୫ ରାଜ୍ୟରେ ସରଗରମ ରାଜନୀତି, ପ୍ରାର୍ଥୀ ଚୟନ ପାଇଁ ତତ୍ପରତା

Advertisment

ମମତାଙ୍କ ପାଇଁ ସବୁଠୁ ଜଟିଳ ନିର୍ବାଚନ, ତାମିଲନାଡ଼ୁରେ ଇପିଏସ୍‌ ବନାମ ଷ୍ଟାଲିନ୍‌

ମମତାଙ୍କ ପାଇଁ ସବୁଠୁ ଜଟିଳ ନିର୍ବାଚନ, ତାମିଲନାଡ଼ୁରେ ଇପିଏସ୍‌ ବନାମ ଷ୍ଟାଲିନ୍‌

୫ ରାଜ୍ୟରେ ସରଗରମ ରାଜନୀତି, ପ୍ରାର୍ଥୀ ଚୟନ ପାଇଁ ତତ୍ପରତା

ନୂଆଦିଲ୍ଲୀ : ପଶ୍ଚିମବଂଗ, ତାମିଲନାଡ଼ୁ, କେରଳ, ଆସାମ ଏବଂ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ‌ଘୋଷଣା ସହିତ ଏସବୁ ରାଜ୍ୟରେ ରାଜନୀତି ସରଗରମ ହୋଇଉଠିଛି । ଏହି ୫ ରାଜ୍ୟରେ ଆ‌ସନ୍ତା ମାର୍ଚ୍ଚ ୨୭ ତାରିଖରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ଏପ୍ରିଲ ୨୯ରେ ଶେ‌ଷ ହେବାକୁ ଥିବା ବେଳେ ପ୍ରାର୍ଥୀ ଚୟନ ପାଇଁ କସରତ ଜୋର୍‌ଦାର ହେଲାଣି। ୨୦୧୬ରେ ବି‌ଜେପି ଉକ୍ତ ରାଜ୍ୟମାନଙ୍କରେ ୮୨୪ ଆସନରୁ କେବଳ ୬୪ଟିରେ ଜିତିଥିଲା। କିନ୍ତୁ ଚଳିତ ନିର୍ବାଚନରେ ବିଜେପି ଏକ ବଡ଼ ଶକ୍ତି ଭାବେ ନିଜକୁ ପ୍ରତିପାଦିତ କରିବା ପାଇଁ ଲକ୍ଷ୍ୟ ରଖିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ମମତା ବାନାର୍ଜୀ ତାଙ୍କ ରାଜନୈତିକ ଜୀବନର ସବୁଠୁ ଜଟିଳ ନିର୍ବାଚନ ଲଢ଼ୁଛନ୍ତି।

ଏହି ଲଢ଼େଇ ଉପରେ ସାରା ଦେଶର ନଜର ରହିଛି। ପଶ୍ଚିମବଙ୍ଗରେ ୨୯୪ ଆସନରେ ନିର୍ବାଚନ ହେଉଥିବା ବେଳେ ଆଜି ଟିଏମ୍‌ସି ୨ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟ ବିଜେପି ୧୩୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବ ପାଖକୁ ପଠାଇ ଦେଇଛି। ଗୋଟିଏ ଲେଖାଏଁ ବିଧାନସଭା ଆସନରୁ ଅତି କମ୍‌ରେ ୫ ଜଣଙ୍କ ନାମ ପଠାଯାଇଥିବା ଜଣାପଡ଼ିଛି।

