Image Courtesy of Insurance Information Institute
ନୂଆଦିଲ୍ଲୀ: ବାଧ୍ୟତାମୂଳକ କରାଯାଇଥିବା ତୃତୀୟ-ପକ୍ଷ ବୀମା ନ ଥାଇ ସଡ଼କରେ ଚଳାଚଳ କରୁଥିବା ଗାଡ଼ିମଟର ଉଦ୍ବେଗ୍ ବଢ଼ାଉଥିବାବେଳେ ବୀମା ଖିଲାପକାରୀଙ୍କୁ ଧରପଗଡ଼ କରିବା ନିମନ୍ତେ ପରିବହନ ମନ୍ତ୍ରାଳୟ ବୀମା କମ୍ପାନିଗୁଡ଼ିକୁ କହିଛି ଯେ ସେମାନେ ବୀମା କରାଯାଇଥିବା ଗାଡ଼ିଗୁଡ଼ିକର ସମସ୍ତ ବିବରଣୀ ସେୟାର୍ କରନ୍ତୁ।
ଅନ୍ଲାଇନ ପ୍ଲାଟ୍ଫର୍ମରେ ବୀମା କରାଯାଇଥିବା କାର୍ ଏବଂ ଦ୍ୱିଚକିଆ ଯାନଗୁଡ଼କର ଡାଟା ହୋଷ୍ଟ୍ କରିବାକୁ ଯୋଜନା କରିଛି ପରିପହନ ମନ୍ତ୍ରାଳୟ। ଏହି ପ୍ଲାଟ୍ଫର୍ମକୁ ପ୍ରତ୍ୟେକ ରାଜ୍ୟର ପରିବହନ ବିଭାଗ ଏବଂ ଟ୍ରାଫିକ୍ ପୁଲିସ ଆକ୍ସେସ୍ କରି ମୋଟର୍ ଇନ୍ସ୍ୟୁରାନ୍ସ୍ ପଲିସି ନବିକରଣ କରି ନ ଥିବା ବ୍ୟକ୍ତିଙ୍କୁ ଧରିବାରେ ସମର୍ଥ ହେବ।
ସମ୍ପ୍ରତି ଗାଡ଼ିକୁ ଅଟକାଇ ତା’ର ବୀମା କରାଯାଇଛି କି, ନାହିଁ ସରଜମିନ୍ ତଦନ୍ତ କରିବା ପରେ ଯାଇ ପ୍ରବର୍ତ୍ତନ ଏଜେନ୍ସିମାନେ ଜାଣିବାକୁ ପାଉଛନ୍ତି। ଡିଜିଟାଲ୍ରେ ଉପଲବ୍ଧ ଡାଟା ପ୍ରବର୍ତ୍ତନ ଏଜେନ୍ସିଙ୍କ ପାଇଁ ବଡ଼ ସହାୟକ ହେବ ବୋଲି ବିଚାର କରାଯାଉଥିବାବେଳେ ସମାଲୋଚକମାନେ କହୁଛନ୍ତି ଯେ କେତେକ ଗାଡ଼ି ପ୍ରକୃତ ଠିକଣାରେ ରେଜିଷ୍ଟ୍ରି ହୋଇ ନ ଥାଏ ଅଥବା ଠିକଣା ପରିବର୍ତ୍ତନ ହୋଇଥିଲେ ତାହା ଜଣାଇ ଦିଆ ଯାଇ ନ ଥାଏ।
ଇନ୍ସ୍ୟୁରାନ୍ସ୍ ଇନ୍ଫର୍ମେସନ୍ ବ୍ୟୁରୋ ସୂତ୍ରରୁ ପ୍ରକାଶ, ହାରାହାରି ୨୧ କୋଟି ଯାନବାହାନ ପଞ୍ଜିକୃତ ହୋଇଥିବାବେଳେ ୬.୫ କୋଟି ଗାଡ଼ିର ବୀମା କରାଯାଇଛି। ପଞ୍ଜିକୃତ ହୋଇ ନ ଥିବା ଯାନବାହାନ ମଧ୍ୟରେ କେତେକ ରାସ୍ତାରେ ଚଳାଚଳ କରୁ ନାହିଁ, କେତେକ ଖତ ଖାଉଛି ଅଥବା ଅବ୍ୟବହୃତ ହୋଇ ପଡ଼ିଛି। ତେଣୁ, ଅଧିକାରୀମାନେ କହନ୍ତି ଯେ ସଡ଼କରେ ଚଳାଚଳ କରୁଥିବା ୫୦%-୫୫% ଯାନବାହନର ପଞ୍ଜିକରଣ ହୋଇଛି।
ବ୍ୟାବସାୟିକ ଯାନବାହନଗୁଡ଼ିକ ସେମାନଙ୍କ ବାର୍ଷିକ ରେଜିଷ୍ଟ୍ରସନ୍ ରିନ୍ୟୁଆଲ୍ ସମୟରେ ବୀମା ମଧ୍ୟ କରାଇ ନେଉଛନ୍ତି। କିନ୍ତୁ, ପାସେଞ୍ଜର୍ କାର୍ଗୁଡ଼ିକରୁ ମାତ୍ର ୭୦%-୮୦% ବୀମା କରିଛନ୍ତି। ବୀମା କରାଯାଇଥିବା ଦ୍ୱିଚକିଆ ଯାନର ହାର ହେଉଛି ୪୦%-୫୦%। ଦେଶରେ ପଞ୍ଜିକୃତ ହୋଇଥିବା ସମୁଦାୟ ଗାଡ଼ିର ୭୦% ହେଉଛି ଦ୍ୱିଚକିଆ ଯାନ।
Follow Us