ଝାଡ଼ଖଣ୍ଡ, ଗୁଜରାଟରେ ବି ଗାଡ଼ି ଚଢ଼ାଇ ୨ ପୁଲିସଙ୍କୁ ହତ୍ୟା

Advertisment
ଝାଡ଼ଖଣ୍ଡ, ଗୁଜରାଟରେ ବି ଗାଡ଼ି ଚଢ଼ାଇ ୨ ପୁଲିସଙ୍କୁ ହତ୍ୟା

ରାଞ୍ଚି : ଝାଡ଼ଖଣ୍ଡର ରାଞ୍ଚିରେ ସନ୍ଧ୍ୟା ଟପ୍ନୋ ନାମ୍ନୀ ଜନୈକା ମହିଳା ପୁଲିସ୍ ସବ୍‌ଇନ୍ସପେକ୍ଟରଙ୍କୁ ଏକ ପିକ୍‌ଅପ୍ ଭ୍ୟାନ୍ ଡ୍ରାଇଭର ବୁଧବାର ଦିନ ଗାଡ଼ି ଚଢ଼ାଇ ହତ୍ୟା କରିଛି। ଗତରାତିରେ ଟୁପୁଦାନା ଅଞ୍ଚଳରେ ଗାଡ଼ି ଚେକିଂ ପାଇଁ ମହିଳା ପୁଲିସ ଜଣକ ଗାଡ଼ି ଅଟକାଇବାକୁ ଉଦ୍ୟମ କଲାବେଳେ ଭ୍ୟାନ୍ ଡ୍ରାଇଭର ଜଣକ ଏଭଳି ବର୍ବର କାଣ୍ଡ ଘଟାଇଛି। ହରିୟାଣାର ନୁହଠାରେ ଖଣି ମାଫିଆମାନେ ଡିଏସ୍‌ପି ପାହ୍ୟାର ଅଫିସର ସୁରେନ୍ଦ୍ର ସିଂହଙ୍କୁ ହତ୍ୟା କରିବା ପରେ ୨୪ ଘଣ୍ଟା ଭିତରେ ଏହା ହେଉଛି ଅନୁରୂପ ତୃତୀୟ ଘଟଣା। ଏହା ପୂର୍ବରୁ ଗତରାତି ପ୍ରାୟ ଗୋଟାଏ ବେଳେ ଏକ ରାଜସ୍ଥାନୀ ଟ୍ରକ୍ ଗୁଜରାଟର ବୋରସଦରେ ଜଣେ କନ୍‌ଷ୍ଟେବଳକୁ ଗାଡ଼ି ମଡ଼ାଇ ହତ୍ୟା କରିଛି।

ରାଞ୍ଚିରେ ମହିଳା ପୁଲିସଙ୍କୁ ହତ୍ୟା କରିବା ପରେ ସ୍ଥାନ ଛାଡ଼ି ପଳାଇଥିବା ଡ୍ରାଇଭରକୁ ପରେ ସିସିଟିଭି ଫୁଟେଜ୍ ଆଧାରରେ ଗିରଫ କରାଯାଇଛି ଏବଂ ତା’ର ଭ୍ୟାନ୍‌କୁ ବି ଜବତ କରାଯାଇଛି ବୋଲି ରାଞ୍ଚି ଏସ୍‌ଏସ୍‌ପି କୌଶଲ କୁମାର କହିଛନ୍ତି।

ସୂଚନାଯୋଗ୍ୟ ଯେ ଗୋ-ଚାଲାଣକାରୀଙ୍କ ଗତିବିଧି ବିଷୟରେ ସୂଚନା ପାଇ ପୁଲିସ ପକ୍ଷରୁ ଗାଡ଼ି ଚେକିଂ କରାଯାଉଥିଲା। କିନ୍ତୁ ହରିୟାଣାରେ ବେଆଇନ ଖଣି ଉପରେ ତଦନ୍ତ କରୁଥିବା ଡିଏସ୍‌ପିଙ୍କୁ ଯେମିତି ଖଣି ମାଫିଆମାନେ ହତ୍ୟା କରିଥିଲେ ଝାଡ଼ଖଣ୍ଡରେ ମଧ୍ୟ ସେମିତି ବେଆଇନ ଗୋ-ଚାଲାଣକାରୀମାନେ କର୍ତ୍ତବ୍ୟରତ ମହିଳା ସବ୍‌ଇନ୍ସପେକ୍ଟରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଛନ୍ତି।

ଆଉ ଏକ ଅନୁରୂପ ଘଟଣା ଘଟିଯାଇଛି ଗୁଜରାଟରେ। ରାଜସ୍ଥାନର ଲାଇସେନ୍ସ ପ୍ଲେଟ୍‌ ଥିବା ଏକ ଟ୍ରକ୍ ଡ୍ରାଇଭର ଚେକିଂ କରିବା ପାଇଁ ଅଟକାଇବାକୁ ଚେଷ୍ଟା କରୁଥିବା କନଷ୍ଟେବଳକୁ ଗାଡ଼ି ଚଢ଼ାଇ ହତ୍ୟା କରିଛି। ଗତରାତି ପ୍ରାୟ ଗୋଟାଏ ବେଳେ କନ୍‌ଷ୍ଟେବଳ କିରଣ ରାଜ ରାଜସ୍ଥାନୀ ନମ୍ବର ଥିବା ସନ୍ଦିଗ୍ଧ ଟ୍ରକ୍‌କୁ ଅଟକାଇବା ପାଇଁ ହାତ ଦେଖାଇବା ବେଳେ ଟ୍ରକ୍‌ଟି ନ ଅଟକି ବେଗ ବଢ଼ାଇ ଦେଇଥିଲା ଏବଂ ସମ୍ପୃକ୍ତ କନ୍‌ଷ୍ଟେବଳଙ୍କ ଉପରେ ଚଢ଼ାଇ ଚାଲିଯାଇଥିଲା। ସମ୍ପୃକ୍ତ କନ୍‌ଷ୍ଟେବଳଙ୍କର ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଆନନ୍ଦ ଡିଏସ୍‌ପି ଅଜିତ୍ ଆର୍ କହିଛନ୍ତି ଯେ ସମ୍ପୃକ୍ତ ଟ୍ରକ୍ ଡ୍ରାଇଭରକୁ ଚିହ୍ନଟ କରାଯାଇଛି ଏବଂ ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe