Image Courtesy of India Today
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ନୀତି ଆୟୋଗ’ର ୭ମ ଗଭର୍ଣ୍ଣିଙ୍ଗ୍ କାଉନ୍ସିଲ୍ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି।
୨୦୧୯ ଜୁଲାଇ ପରେ ଏହା ହେଉଛି ଗଭର୍ଣ୍ଣିଙ୍ଗ୍ କାଉନ୍ସିଲ୍ର ପ୍ରଥମ ପ୍ରତ୍ୟକ୍ଷ ବୈଠକ। ଆଜିର ଏହି ବୈଠକରେ ଥିବା ଆଜେଣ୍ଡାରେ ତୈଳବୀଜ ଉତ୍ପାଦନ, ଡାଲିଜାତୀୟ ଶସ୍ୟ, ‘ଏଗ୍ରି-କମ୍ୟୁନିଟି’, ‘ନୂତନ ଫସଲ ଚାଷ’ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ଜାତୀୟ ଶିକ୍ଷା ନୀତି ଆଦି ପ୍ରସଙ୍ଗ ରହିଛି।
ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଏବଂ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ‘ନୀତି ଆୟୋଗ’ର ଗଭର୍ଣ୍ଣିଙ୍ଗ୍ କାଉନ୍ସିଲ୍ ଗଠିତ। ଏହି ବୈଠକ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗିତା କ୍ଷେତ୍ରରେ ପଥ ନିର୍ମାଣ କରିବ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଥିଲା।
Image Courtesy of ANIଆଜିର ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଯୋଗ ଦେଇଥିବା ବେଳେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଯୋଗ ଦେଇ ନାହାନ୍ତି। ସେ କହିଛନ୍ତି, ଏହି ବୈଠକର କୌଣସି ଗଠନମୂଳକ ଉଦ୍ଦେଶ୍ୟ ନାହିଁ ଏବଂ ଅଂଶ ଗ୍ରହଣକାରୀ ମୁଖ୍ୟମନ୍ତ୍ରୀମାନଙ୍କୁ ମତ ଉପସ୍ଥାପନ କରିବା ଲାଗି ସମୟ ଦିଆଯାଏ ନାହିଁ କହିଲେ ଚଳେ।
ଅପରାହ୍ଣ ୪ଟା ବେଳେ ଏହି ବୈଠକ ଶେଷ ହେବ ଏବଂ ସନ୍ଧ୍ୟା ୫ଟାରେ ‘ନୀତି ଆୟୋଗ’ର ‘ଭିସି’ ଏବଂ ‘ସିଇଓ’ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବେ।
Follow Us