Police SI beaten: ହରିୟାଣାରେ ପୁଲିସ ଏସ୍‌ଆଇଙ୍କୁ ପିଟିପିଟି ହତ୍ୟା

ହରିୟାଣାର ହିସାରରେ ଜଣେ ପୁଲିସ ସବ୍‌-ଇନ୍ସପେକ୍ଟରଙ୍କୁ କିଛି ଲୋକ ତାଙ୍କ ଘର ବାହାରେ ଅତି ନିର୍ମମ ଭାବେ ଇଟା ଓ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣା ରାଜ୍ୟରେ ଆଲୋଡ଼ନ....

Untitled-8

ଚଣ୍ଡୀଗଡ଼: ହରିୟାଣାର ହିସାରରେ ଜଣେ ପୁଲିସ ସବ୍‌-ଇନ୍ସପେକ୍ଟରଙ୍କୁ କିଛି ଲୋକ ତାଙ୍କ ଘର ବାହାରେ ଅତି ନିର୍ମମ ଭାବେ ଇଟା ଓ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ଯେଉଁଠି ଅସୁରକ୍ଷିତ ସେଠାରେ ସାଧାରଣ ଲୋକଙ୍କ ସୁରକ୍ଷା କିଏ କରିବ ବୋଲି ପ୍ରଶ୍ନ ଉଠୁଛି।

୫୭ ବର୍ଷୀୟ ମୃତ ସବ୍‌-ଇନ୍ସପେକ୍ଟର ରମେଶ କୁମାର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜିପି)ଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଥିଲେ। ଆସନ୍ତା ବର୍ଷ ଜାନୁଆରିରେ ସେ ଅବସର ନେଇଥାନ୍ତେ। ଗୁରୁବାର ରାତିରେ ଅଭିଯୁକ୍ତ ଯୁବକମାନେ ଶାମଲାଲ ଧନି ଅଞ୍ଚଳରେ ରମେଶଙ୍କ ଘର ନିକଟରେ ଗଣ୍ଡଗୋଳ କରୁଥିଲେ।  ଏହି ସମୟରେ ରମେଶ ବାହାରକୁ ଆସି ସେମାନଙ୍କୁ ଗଣ୍ଡଗୋଳ ନ କରିବା ଓ ଅଶ୍ରାବ୍ୟ ଭାଷା ବ୍ୟବହାର ନ କରିବାକୁ  କହିଥିଲେ। ଯୁବକମାନେ ପ୍ରଥମେ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ଘଣ୍ଟାଏ ପରେ ଅଧିକ ଲୋକଙ୍କ ସହିତ କାର୍‌ ଓ ବାଇକ୍‌ରେ ଆସି ପୁଣି ଘର ବାହାରେ ପ୍ରବଳ ଗାଳିଗୁଲଜ କରିଥିଲେ। ର‌ମେଶ ପ୍ରତିବାଦ କରିବାରୁ ସେମାନେ ଠେଙ୍ଗା ଓ ଇଟା ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପାଟି ଶୁଣି ଘର ଲୋକ ବାହାରକୁ ଆସି ‌ସାହାଯ୍ୟ ପାଇଁ ପଡ଼ୋଶୀଙ୍କୁ ଡାକିଥିଲେ। ସେତେବେଳକୁ ଆକ୍ରମଣକାରୀ ସେମାନଙ୍କ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।   ବରିଷ୍ଠ ପୁଲିସ ଅଧିକାରୀମାନେ  ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହି ଘଟଣାରେ ୧୦ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ୫ ଜଣଙ୍କୁ ଗିରଫ କରାଯାଇଛି। କୁମାରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ସିଭିଲ ହସ୍ପିଟାଲ ପଠାଯାଇଛି। ଅଭିଯୁକ୍ତମାନଙ୍କ ସ୍କୁଟର ଓ କାର୍‌ ଜବତ କରାଯାଇଛି। ଯେଉଁମାନେ ଧରାପଡ଼ିନାହାନ୍ତି ସେମାନଙ୍କୁ ଧରିବାକୁ ପୁଲିସ ଟିମ୍‌ ଗଠନ କରିଛି। କୁମାରଙ୍କର ଦୁଇ ଜଣ ଝିଅ ଓ ଜଣେ ପୁଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe