Image Courtesy of India Today
ନୂଆଦିଲ୍ଲୀ: ‘ଷ୍ଟାର୍ଟ-ଅପ୍’ ହେଉଛି ତରୁଣ ଭାରତର ଉଚ୍ଛ୍ବାସ। ସେସବୁ ନୂତନ ଭାରତର ଉଦ୍ଦାମତାକୁ ପ୍ରତିଫଳିତ କରନ୍ତି ବୋଲି ଆଜି ‘ମନ୍ କୀ ବାତ୍’ର ୮୯ତମ ସଂସ୍କରଣରେ ସଫ୍ଟୱେର୍ ଓ ପ୍ରଯୁକ୍ତିବିଦ୍ୟା ସଙ୍ଗଠନର ଅଭିବୃଦ୍ଧିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ସେ କହିଛନ୍ତି, ଚଳିତ ମାସ ୫ ତାରିଖରେ ଦେଶରେ ‘ଷ୍ଟାର୍ଟ-ଅପ୍’ ବା ‘ୟୁନିକର୍ଣ୍ଣ’ ସଂଖ୍ୟା ୧୦୦ରେ ପହଞ୍ଚିଛି। ସେଥିରୁ ୪୪ଟି ‘ୟୁନିକର୍ଣ୍ଣ’ ଗତ ବର୍ଷ ଗଠିତ ହୋଇଥିଲା ବେଳେ ଗତ ୩/୪ ମାସରେ ୧୪ଟି ନୂଆ ‘ୟୁନିକର୍ଣ୍ଣ’ ଗଠିତ ହୋଇଛି। ମୋର ଦୃଢ଼ ବିଶ୍ବାସ ଯେ, ନିକଟ ଭବିଷ୍ୟତରେ ଭାରତରେ ‘ଷ୍ଟାର୍ଟ-ଅପ୍’ଗୁଡ଼ିକ ପୂର୍ବାପେକ୍ଷା ଅଧିକ ସଫଳତା ହାସଲ କରିବେ। ଉପଯୁକ୍ତ ପରାମର୍ଶ ଓ ତାଲିମ ‘ଷ୍ଟାର୍ଟ-ଅପ୍’ଗୁଡ଼ିକୁ ଅଧିକ ସଫଳ କରିବ। ଦେଶରେ ‘ଷ୍ଟାର୍ଟ-ଅପ୍’ଗୁଡ଼ିକୁ ସାହାଯ୍ୟ କରିବା ଲାଗି ଆମର ଏଭଳି ଅନେକ ଉପଦେଷ୍ଟା ତଥା ତାଲିମଦାତା ଅଛନ୍ତି।
ଆମର ସଂସ୍କୃତି ବିଶାଳ ଓ ବିବିଧ। ଭାରତ ବିଭିନ୍ନ ଭାଷା ଓ ସଂସ୍କୃତିରେ ମଧ୍ୟ ସମୃଦ୍ଧ ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ବିଭିନ୍ନ ଭାଷା ଓ କଥିତ ଭାଷା ରହିଛି। ଆମ ଦେଶର ଭାଷା ବିବିଧତାକୁ ସମୃଦ୍ଧ କରିବା ଲାଗି ଅନେକ ବ୍ୟକ୍ତି କାର୍ଯ୍ୟରତ ଅଛନ୍ତି। ସେଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ‘ଓଲ୍ ଚିକି’ ଲିପିରେ ସାନ୍ତାଳି ଭାଷାରେ ଭାରତର ସମ୍ବିଧାନକୁ ଅନୁବାଦ କରିଥିବା ପଶ୍ଚିମବଙ୍ଗର ଶ୍ରୀପତି ଟୁଡୁ।
Image Courtesy of India Todayତୀର୍ଥଯାତ୍ରାରେ ଯିବା ବେଳେ ପାରିପାର୍ଶ୍ବିକ ଅବସ୍ଥା ଯେଭଳି ପରିଚ୍ଛନ୍ନ ରହେ, ସେଥି ପ୍ରତି ସୁନିଶ୍ଚିତ ରହିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଉତ୍ତରାଖଣ୍ଡରେ ‘ଚାର୍ ଧାମ୍ ଯାତ୍ରା’ ଚାଲିଥିବାରୁ ହଜାର ହଜାର ଯାତ୍ରୀ ଆସୁଛନ୍ତି। କେତେକ ଯାତ୍ରୀ ଏଣେତେଣେ ଫିଙ୍ଗିଥିବା ବର୍ଜ୍ୟ ସାମଗ୍ରୀ ଦେଖି କେଦାରନାଥରେ ଆଉ କିଛି ଯାତ୍ରୀ ଦୁଃଖ ପ୍ରକାଶ କରିବା କଥା ମୁଁ ଜାଣିଛି। ଯାତ୍ରାକାଳୀନ ରହଣି ସମୟରେ କେତେକ ତୀର୍ଥଯାତ୍ରୀ ମଧ୍ୟ ଆଖପାଖ ଅଞ୍ଚଳ ପରିଷ୍କାର କରୁଛନ୍ତି। ଜୁନ୍ ୫ ତାରିଖରେ ବିଶ୍ବ ପରିବେଶ ଦିବସ ପଡୁଛି। ତେଣୁ, ଆମେ ପରିବେଶ ସଂକ୍ରାନ୍ତ ସକାରାତ୍ମକ ଅଭିଯାନରେ ବାହାରି ଆମ ଚାରିପାଖରେ ଥିବା ସ୍ଥାନ ସବୁ ପରିଚ୍ଛନ୍ନ କରିବା ଏବଂ ଏହି କାର୍ଯ୍ୟଧାରା ଚାଲୁ ରଖିବା। ବୃକ୍ଷ ମଧ୍ୟ ରୋପଣ କରିବା।
ପ୍ରଧାନମନ୍ତ୍ରୀ କହିଛନ୍ତି, ଜୁନ୍ ୨୧ରେ ୮ମ ବିଶ୍ବ ‘ଯୋଗ ଦିବସ’ ପାଳନ କରାଯିବ। ଏବର୍ଷ ଯୋଗ ଦିବସର ବିଷୟବସ୍ତୁ ହେଲା ‘ମାନବତା ପାଇଁ ଯୋଗ’। ଉତ୍ସାହ ଉଦ୍ଦୀପନାର ସହିତ ଏଥର ଯୋଗ ଦିବସ ପାଳନ କରିବା ପାଇଁ ଅନୁରୋଧ। ‘ଅମୃତ ମହୋତ୍ସବ’କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦେଶର ୭୫ଟି ପ୍ରମୁଖ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ଆୟୋଜନ କରାଯିବ। ବିଭିନ୍ନ ଦେଶରେ ଥିବା ମିସନ୍ଗୁଡ଼ିକ ମଧ୍ୟ ସ୍ଥାନୀୟ ସୂର୍ଯ୍ୟୋଦୟ ଅନୁସାରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରିବେ।
ସ୍ବୟଂ ସହାୟକ ଗୋଷ୍ଠୀମାନେ ସଂସ୍ଥାପନ କରିଥିବା ଷ୍ଟୋର୍ (ଭଣ୍ଡାର) ସବୁ ଗରିବ ପରିବାର ଚଳଣିରେ ସୁଧାର ଆଣୁଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ମହିଳା ସ୍ବୟଂସହାୟକ ଗୋଷ୍ଠୀର ଷ୍ଟୋର୍ ଏବଂ କିଓସ୍କ୍ ସବୁ ତାଞ୍ଜାବୁର୍ରେ ବି ଖୋଲିଲାଣି। ଏଥିପାଇଁ, ଗରିବ ପରିବାର ଜୀବନଧାରା ବଦଳିଗଲାଣି। ଏହି ସବୁ କିଓସ୍କ୍ ଏବଂ ଷ୍ଟୋର୍ ଯୋଗୁଁ ମହିଳାମାନେ ସେମାନଙ୍କ ଉତ୍ପାଦଗୁଡ଼ିକୁ ସିଧାସଳଖ ଗ୍ରାହକମାନଙ୍କୁ ବିକ୍ରି କରିପାରୁଛନ୍ତି।
ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍’ ପ୍ରସାରଣ ବେଳେ ସିମ୍ଲାରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ଗୁରୁଗ୍ରାମରେ ‘ବିଜେପି’ ଅଧ୍ୟକ୍ଷ ଜେ.ପି. ନଡ୍ଡା, ଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅହମଦାବାଦରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଶୁଣିଥିଲେ।
Follow Us