Image Courtesy of Mumbai Mirror
କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଏନ୍ଏଚ୍ଆର୍ସି (କେନ୍ଦ୍ରୀୟ ମାନବାଧିକାର କମିସନ୍) କୋଲକାତା ହାଇକୋର୍ଟରେ ଅନ୍ତିମ ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ୫୦ ପୃଷ୍ଠା ସମ୍ବଳିତ ଏହି ଅନ୍ତିମ ରିପୋର୍ଟରେ କୁହାଯାଇଛି, ପ୍ରଶାସନ ଉପରୁ ରାଜ୍ୟବାସୀଙ୍କ ବିଶ୍ବାସ ତୁଟିଯାଇଛି। ତଦନ୍ତବେଳେ ୧,୯୦୦ରୁ ଅଧିକ ଅଭିଯୋଗ ମିଳିଛି। ସେଥିମଧ୍ୟରୁ ଅଧିକାଂଶ ମାମଲା ଗମ୍ଭୀର ଅପରାଧ ସମ୍ବଳିତ। ଦୁଷ୍କର୍ମ, ହତ୍ୟା, ପୋଡ଼ାଜଳା ସମ୍ବଳିତ ଶତାଧିକ ମାମଲାର ଅଭିଯୋଗ ପୁଲିସ ଗ୍ରହଣ କରିନାହିଁ କିମ୍ବା କାହାରିକୁ ଗିରଫ କରାଯାଇ ନାହିଁ।
ରିପୋର୍ଟରେ କୁଖ୍ୟାତ ଅପରାଧୀ ତାଲିକାରେ ତୃଣମୂଳର ଅନେକ ହେଭିୱେଟ୍ ନେତାଙ୍କ ନାମ ରହିଛି। ତଦନ୍ତ ଟିମ୍ ଟିପ୍ପଣୀ ଦେଇ କହିଛନ୍ତି, କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ମାଟିରେ ‘ଆଇନର ଶାସନ’ ନୁହେଁ ବରଂ ଏଠାରେ ‘ଶାସକର ଆଇନ’ ଚାଲିଛି। ନିର୍ବାଚନ ପରବର୍ତ୍ତୀ ହିଂସା ତଦନ୍ତ ସିବିଆଇ ଦ୍ବାରା କରାଇବାକୁ ରିପୋର୍ଟରେ କୁହାଯାଇଛି। ପଶ୍ଚିମବଙ୍ଗରେ ଲାଗି ରହିଥିବା ହିଂସାକୁ ରୋକା ନଗଲେ ଭାରତ ଭଳି ମହାନ୍ ଦେଶରେ ଗଣତନ୍ତ୍ରର ବିପର୍ଯ୍ୟୟ ହେବ ବୋଲି ଏନ୍ଏଚ୍ଆର୍ସି ଦେଇଥିବା ଚୂଡ଼ାନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।
ହାଇକୋର୍ଟରେ ଏନ୍ଏଚ୍ଆର୍ସି ଦାଖଲ କରିଥିବା ତଦନ୍ତ ରିପୋର୍ଟ ସମ୍ପର୍କରେ କିଛି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷୋଭ ପ୍ରକାଶ କରିଛନ୍ତି। ମମତା କହିଛନ୍ତି, କମିସନ୍ ନ୍ୟାୟପାଳିକାକୁ ସମ୍ମାନ ଦେବା ଉଚିତ। ଏହି ରିପୋର୍ଟକୁ ଲିକ୍ କରାଯିବା ଉଚିତ ହୋଇ ନାହିଁ। ରିପୋର୍ଟକୁ କେବଳ ଅଦାଲତରେ ଦାଖଲ କରିବା କଥା। ରିପୋର୍ଟରେ କ’ଣ ରହିଛି ତାହା ସର୍ବସାଧାରଣରେ ପ୍ରକାଶ କରାଯିବା ଉଚିତ ନୁହେଁ।
Follow Us