Image Courtesy of India Today
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଗୁଜରାଟର ସୁରତରେ ପ୍ରାୟ ୧୦୦୦ ଅଟୋ ଚାଳକ ଯାତ୍ରୀମାନଙ୍କ ପାଇଁ ରିହାତି ଭଡ଼ା ଘୋଷଣା କରିଥିବା ବେଳେ ‘ଗିନିଜ୍ ୱାର୍ଲଡ୍ ରେକର୍ଡ’ ଲାଗି ଆସାମ ୧ କୋଟି ଚାରା ରୋପଣ କରାଯାଉଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
‘ଇଣ୍ଡିଆ ଟୁଡେ’ ରିପୋର୍ଟ ଅନୁସାରେ, ଅଟୋ ଚାଳକମାନଙ୍କ ଏଭଳି ମହତ୍ ଉଦ୍ଦେଶ୍ୟ ପ୍ରତି କୃତଜ୍ଞତା ଜଣାଇ ଗୁଜରାଟ ବିଧାୟକ ପୂର୍ଣ୍ଣେଶ ମୋଦୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ୧୦୦୦ ଅଟୋ-ରିକ୍ସା ଚାଳକ ୩୦% ରିହାତି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୩ତମ ଜନ୍ମଦିନ ଉପଲକ୍ଷେ ୧୦୦% ରିହାତି ଘୋଷଣା କରିଥିବା ୭୩ଜଣ ଅଟୋ-ରିକ୍ସା ଚାଳକଙ୍କୁ କୃତଜ୍ଞତା ଜଣାଉଛି।
Image Courtesy of NDTVସେହିପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମଦିନ ଅବସରରେ ଆଜି ଆସାମ ୧ କୋଟି ଗଛ ଚାରା ରୋପଣ କରି ‘ଗିନିଜ୍ ୱାର୍ଲଡ୍ ରେକର୍ଡ’ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ରଜ୍ୟର ରାଜଧାନୀ ଦିସପୁରରୁ ସୁଦୂର ଭୈରବକୁଣ୍ଡ ପର୍ଯ୍ୟନ୍ତ ସମଗ୍ର ରାଜ୍ୟବାସୀ ଏହି ବ୍ୟାପକ ବୃକ୍ଷରୋପଣ ଅଭିଯାନରେ ସାମିଲ ହୋଇଛନ୍ତି। ଏହି ଅଭିଯାନକୁ ‘ଅମୃତ ବୃକ୍ଷ ଜନ ଆନ୍ଦୋଳନ’ ଭାବେ ନାମିତ କରାଯାଇଛି।
‘ଏକ୍ସ୍’ କରି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ଇତିହାସ ରଚିଲା ଆସାମ। ପରିଚ୍ଛନ୍ନ ପରିବେଶ ଓ ‘ଗ୍ରିନ୍ ପ୍ଲାନେଟ୍’ର ବାସ୍ତବ ଚାମ୍ପିଅନ୍ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ ପାଳନ ଅବସରରେ ବୃକ୍ଷଭିତ୍ତିକ ଅର୍ଥନୀତି ଗଢ଼ିବା ପାଇଁ ୧ କୋଟି ଚାରା ରୋପଣ ଲାଗି ଆୟୋଜିତ ଗଣ ଆନ୍ଦୋଳନ ‘ଅମୃତ ବୃକ୍ଷ ଜନ ଆନ୍ଦୋଳନ’ରେ ଆଜି ମୁଁ ଯୋଗ ଦେଇଛି।
ସମଗ୍ର ଆସାମରେ ଥିବା ମହିଳା ସ୍ବୟଂସହାୟକ ଗୋଷ୍ଠୀର ୪୦ ଲକ୍ଷ ସଦସ୍ୟା ପ୍ରତ୍ୟେକ ୨ଟି କରି ୮୦ ଲକ୍ଷ ଚାରା ଲଗାଇବେ। ବାକି ୨୦ ଲକ୍ଷ ଚାରା ଅଙ୍ଗନବାଡ଼ି କର୍ମୀ, ଚା ବଗିଚା ଶ୍ରମିକ, ସରକାରୀ ଅଧିକାରୀ, ପୁଲିସ ଓ ଫରେଷ୍ଟ୍ ବାଟାଲିୟାନ୍ ଏବଂ ରାଜ୍ୟର ଅନ୍ୟାନ୍ୟ ସଙ୍ଗଠନର ସଦସ୍ୟମାନେ ରୋପଣ କରିବେ।
Follow Us