ପୋଲାଭରମ ପ୍ରକଳ୍ପ: ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଉପରେ ଗୁରୁତ୍ବ

Advertisment
ପୋଲାଭରମ ପ୍ରକଳ୍ପ: ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଉପରେ ଗୁରୁତ୍ବ

Deccan Chronicle

ନୂଆଦିଲ୍ଲୀ: ପୋଲାଭରମ ବହୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣକୁ ନେଇ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଏହି ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପୁଣି ବୈଠକ କରିବ। ଚଳିତମାସ ୧୫ରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ମନ୍ତ୍ରାଳୟ ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଏହି ବୈଠକ ହୋଇପାରିନାହିଁ। ପ୍ରକଳ୍ପ ଉପରେ ଆପତ୍ତି ଦର୍ଶାଇ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ପକ୍ଷରୁ ସୁପ୍ରିମକୋର୍ଟ‌ରେ ଦାଖଲ କରାଯାଇଥିବା ମୂଳ ମାମଲା ଦୀର୍ଘ ଦିନରୁ ବିଚାରାଧୀନ ରହିଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି।
ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୈଧ ପରିବେଶ ମଂଜୁରୀ ବିନା ଜାରି ରହିଥିବାର ଓଡ଼ିଶା, ତେଲେଙ୍ଗାନା ଏବଂ ଛତିଶଗଡ଼ର ଅଭିଯୋଗ ରହିଛି।

ଗତ ବର୍ଷ ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟ ମାମଲାର ସମାଧାନ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟକୁ ଅଗ୍ରଣୀ ଭୂମିକା ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ସମାଧାନର ସୂତ୍ର ବାହାର କରିବା ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଦ୍ବାରା ଗତବର୍ଷ ଅକ୍ଟୋବରରେ ଚାରି ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ବୈଠକ କରାଯାଇଥିଲା। ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକରେ ପୋଲାଭରମ ପ୍ରକଳ୍ପ ମାମଲାର ଏକାଧିକ ବିବାଦରେ ବୈଷୟିକ ପ୍ରସଙ୍ଗ ରହିଥିବାରୁ କେନ୍ଦ୍ର ଜଳ ଆୟୋଗ ପକ୍ଷରୁ ଚାରି ରାଜ୍ୟର ବୈଷୟିକ ଗୋଷ୍ଠୀ ଦ୍ବାରା ବୈଠକ କରାଯାଇ ରାଜ୍ୟମାନଙ୍କର ମତପାର୍ଥକ୍ୟ ଦୂର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ପ୍ରକଳ୍ପ ସମ୍ପର୍କିତ ଅନ୍ୟାନ୍ୟ ବିବାଦୀୟ ପ୍ରସଙ୍ଗଗୁଡ଼ିକ ଉପରେ ଏବେବି ରାଜ୍ୟମାନଙ୍କର ମତପାର୍ଥକ୍ୟ ରହିଥିବାରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡାକି ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତଦନୁସାରେ ଚଳିତମାସ ୮ତାରିଖରେ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖାଯାଇଥିଲା। ଫେବ୍ରୁଆରି ୧୫ ବୈଠକ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ସତ୍ତ୍ବେ ଏ ଦିଗରେ ସଫଳତା ମିଳିପାରିନଥିଲା। ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ନହୋଇପାରିବାରୁ ମନ୍ତ୍ରାଳୟ ଦ୍ବାରା ସୁପ୍ରିମକୋର୍ଟକୁ ପତ୍ରଲେଖି ଚୂଡ଼ାନ୍ତ ରିପୋର୍ଟ ଦାଖଲ ପାଇଁ ସମୟ ଲାଗିବ ବୋଲି ଅବଗତ କରାଯିବା ସହିତ ମାମଲାର ଶୁଣାଣିକୁ ଦୁଇମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ଅନୁରୋଧ କରାଯାଇଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଷନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ହେଲେ, ବିଚାରପତି ଜଷ୍ଟିସ କୌଲ ସ୍ବାସ୍ଥ୍ୟଗତ କାରଣରୁ ଆଜି ଅନୁପସ୍ଥିତ ରହିବାରୁ ମାମଲାର ଶୁଣାଣି ହୋଇପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe