Image Courtesy of New Indian Express
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଜାରି ଚାଷୀ ଆନ୍ଦୋଳନ ଭିତରେ ବିଭିନ୍ନ ଚାଷୀ ସଂଗଠନ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରୢାଲି କରିବା ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଟ୍ରାକ୍ଟର ରୢାଲି ଉପରେ ରୋକ୍ ଲଗାଇବା ପାଇଁ ଦିଲ୍ଲୀ ପୁଲିସ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆଜି କୋର୍ଟ ଏହି ମାମଲାର ଶୁଣାଣି କରି ଏଭଳି ରୢାଲି ପାଇଁ ଅନୁମତି ମିଳିବ କି ନାହିଁ ସେହି ନିଷ୍ପତ୍ତି ଦିଲ୍ଲୀ ପୁଲିସ ହିଁ ନେବା ଉଚିତ ବୋଲି କହିଛନ୍ତି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ବୁଧବାର ହେବ।
ଦିଲ୍ଲୀକୁ ଚାଷୀମାନଙ୍କ ପ୍ରବେଶ ଏକ ଆଇନ ଶୃଙ୍ଖଳା ସମସ୍ୟା ଏବଂ ଏ ବାବଦ ନିଷ୍ପତ୍ତି ନେବାର ସଂପୂର୍ଣ୍ଣ ଅଧିକାର ପୁଲିସ ନିକଟରେ ରହିଛି ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି। ପ୍ରଧାନ ବିଚାରପତି ଏସ୍ ଏ ବୋବ୍ଡେଙ୍କ ନେତୃତ୍ବାଧୀନ ୩ ଜଣିଆ ଖଣ୍ଡପୀଠ ଆଜି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଜାନୁଆରି ୨୬ ସାଧାରଣତନ୍ତ୍ର ଦିବସ ଉତ୍ସବରେ କୌଣସି ବାଧା ସୃଷ୍ଟି ନକରିବାକୁ ସୁପ୍ରିମକୋର୍ଟ ଚାଷୀମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦିଲ୍ଲୀ ପୁଲିସ ଦ୍ବାରା ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। କୋର୍ଟ ଏହି ଆବେଦନର ଶୁଣାଣି କରି ଆଜି କହିଛନ୍ତି ଯେ ଦିଲ୍ଲୀରେ ଆଇନ ଶୃଙ୍ଖଳା ସ୍ଥିତି ସ୍ବାଭାବିକ ରଖିବା ଏବଂ ଦିଲ୍ଲୀକୁ କିଏ ଆସିବ, କିଏ ଯିବ ସେ ବାବଦ ନିଷ୍ପତ୍ତି ପୁଲିସ ନେବା ହିଁ ଶ୍ରେୟସ୍କର।
ଲ୍ଲେଖଯୋଗ୍ୟ, ଗତ ୧୨ ତାରିଖରେ ରାୟ ଦେଇ କୋର୍ଟ କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇଥିଲେ। ମାମଲାର ଏକ ସ୍ଥାୟୀ ସମାଧାନ ପାଇଁ କୋର୍ଟ ୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ। ଆଜି ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି, ଦିଲ୍ଲୀକୁ କୃଷକମାନଙ୍କ ପ୍ରବେଶ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିବା ଆଶଙ୍କା ଥିବାରୁ ଏଦିଗରେ ପୁଲିସ ନିଜର କ୍ଷମତା ବ୍ୟବହାର କରିପାରିବ । ଅନ୍ୟପକ୍ଷରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ଚାଷୀ ସଂଗଠନଗୁଡ଼ିକ ସ୍ବାଗତ କରି ଏହା ସେମାନଙ୍କ ବିଜୟ ବୋଲି କହିଛନ୍ତି। ଟ୍ରାକ୍ଟର ରୢାଲି ବାହାର କରିବା ସେମାନଙ୍କ ଅଧିକାର ଏବଂ ଏଥିରେ ସେମାନଙ୍କୁ ପୁଲିସ ବାଧା ଦେଇପାରିବ ନାହିଁ ବୋଲି ଚାଷୀ ନେତାମାନେ କହିଛନ୍ତି।
Follow Us