ବୁଲେଟ୍‌ ଟ୍ରେନରେ ବୁଲିଲେ ମୋଦୀ: ଜାପାନ ଗସ୍ତର ଫଟୋ ସେୟାର କଲେ ପ୍ରଧାନମନ୍ତ୍ରୀ

bullet

ନୂଆଦିଲ୍ଲୀ: ବୁଲେଟ୍‌ ଟ୍ରେନରେ ବୁଲିଲେ ମୋଦୀ। ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଲେଟ୍‌ ଟ୍ରେନରେ ବସି ବୁଲିଛନ୍ତି । ଉନ୍ନତ ବୁଲେଟ୍ ଟ୍ରେନ୍ ଇ-୧୦ ଦେଖିବା ପାଇଁ ମିଆଗି ପ୍ରଦେଶର ସେଣ୍ଡାଇରେ ପହଞ୍ଚିଥିଲେ ମୋଦୀ । ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ  । ଏହି ସମୟରେ ଭାରତୀୟ ଚାଳକଙ୍କୁ ବି ଭେଟିଥିଲେ ମୋଦୀ । ଯେଉଁମାନଙ୍କୁ ଜାପାନର ପୂର୍ବ ରେଳବାଇ ତାଲିମ ଦେଉଛି ।  ସେମାନେ ଭାରତରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନ୍ ଚଲାଇବେ । ଗତକାଲି ମୋଦୀ ୧୫ତମ ଭାରତ-ଜାପାନ ଶିଖର ସମ୍ମିଳନୀରେ ସାମିଲ ହୋଇଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ୧୫୦ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।  ଜାପାନ ପ୍ରଧାନମନ୍ତ୍ରୀ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତରେ ୬ ଲକ୍ଷ କୋଟି ଟଙ୍କା ନିବେଶ କରିବା ବିଷୟରେ କଥା ହୋଇଥିଲେ । 

ତେବେ ଜାପାନ ଗସ୍ତ ସାରି ଚୀନରେ ପହଞ୍ଚିଛନ୍ତି ମୋଦୀ । ଜାପାନ ଗସ୍ତ ଶେଷ କରି ଚୀନ ଗସ୍ତରେ ବାହାରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନରେ ପହଞ୍ଚିଛନ୍ତି । ସେଠାରେ ସେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ଚୀନରେ ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିପାରନ୍ତି ବୋଲି କୁହାଯାଉଛି। 

ସେପଟେ ୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଗସ୍ତରେ ଯାଇଥିବାରୁ ଏହା ଦେଶ ପାଇଁ ଅନେକ ଗୁରୁତ୍ବ ବହନ କରୁଛି । କାରଣ ୨୦୨୦ରେ ଗଲୱାନ ଉପତ୍ୟକା ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଚୀନ୍ ଗସ୍ତ । ଶେଷ ଥର ପାଇଁ ୨୦୧୯ରେ ତାଙ୍କର ଚୀନ୍ ଗସ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏକାଧିକ ଏସ୍‌ସିଓ ବୈଠକ ପାଇଁ ଚୀନ୍ ଗସ୍ତ କରିଥିଲେ ଏବଂ ଏହା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବେଜିଂ ଗସ୍ତରେ ଯାଇ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe