representetional immage - iPleaders
ନୂଆଦିଲ୍ଲୀ: ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ବିଚାରବିମର୍ଶ ଜାରିରହିଛି। ଏହାକୁ ଦୃଷ୍ଟିରେ ରଖି ପୋଲାଭରମ ପ୍ରକଳ୍ପ ମାମଲାରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯାଇ ନାହିଁ। ତେଣୁ ମାମଲାର ଶୁଣାଣିକୁ ଆଉ ତିନିମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କୁ ପତ୍ରଲେଖି ଅନୁରୋଧ କରିଛି କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ।
ପୋଲାଭରମ ପ୍ରକଳ୍ପକୁ ନେଇ ବିବାଦ ଲାଗିରହିଥିବା ବେଳେ ଏହାର ସମାଧାନ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଳଶକ୍ତି ମନ୍ତ୍ରାଳୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ସରକାରଙ୍କ ସହିତ ସଚିବସ୍ତରୀୟ ଓ ବୈଷୟିକ ଅଧିକାରୀସ୍ତରୀୟ ବୈଠକ କରିସାରିଛି। ଏବେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ବିଚାରବିମର୍ଶ ଆରମ୍ଭ ହୋଇଛି। ଏଥି ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଗତ ଜାନୁଆରି ୧୫ରେ ଉପରୋକ୍ତ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡାକିଥିଲା। ହେଲେ ବୈଠକରେ ଯୋଗଦେବାପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ପାଖରୁ କୌଣସି ଉତ୍ତର ମିଳିନଥିଲା। ଯେଉଁଥି ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିପାରିନଥିଲା।
ଗତ ମାସରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ସୁପ୍ରିମକୋର୍ଟକୁ ପତ୍ରଲେଖି ରିପୋର୍ଟ ଦାଖଲ ପାଇଁ ୨ ମାସ ସମୟ ମାଗିଥିଲେ। ଗତ ମାସ ୨୧ରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ବିଚାରପତି ଜଷ୍ଟିସ୍ ଏସ୍.କେ କୌଲ ଅସୁସ୍ଥ ରହିବା କାରଣରୁ ଶୁଣାଣି ହୋଇପାରିନଥିଲା। ଆଜି ପୁଣିଥରେ ମାମଲାର ଶୁଣାଣି ବିଚାରପତି ଜଷ୍ଟିସ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ତାଲିକାଭୁକ୍ତ ହୋଇଥିଲା। ତେବେ ଖଣ୍ଡପୀଠର ଜଣେ ବିଚାରପତି ଅନୁପସ୍ଥିତ ରହିବାରୁ ମାମଲାକୁ ତାଲିକାରୁ ବାଦ୍ ଦିଆଯାଇଥିଲା। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ସରକାର ସୁପ୍ରିମକୋର୍ଟରେ ‘ଅରିଜିନାଲ ସୁଟ’ ଦାଖଲ କରିଛନ୍ତି। ଗତବର୍ଷ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରମୁଖ ଭୂମିକା ନେବା ଲାଗି ତଥା ବିଚାରବିମର୍ଶ ସଂପର୍କିତ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।
Follow Us