ମନୋଜ କୁମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ସିଏ ଥିଲେ ଭାରତୀୟ ସିନେମାର ପ୍ରତୀକ

pm tribute

ନୂଆଦିଲ୍ଲୀ: ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା-ସିନେ ନିର୍ମାତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନୋଜଙ୍କୁ ସିନେ ଜଗତର ଆଇକନ୍ କହି ତାଙ୍କ ଗୁଣଗାନ କରିଛନ୍ତି ମୋଦୀ । ଏଥିସହ ମନୋଜ କୁମାରଙ୍କ ସହ ପୁରୁଣା ଦିନର ଫଟୋ ମଧ୍ଯ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ।

ଶ୍ରଦ୍ଧାଞ୍ଜଳି ଜଣାଇ ମୋଦୀ ଲେଖିଛନ୍ତି, କିମ୍ବଦନ୍ତୀ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ମନୋଜ କୁମାରଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ। ସେ ଭାରତୀୟ ସିନେମାର ଜଣେ ପ୍ରତୀକ ଥିଲେ । ତାଙ୍କ ଦେଶପ୍ରେମର ଉତ୍ସାହ ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ମଧ୍ୟ ପ୍ରତିଫଳିତ ହେଉଥିଲା। ମନୋଜଙ୍କ କୃତି ପିଢ଼ି ପରେ ପିଢ଼ିକୁ ସମସ୍ତଙ୍କୁ ପ୍ରେରଣା ଦେବ। ଏହି ଦୁଃଖଦ ମୁହୂର୍ତ୍ତରେ ମୋର ସମବେଦନା ତାଙ୍କ ପରିବାର ସହିତ ଅଛି । 

ତେବେ ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମନୋଜ କୁମାର । ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଦେଶପ୍ରେମପୂର୍ଣ୍ଣ ସିନେମା କରିଥିଲେ । ସେଥିପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭଲପାଇ 'ଭାରତ କୁମାର' ବୋଲି ଡାକୁଥିଲେ । ଖାସ୍ କରି, ସେ ‘କ୍ରାନ୍ତି’ ଏବଂ ‘ଉପକାର’ ଭଳି ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ଥିଲେ ।

ହରିକିଷନ୍ ଗୋସ୍ୱାମୀ ଓରଫ ମନୋଜ କୁମାର ୧୯୩୭ ଜୁଲାଇ ୨୪ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ମନୋଜ କୁମାର ହିନ୍ଦୀ ସିନେମାରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଥିଲେ। ସହିଦ, ଉପକାର ଏବଂ ରଙ୍ଗ ଦେ ବସନ୍ତୀ ଭଳି ଚଳଚ୍ଚିତ୍ରରେ ତାଙ୍କର ପ୍ରତୀକାତ୍ମକ ଭୂମିକା ଭାରତୀୟ ଜନସାଧାରଣଙ୍କ ଦେଶପ୍ରେମ ଭାବନା ସହିତ ଗଭୀର ଭାବରେ ପ୍ରତିଧ୍ୱନିତ ହୋଇଥିଲା। ମନୋଜ କୁମାର ଶହୀଦ୍, ପୂରବ୍ ଔର୍ ପଶ୍ଚିମ, ମେରା ନାମ ଜୋକର୍, ହିମାଲୟକି ଗୋଦ୍ ମେ, ଗୁମନାମ୍,  ଉପକାର, ରୋଟି କପଡ଼ା ଔର୍ ମକାନ୍, କ୍ରାନ୍ତି, ଶୋର୍, ପଥର କେ ସନମ୍, ବେଇମାନ୍, ଶୋର୍, କଲୟୁଗ ଔର୍ ରାମାୟଣ ଏବଂ ଜୟହିନ୍ଦ୍ ଆଦି ସିନେମା ଲାଗି ସ୍ମରଣୀୟ ହୋଇରହିବେ।

ମନୋଜ କୁମାରଙ୍କ ଅଧିକଂଶ ସିନେମାମ ଥିଲା ମ୍ୟୁଜିକାଲ୍ ହିଟ୍। ତାଙ୍କ ଅଭିନୀତ/ନିର୍ଦ୍ଦେଶିତ କେତୋଟି ଲୋକପ୍ରିୟ ଗୀତ ହେଲା ଏକ୍ ପ୍ୟାର୍ କା ନଗମା ହେ (ଶୋର୍), ଜିନ୍ଦେଗିକି ନା ଟୁଟେ ଲଡି (କ୍ରାନ୍ତି), ମେରେ ଦେଶ୍ କୀ ଧରତୀ (ଉପକାର୍), ମେଁ ନା ଭୁଲୁଙ୍ଗା (ରୋଟି କପଡ଼ା ଔର୍ ମକାନ୍), ହେ ପ୍ରୀତ୍ ଯାହାଁକି ରୀତ୍ ସଦା..(ପୂରବ୍ ଔର୍ ପଶ୍ଚିମ) ଓ ମେହେବୁବ୍ ମେରେ ମେହେବୁବ୍..(ପଥର କେ ସନମ୍)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe