ଇମ୍ରାନଙ୍କ ଘରକୁ ଧସେଇ ପଶିଲା ପୁଲିସ: ଅସ୍ତ୍ରଶସ୍ତ୍ର ଏବଂ ପେଟ୍ରୋଲ ବୋମା ଜବତ

Advertisment

ଗିରଫ ୱାରେଣ୍ଟ ବାତିଲ କଲା କୋର୍ଟ

ଗିରଫ ୱାରେଣ୍ଟ ବାତିଲ କଲା କୋର୍ଟ

ଇମ୍ରାନଙ୍କ ଘରକୁ ଧସେଇ ପଶିଲା ପୁଲିସ: ଅସ୍ତ୍ରଶସ୍ତ୍ର ଏବଂ ପେଟ୍ରୋଲ ବୋମା ଜବତ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବାସଭବନ ବାହାରେ ଆଜି ହାଇଡ୍ରାମା ହୋଇଛି। ଇମ୍ରାନ ତୋଷଖାନା ଦୁର୍ନୀତି ମାମଲାରେ ଇସଲାମାବାଦ କୋର୍ଟରେ ହାଜର ହେବାପାଇଁ ଘରୁ ବାହାରିବାର କିଛି ଘଣ୍ଟା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଲାହୋରରେ ଜମନ ପାର୍କ ସ୍ଥିତ ଇମ୍ରାନଙ୍କ ବାସଭବନ ବାହାରେ ମୁତୟନ ହୋଇଥିବା ବହୁସଂଖ୍ୟକ ପୁଲିସ ବଳପୂର୍ବକ ଇମ୍ରାନଙ୍କ ଘରେ ଧସେଇ ପଶିଥିଲେ। ୧୦ ହଜାରରୁ ଅଧିକ ପୁଲିସ ଇମ୍ରାନଙ୍କ ବାସଭବନ ନିକଟରେ ମୁତୟନ ହୋଇଥିଲେ। ସେମାନେ ଇମ୍ରାନଙ୍କ ବାସଭବନର ଗେଟ୍‌କୁ ବୁଲଡୋଜର ଲଗାଇ ଭାଙ୍ଗିବା ସହ ଘରକୁ ଧସେଇ ପଶିଥିଲେ। ଏହି ସମୟରେ ପୁଲିସ ଓ ପିଟିଆଇ କର୍ମୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା। ଗଣ୍ଡଗୋଳରେ ୧୦ ପିଟିଆଇ କର୍ମୀ ଏବଂ ୩ ପୁଲିସ ଆହତ ହୋଇଛନ୍ତି। ୬୧ ପିଟିଆଇ କର୍ମୀଙ୍କୁ ପୁଲିସ ଗିରଫ କରିଛି। ଇତି ମଧ୍ୟରେ ଇମ୍ରାନଙ୍କ ବାସଭବନରେ ଚଢ଼ଉ କରି ପୁଲିସ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ପେଟ୍ରୋଲ ବୋମା ଜବତ କରିଛି। ଇମ୍ରାନଙ୍କ ବାସଭବନ ବାହାରେ ପିଟିଆଇ ଦ୍ବାରା ପକାଯାଇଥିବା ସମସ୍ତ କ୍ୟାମ୍ପ୍‌ ଏବଂ ବ୍ୟାରିକେଡ୍‌କୁ ପୁଲିସ ହଟାଇ ଦେଇଛି।

ଇତି ମଧ୍ୟରେ ଇମ୍ରାନ ଇସଲାମାବାଦ ଯିବା ବାଟରେ ତାଙ୍କ କନ୍‌ଭୟର ଏକ କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କିନ୍ତୁ ଇମ୍ରାନ ସୁରକ୍ଷିତ ଅଛନ୍ତି। ଏହି କାରଣ ପାଇଁ ଇମ୍ରାନ କୋର୍ଟରେ ପହଞ୍ଚିବା ବିଳମ୍ବ ହୋଇଛି। ଇମ୍ରାନ କହିଛନ୍ତି, କେବଳ ତାଙ୍କୁ ନିର୍ବାଚନ ପ୍ରଚାରର ନେତୃତ୍ବ ନେବାରୁ ଅଟକାଇବାପାଇଁ ଏ ସମସ୍ତ ଯୋଜନା କରାଯାଇଛି। କୋର୍ଟ ଇମ୍ରାନ୍‌ଙ୍କୁ ୯ଟି ମାମଲାରେ ଗିରଫରୁ ସୁରକ୍ଷା ଦେଇଥିଲେ ସୁଦ୍ଧା ପିଟିଆଇ ମୁଖ୍ୟ ଇମ୍ରାନ କହିଛନ୍ତି, ଖୁବ୍‌ଶୀଘ୍ର ପୁଲିସ ତାଙ୍କୁ ଗିରଫ କରିବ । ଖାନ୍‌ କହିଛନ୍ତି, ତାଙ୍କୁ ଗିରଫ କରାଯିବାପରେ ତାଙ୍କ ଦଳର ନେତୃତ୍ବ ନେବାପାଇଁ ଏକ କମିଟି ଗଠନ ହୋଇଛି। ଅନ୍ୟପକ୍ଷେ ଇମ୍ରାନ ଆଜି ତୋଷଖାନା ମାମଲାରେ କୋର୍ଟରେ ହାଜର ହେବାପରେ କୋର୍ଟ ତାଙ୍କ ଜାମିନ ବିହୀନ ଗିରଫ ପରୱାନାକୁ ବାତିଲ କରିଦେଇଛନ୍ତି। ଇମ୍ରାନ୍‌ କୋର୍ଟରେ ହାଜର ହୋଇ ଲା‌ହୋରକୁ ଫେରିଛନ୍ତି। କୋର୍ଟରେ ଶୁଣାଣି ପୂର୍ବରୁ ଆଜି ପିଟିଆଇ କର୍ମୀମାନେ ଇସଲାମାବାଦ କୋର୍ଟ ବାହାରେ ପଥର ମାଡ଼ କରିଥିଲେ। ତେବେ ମିଳିଥିବା ସୂଚନା ଅନୁଯାୟୀ ତୋଷଖାନା ମାମଲାରେ ଇସଲାମାବାଦର ଏକ କୋର୍ଟ ତାଙ୍କ ଗିରଫ ୱାରେଣ୍ଟକୁ ବାତିଲ କରିଦେଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦ ତାରିଖରେ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe