Image Courtesy of Times Now
ଯୋଧପୁର: ପର୍ଯ୍ୟଟନ କ୍ଷେତ୍ରରେ ରାଜସ୍ଥାନକୁ ଦେଶର ୧ ନମ୍ବର ରାଜ୍ୟ କରିବା ପାଇଁ ‘ବିଜେପି’ ଆଗ୍ରହୀ ବୋଲି ଆଜି ରାଜ୍ୟର ଏକମାତ୍ର ‘ହେରିଟେଜ୍ ଟ୍ରେନ୍’ ଚଳାଚଳର ଶୁଭାରମ୍ଭ କରିବା ସହିତ ୫୦୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ସଡ଼କ, ରେଳ, ବିମାନ ଚଳାଚଳ, ସ୍ବାସ୍ଥ୍ୟ ଓ ଉଚ୍ଚଶିକ୍ଷା ଆଦି ଏହି ପ୍ରକଳ୍ପ ଅନ୍ତର୍ଭୁକ୍ତ।
ଏହି ଅବସରରେ ଯୋଧପୁରରେ ଆୟୋଜିତ ସାଧାରଣ ସଭାରେ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, ରାଜସ୍ଥାନ ହେଉଛି ଗୋଟାଏ ରାଜ୍ୟ ଯେଉଁଠାରେ ପ୍ରାଚୀନ ଭାରତର ଗୌରବ ଦେଖି ହେବ। ଏଠାରେ ଭାରତର ଶୌର୍ଯ୍ୟ, ସମୃଦ୍ଧି ଓ ସଂସ୍କୃତି ପ୍ରତିଫଳିତ। କିଛି ଦିନ ତଳେ ଯୋଧପୁରରେ ‘ଜି୨୦’ ସଭା ହୋଇଥିଲା। ସମଗ୍ର ବିଶ୍ବରୁ ଆସିଥିବା ନେତାମାନେ ରାଜସ୍ଥାନର ପ୍ରଶଂସା କରିଥିଲେ। ଆମ ଦେଶର ହୁଅନ୍ତୁ ଅଥବା ବିଦେଶୀ ପର୍ଯ୍ୟଟକ ହୁଅନ୍ତୁ, ଅନ୍ୟୂନ ଥରଟିଏ ‘ସୂର୍ଯ୍ୟ ନଗରୀ ଯୋଧପୁର’ ଦେଖିଆସିବାକୁ ମନବଳାନ୍ତି।
Image Courtesy of ABPପ୍ରଧାନମନ୍ତ୍ରୀ କହିଲେ, ସ୍ବାଧୀନତା ପରେ ୨୦୧୪ ପର୍ଯ୍ୟନ୍ତ ରାଜସ୍ଥାନରେ ମାତ୍ର ୬୦୦ କିଲୋମିଟର୍ ରେଳପଥ ବିଦ୍ୟୁତ୍କରଣ ହୋଇଥିଲା। ଗତ ୯ ବର୍ଷ ମଧ୍ୟରେ ୩୭୦୦ କିଲୋମିଟର୍ ରେଳପଥ ବିଦ୍ୟୁତ୍କରଣ କରାଯାଇଛି। ଡିଜେଲ୍ ଇଞ୍ଜିନ୍ ପରିବର୍ତ୍ତେ ଉକ୍ତ ରେଳପଥରେ ବିଜୁଳି ଇଞ୍ଜିନ ଟ୍ରେନ୍ ଚାଲିବ। ଏହା ରାଜସ୍ଥାନରେ ପ୍ରଦୂଷଣ ହ୍ରାସ କରି ବାୟୁକୁ ନିରାପଦ ରଖିବ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ଏକମାତ୍ର ‘ହେରିଟେଜ୍ ଟ୍ରେନ୍’ (ଐତିହ୍ୟ ରେଳ) ‘ଭେଲି କୁଇନ୍ ହେରିଟେଜ୍ ଟ୍ରେନ୍’ ଚଳାଚଳ ଶୁଭାରମ୍ଭ କରିଛନ୍ତି। ଏହାଛଡ଼ା, ଜୈସାଲ୍ମେର୍ ଓ ଦିଲ୍ଲୀକୁ ସଂଯୋଗ କରୁଥିବା ‘ରୁନିଚା ଏକ୍ସପ୍ରେସ୍’ ଚଳାଚଳ ମଧ୍ୟ ପ୍ରଧାନମନ୍ତ୍ରୀ ଆରମ୍ଭ କରାଇଛନ୍ତି।
Follow Us