Image Courtesy of India Today
ନୂଆଦିଲ୍ଲୀ: ଭାରତର ୧୪ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’କୁ ଆଜି ଉଦ୍ଘାଟନ କରିବା ପରେ ଭିତରକୁ ଯିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଟିକେଟ୍ଟି କିଣିଛନ୍ତି।
ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ବୈଷୟିକଭାବେ ଉନ୍ନତ ଉକ୍ତ ସଂଗ୍ରହାଳୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର୍ଲାଲ୍ ନେହେରୁଙ୍କୁ ଜୀବନୀ ଓ ଅବଦାନ ସହିତ ସମଗ୍ର ବିଶ୍ବରୁ ସେ ପାଇଥିବା ଉପହାରଗୁଡ଼ିକୁ ପ୍ରଥମ ଥର ପାଇଁ ପ୍ରଦର୍ଶନ କରାଯାଉଛି। ନେହେରୁ ପାଇଥିବା ଅନେକଗୁଡ଼ିଏ ଉପହାର ଏଯାବତ୍ ପ୍ରଦର୍ଶୀତ ହୋଇ ନ ଥିଲା।
ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ନେତାମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରାଇବା ପାଇଁ ଉକ୍ତ ସଂଗ୍ରହାଳୟ ବିକଶିତ ହୋଇଛି। ଆଦର୍ଶ ଏବଂ କାର୍ଯ୍ୟକାଳ ନିର୍ବିଶେଷରେ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ଏଥିରେ ସ୍ବୀକୃତି ଦିଆଯାଇଛି ବୋଲି ସେମାନେ ସୂଚନା ଦେଇଛନ୍ତି।
Image Courtesy of Native Planetନୂତନ ଓ ପୁରାତନ ସଂଗ୍ରହାଳୟର ସୁନ୍ଦର ସମ୍ମିଶ୍ରଣରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଛି। ‘ବ୍ଲକ୍ ୱାନ୍’ ଭାବେ ନାମିତ ‘ନେହେରୁ ମିୟୁଜିୟମ୍ ବିଲ୍ଡିଙ୍ଗ୍’କୁ ମଧ୍ୟ ଏଥିରେ ମିଶାଯାଇ ଉନ୍ନୀତ କରାଯାଇଛି।
୧୦,୪୯୧ ବର୍ଗ ମିଟର ପରିମିତ ଉକ୍ତ ନୂତନ ସଂଗ୍ରହାଳୟରେ ହଲୋଗ୍ରାମ୍, ଓଗ୍ମେଣ୍ଟେଡ୍ ରିୟଲିଟି, ଇଣ୍ଟେରାକ୍ଟିଭ୍ କିଓସ୍କ୍ ଓ ସ୍କ୍ରିନ୍, କାଇନେଟିକ୍ ସ୍କଲ୍ଚର୍ସ ଏବଂ ସ୍ମାର୍ଟଫୋନ୍ ଆପ୍ଲିକେସନ୍ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ରହିଛି ବୋଲି ଅଧିକାରୀଜଣକ କହିଛନ୍ତି।
ପୁରାତନ ଓ ଆଧୁନିକର ଅଭିନବ ସମ୍ମିଶ୍ରଣ କୁହାଯାଉଥିବା ଏହି ସଂଗ୍ରହାଳୟର ‘ଲୋଗୋ’ଟିରେ ଚିତ୍ରିତ ହୋଇଛି ଭାରତୀୟମାନଙ୍କ ହାତ ସବୁ ଚକ୍ରଟିଏ ଧରିଥିବାର ଦୃଶ୍ୟ। ଏହା ଦେଶ ଓ ତା’ର ଜାଜ୍ଜ୍ବଲ୍ୟମାନ ଗଣତନ୍ତ୍ରର ସଙ୍କେତ ବୋଲି ସେ ସୂଚନା ଦେଇଛନ୍ତି।
Follow Us