଟ୍ରପତି ମାକ୍ରୋନ୍ ନିକଟ ଅତୀତରେ ପୁନଃ ନିର୍ବାଚିତ ହୋଇଛନ୍ତି। ମାତ୍ର ୧୦ ଦିନ ହେବ ସେ ବିଜୟ ହାସଲ କରିଥିବାରୁ ତାଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଅଭିନନ୍ଦନ ଜଣାଇ ପାରିବି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ତର ହେବ। ଭାରତ-ଫ୍ରାନ୍ସ୍ ରଣନୈତିକ ସହଯୋଗିତାର ପରବର୍ତ୍ତୀ ପର୍ଯ୍ୟାୟ ନିର୍ଦ୍ଧାରଣ ପାଇଁ ମଧ୍ୟ ସୁଯୋଗ ମିଳିବ।
ରଣନୈତିକ, ଆଞ୍ଚଳିକ ଏବଂ ବୈଶ୍ବିକ ବିକାଶ କ୍ଷେତ୍ରରେ ଚିନ୍ତାର କାରଣ ହୋଇଥିବା ପ୍ରସଙ୍ଗ ଉପରେ ଜର୍ମାନ ସହ ମତ ବିନିମୟ ହେବ ବୋଲି ସେ ସୂଚନା ଦେଇଛନ୍ତି। ସୋମବାରଠାରୁ ୨ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନି ଗସ୍ତ କରିବେ। ପରବର୍ତ୍ତୀ ଦୁଇଦିନ ସେ ଡେନ୍ମାର୍କ ଗସ୍ତ କରି ‘ଭାରତ-ନର୍ଡିକ୍ ଶିଖର ସମ୍ମିଳନୀ’ର ଦ୍ବିତୀୟ ସଂସ୍କରଣରେ ଯୋଗ ଦେବେ। ଏହା ପରେ ସେ ପ୍ୟାରିସ୍ ଗସ୍ତ କରିବେ।
Follow Us