ତାମିଲନାଡ଼ୁ, କେରଳ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ୬ ଏପ୍ରିଲ୍‌ରେ ଭୋଟ୍‌ ଗ୍ରହଣ ହେବ। ତାମିଲନାଡ଼ୁରେ ନିର୍ବାଚନ ଇପିଏସ୍‌ (ଇ ପଲାନିସ୍ବାମୀ)ଙ୍କ ପାଇଁ ଏକ ବଡ଼ ପରୀକ୍ଷା ହୋଇଥିବା ବେଳେ ଦଳରୁ ବହିଷ୍କୃତ ନେତ୍ରୀ ଶଶିକଳାଙ୍କ ପାଇଁ ମଧ୍ୟ ଏହା ଅତି ଗୁରୁତ୍ବପୂର୍ଣ୍ଣ। ଶଶିକଳା ଏଆଇଏଡିଏମ୍‌କେର ମୁଖ୍ୟ ପଦ ଚାହିଛନ୍ତି ଏବଂ ସେ ମଧ୍ୟ ଏଆଇଏଡିଏମ୍‌କେର ବିଜୟ ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷେ ଷ୍ଟାଲିନ୍‌ ଡିଏମ୍‌କେର ଯେଭଳି ନେତୃତ୍ବ ନେଉଛନ୍ତି ସେନେଇ ଦଳରେ କୌଣସି ପ୍ରଶ୍ନବାଚୀ ନାହିଁ। ଷ୍ଟାଲିନ୍‌ ମୁଖ୍ୟମନ୍ତ୍ରୀ ଆସନ ଚାହିଛନ୍ତି ଏବଂ ମେଣ୍ଟ ଅଂଶୀଦାର କଂଗ୍ରେସକୁ ଯଥା ସମ୍ଭବ କମ୍‌ ଆସନ ଦେବାକୁ ଯୋଜନା କରୁଛନ୍ତି। ଚଳିତ ନିର୍ବାଚନରେ ଇପିଏସ୍‌ ଏବଂ ଷ୍ଟାଲିନ୍‌ଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ ହେବ।

କେରଳରେ ମୋଟ୍‌ ୧୪୦ ଆସନରେ ନିର୍ବାଚନ ହେବ। ୨୦୧୯ ‌ଲୋକସଭା ନିର୍ବାଚନରେ କଂଗ୍ରେସ ଏଠାରେ ବାମମେଣ୍ଟ ଏଲ୍‌ଡିଏଫ୍‌ଠାରୁ ଅଧିକ ଆସନରେ ବିଜୟୀ ହୋଇଥିଲା। ତେବେ ପୌର ନିର୍ବାଚନରେ ଏଲ୍‌ଡିଏଫ୍‌ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଆଗାମୀ ବିଧାନସଭା‌ ନିର୍ବାଚନ ଏଲ୍‌ଡିଏଫ୍‌ ପାଇଁ ଅଧିକ ଚ୍ୟାଲେଜିଂ ହେବ। କେରଳରେ ପୂର୍ବାପେକ୍ଷା ବିଜେପିର ଅଧିକ ପ୍ରଭାବ ବିସ୍ତାର ହୋଇଥିବାରୁ କଂଗ୍ରେସର ସଙ୍କଟ ବଢ଼ିଛି।

ଆସାମରେ ବିଜେପି ପୁଣି କ୍ଷମତା ଦଖଲ କରିବାକୁ ଆଶା ରଖିଛି। ୨୦୧୬ ମସିହାରେ ଏଠାରେ ବିଜେପି ଏକ ଅପ୍ରତ୍ୟାଶିତ ବିଜୟ ହାସଲ କରିଥିଲା। ଏଥର କଂ‌ଗ୍ରେସ ବିଜେପିର ଅଙ୍କ ବିଗାଡ଼ିପାରେ। କଂଗ୍ରେସ ଏୟୁଡିଏଫ୍‌ ସହ ମେଣ୍ଟ କରିଥିବାରୁ ମୁସଲିମ୍‌ ଭୋଟ୍‌ରେ ବିଭାଜନ ହେବନାହିଁ ବୋଲି କୁହାଯାଉଛି। କେନ୍ଦ୍ର ଶାସିତ ଅଂଚଳରେ ପୁଡ଼‌ୁଚେରୀରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ ସରକାରର ଅଚାନକ ପତନ ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପରେ ରାଜନୈତିକ ଉଷ୍ଣତା ବଢ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe