ଚୀନ୍‌କୁ ଘେରିବାକୁ ଭାରତର ଚକ୍ରବ୍ୟୂହ : ଜିନ୍‌ପିଙ୍ଗ୍‌ଙ୍କ ‘ଯୁଦ୍ଧ ନୀତି’ର ମୁକାବିଲା କରିବ ମୋଦୀଙ୍କ ‘ଡୋକ୍‌ଲାମ ଟିମ୍‌’, ଦୀର୍ଘମିଆଦି ରଣନୀତି ପ୍ରସ୍ତୁତ

Advertisment
ଚୀନ୍‌କୁ ଘେରିବାକୁ ଭାରତର ଚକ୍ରବ୍ୟୂହ : ଜିନ୍‌ପିଙ୍ଗ୍‌ଙ୍କ ‘ଯୁଦ୍ଧ ନୀତି’ର ମୁକାବିଲା କରିବ ମୋଦୀଙ୍କ ‘ଡୋକ୍‌ଲାମ ଟିମ୍‌’, ଦୀର୍ଘମିଆଦି ରଣନୀତି ପ୍ରସ୍ତୁତ

Defence News

ନୂଆଦିଲ୍ଲୀ : ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମିକୁ ଉଦ୍‌ବୋଧନ ଦେଇ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଗତକାଲି ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେବାପରେ ଏହାକୁ ନେଇ ବିଶ୍ବ କୂଟନୀତି ଚଳଚଂଚଳ ହୋଇଉଠିଛି। କରୋନାଭାଇରସ୍‌ ବ୍ୟାପିବାରେ ଚୀନ୍‌ର ଭୂମିକା ଏବଂ ଦକ୍ଷିଣ ଚୀନ୍‌ ସାଗରରେ ଏହାର ଦାଦାଗିରି ବିରୋଧରେ ଆମେରିକା ସମେତ ବିଭିନ୍ନ ପ୍ରମୁଖ ରାଷ୍ଟ୍ର ସିଧାସଳଖ ଚୀନ୍‌କୁ ଏବେ ଟାର୍ଗେଟ୍‌ କରୁଛନ୍ତି। ଏଭଳି ସ୍ଥିତିରେ ଚୀନ୍‌ ଲଦାଖ ସୀମାରେ ଉତ୍ତେଜନା ସୃଷ୍ଟି କରି ଭାରତର ଚିନ୍ତା ବଢ଼ାଇଛି। ଭାରତ ଏବେ ଲଦାଖ୍‌ର ଉଚ୍ଚ ଯୁଦ୍ଧକ୍ଷେତ୍ରରେ ନିଜ ସୈନ୍ୟବଳ ବୃଦ୍ଧି କରିବା ସହ ଚୀନ୍‌ର ଦୀର୍ଘକାଳୀନ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ଚୀନ୍‌ ଲଦାଖ୍‌ରେ ଦୌଲତ ବେଗ୍‌ ଓଲ୍‌ଡି(ଡିବିଓ) ସେକ୍ଟରରେ ଭାରତର ସୀମା ଭିତ୍ତିଭୂମି କାର୍ଯ୍ୟକୁ ଅଟକାଇବାକୁ ଚାହୁଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଚରମ ଉତ୍ତେଜନା ଲାଗିରହିଛି। ପରିସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି ଏବଂ ଏଥିରେ ଚୀନ୍‌କୁ ଘେରିବାକୁ ରଣନୀତି ଚୂଡ଼ାନ୍ତ ହୋଇଛି।

ବୈଠକ ପରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, 'ଅଷ୍ଟ୍ରେଲିଆରୁ ହଂକଂ ପର୍ଯ୍ୟନ୍ତ, ତାଇୱାନରୁ ଦକ୍ଷିଣ ଚୀନ୍‌ ସାଗର ପର୍ଯ୍ୟନ୍ତ ଏବଂ ଭାରତରୁ ଆମେରିକା ପର୍ଯ୍ୟନ୍ତ ସବୁଠି ଚୀନ୍‌ ଏବେ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଛି।' ବିଶ୍ବରେ ୧ ନମ୍ବର ଶକ୍ତି ହେବା ପାଇଁ ଚୀନ୍‌ର ଏଭଳି ଦାଦାଗିରିକୁ ପ୍ରତିଟି କ୍ଷେତ୍ରରେ ଜୋର୍‌ଦାର ବିରୋଧ ହେବ ଏବଂ ଭାରତ ସୀମାରେ ଚୀନ୍‌କୁ ଇଞ୍ଚେ ମଧ୍ୟ ବଢ଼ିବାକୁ ଦିଆଯିବ ନାହିଁ। ଡୋକ୍‌ଲାମ ବିବାଦରେ ଭାରତର ସୁଚିନ୍ତିତ ରଣନୀତି ଏବଂ ସଫଳ କୂଟନୀତି ଯୋଗୁଁ ଚୀନ୍‌ ପଛକୁ ହଟିବାକୁ ବାଧ୍ୟ ହୋଇଥିଲା। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡେଭାଲ୍‌, ସିଡିଏସ୍‌ ଜେନେରାଲ ବିପିନ ରାୱତ ଓ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ଟିମ୍‌ ୨୦୧୭ରେ ଡୋକ୍‌ଲାମରେ ଚୀନ୍‌କୁ ମାତ୍‌ ଦେବାପାଇଁ ରୂପରେଖ ପ୍ରସ୍ତୁତ କରିଥିଲେ ଏବଂ ଭାରତକୁ ପୂର୍ଣ୍ଣ ସଫଳତା ମିଳିଥିଲା। ଏବେ ମୋଦୀଙ୍କ ଡୋକ୍‌ଲାମ ଟିମ୍‌ ପୁଣି ସକ୍ରିୟ ହୋଇଉଠିଛି ଏବଂ ଚୀନ୍‌ ଉପରେ ପ୍ରବଳ କୂଟନୈତିକ ଓ ସାମରିକ ଚାପ ସୃଷ୍ଟି ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ ହୋଇସାରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ଠାରୁ ଆରମ୍ଭ କରି ହଂକଂ, ତାଇୱାନ ପର୍ଯ୍ୟନ୍ତ ସବୁଠି ଚୀନ୍‌କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ଲଦାଖ୍‌ରେ କୌଣସି ସ୍ଥିତିରେ ବି ଚୀନ୍‌ ସେନାର ଅତିକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ଜଣାପଡ଼ିଛି। ଭାରତର ନିର୍ମାଣ କାର୍ଯ୍ୟକୁ ବଳପୂର୍ବକ ଅଟକାଇବାକୁ ଚେଷ୍ଟା କଲେ ପରିଣତି କ'ଣ ହେବ ତାହା ଚୀନ୍‌ ଭଲଭାବେ ଜାଣିଛି ବୋଲି ଜଣେ ବରିଷ୍ଠ ସେନା ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe