ଦିଲ୍ଲୀ ର‍୍ୟାଲିରେ ଗର୍ଜିଲେ ମୋଦୀ : ମୁସ୍‌ଲିମ୍‌ଙ୍କୁ ଡରାଉଛି କଂଗ୍ରେସ

Advertisment

ଧର୍ମ ନାଁରେ ବିଭ୍ରାନ୍ତି ଚଳାଇଛି, ମିଥ୍ୟା ପ୍ରଚାରକାରୀଙ୍କୁ ଚିହ୍ନଟ ଜରୁରୀ, ଦେଶରେ କୌଣସି ଅଟକ କେନ୍ଦ୍ର ‌ନାହିଁ

ଧର୍ମ ନାଁରେ ବିଭ୍ରାନ୍ତି ଚଳାଇଛି, ମିଥ୍ୟା ପ୍ରଚାରକାରୀଙ୍କୁ ଚିହ୍ନଟ ଜରୁରୀ, ଦେଶରେ କୌଣସି ଅଟକ କେନ୍ଦ୍ର ‌ନାହିଁ

ଦିଲ୍ଲୀ ର‍୍ୟାଲିରେ ଗର୍ଜିଲେ ମୋଦୀ : ମୁସ୍‌ଲିମ୍‌ଙ୍କୁ ଡରାଉଛି କଂଗ୍ରେସ

www.jagran.com

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଅସୁରକ୍ଷିତ ଅନୁଭବ କରୁଥିବା ମୁସ୍‌ଲିମ ସଂପ୍ରଦାୟକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶ୍ବସ୍ତ କରିଛନ୍ତି। ନାଗରିକତା ଆଇନ ସହିତ ଦେଶର କୌଣସି ଧର୍ମ ଓ ନାଗରିକଙ୍କର କିଛି ସଂପର୍କ ନାହିଁ, କୌଣସି ଜଣେ ବି ନାଗରିକ ଏହାଦ୍ବାରା ପ୍ରଭାବିତ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ ର‍୍ୟାଲିରେ ଉଦ୍‌ବୋଧନ ଦେଇ କହିଛନ୍ତି। ବିରୋଧୀ ଦଳ ନାଗରକିତା ଆଇନ ନେଇ ମୁସ୍‌ଲିମ ସଂପ୍ରଦାୟକୁ ବିଭ୍ରାନ୍ତ କରିଛନ୍ତି ଏବଂ ବ୍ୟାପକ ଅପପ୍ରଚାର ଦ୍ବାରା ହିଂସା ସୃଷ୍ଟି କରାଯାଉଛି ବୋଲି ମତଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କ ମିଥ୍ୟା ପ୍ରଚାର ନେଇ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ସରକାର କୌଣସି ନାଗରିକଙ୍କ ସହିତ କେବେ ବି ଭେଦଭାବ କରିନାହାନ୍ତି ଏବଂ ସମସ୍ତଙ୍କ କଲ୍ୟାଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସିଏଏକୁ ଗରିବ ବିରୋଧୀ ବୋଲି ଦର୍ଶାଇ ବିରୋଧୀ ଦଳମାନେ ମିଥ୍ୟା ପ୍ରଚାର ଚଳାଇଛନ୍ତି। ଏଭଳି ଲୋକଙ୍କୁ ଚିହ୍ନଟ କରାଯିବା ଜରୁରୀ ବୋଲି ସେ କହିଛନ୍ତି। ଯେଉଁମାନଙ୍କ ରାଜନୀତି ପୂର୍ବରୁ କେବଳ ଭୋଟ୍‌ବ୍ୟାଙ୍କ ଉପରେ ଆଧାରିତ ଥିଲା ସେମାନେ ଏବେ କେବଳ ରାଜନୈତିକ ଫାଇଦା ପାଇଁ ମୁସ୍‌ଲିମଙ୍କୁ ଡରାଉଛନ୍ତି। ଦେଶରେ ଅଶାନ୍ତି ଓ ଉତ୍ତେଜନା ସୃଷ୍ଟି ପାଇଁ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନେ ଲଗାତାର ପ୍ରୟାସ କରୁଛନ୍ତି। ସ୍କୁଲ ବସ୍, ଟ୍ରେନ୍‌ରେ ଆକ୍ରମଣ ହେଉଛି, ଯାନବାହନ ପୋଡ଼ି ଦିଆଯାଉଛି, ଦୋକାନ ଜାଳି ଦିଆଯାଉଛି। ଦେଶର ସଚ୍ଚୋଟ କରଦାତାଙ୍କ ଅର୍ଥରେ ତିଆରି ହୋଇଥିବା ସରକାରୀ ସମ୍ପତ୍ତିକୁ ଜାଳି ପୋଡ଼ି ପାଉଁଶ କରିଦିଆଯାଉଛି। ଏଭଳି କରିବା ପଛରେ ସେମାନଙ୍କ ଲକ୍ଷ୍ୟ କ’ଣ ତାହା ଦେଶବାସୀ ଭଲଭାବେ ଜାଣି ଗଲେଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶବାସୀ ମତେ ପ୍ରଧାନମନ୍ତ୍ରୀ କରିଛନ୍ତି, ଯଦି ମୁଁ ଆପଣମାନଙ୍କ ପସନ୍ଦ ନାହିଁ ତା’ହେଲେ ମତେ ଗାଳି ଦିଅନ୍ତୁ, ବିରୋଧ କରନ୍ତୁ, ମୋର କୁଶପୁତ୍ତଳିକା ଜଳାନ୍ତୁ। କିନ୍ତୁ ଦେଶର ସମ୍ପତ୍ତି ଜଳାଇବା ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାର ବିଭିନ୍ନ ଯୋଜନାର ଫାଇଦା ଲୋକଙ୍କୁ ପ୍ରଦାନ କରିବା ବେଳେ କେବେ କାହାକୁ ଧର୍ମ ପଚାରି ନାହାନ୍ତି। ଦିଲ୍ଲୀର ବେଆଇନ କଲୋନୀରେ ରହୁଥିବା ୪୦ ଲକ୍ଷ ଲୋକଙ୍କୁ ସେମାନଙ୍କ ବାସସ୍ଥାନର ଅଧିକାର ପ୍ରଦାନ କରାଯାଇଛି। ଏଥିପାଇଁ କାହାର ଜାତି, ଧର୍ମ ପଚରାଯାଇଛି କି ବୋଲି ମୋଦୀ ପ୍ରଶ୍ନ କରିଥିଲେ। । ସଂସଦରେ ଗୃହୀତ ହୋଇଥିବା ବିଲ୍‌ ଆଇନରେ ପରିଣତ ହୋଇଛି ଏବଂ ଏହାକୁ ବିରୋଧୀ ଦଳମାନଙ୍କୁ ସମ୍ମାନ ଦେବାକୁ ପଡ଼ିବ। ଯେଉଁମାନେ ମିଥ୍ୟା ପ୍ରଚାର କରୁଛନ୍ତି ସେମାନଙ୍କୁ ମୁଁ ଚ୍ୟାଲେଂଜ କରୁଛି, ମୋର ପ୍ରତ୍ୟେକଟି କାର୍ଯ୍ୟ ଓ ପଦକ୍ଷେପର ସେମାନେ ଯାଞ୍ଚ କରନ୍ତୁ। କେବେ ବି କୌଣସି କ୍ଷେତ୍ରରେ ସେମାନେ ଭେଦଭାବ ଦେଖିବାକୁ ପାଇବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ଏବେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ଡିଟେନ୍‌ସନ ସେଣ୍ଟର (ଅଟକ କେନ୍ଦ୍ର)ର ଭୟ ମୁସ୍‌ଲିମ୍‌ ସଂପ୍ରଦାୟକୁ ଦେଖାଉଛନ୍ତି। ଏଭଳି କୌଣସି ଅଟକ କେନ୍ଦ୍ର ଦେଶରେ ନଥିବା ବେଳେ ଏଭଳି ବିଭ୍ରାନ୍ତି ଓ ମିଥ୍ୟା ପ୍ରଚାର ପଛରେ ଉଦ୍ଦେଶ୍ୟ କ’ଣ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe