The Altruistic Traveller
ନୂଆଦିଲ୍ଲୀ: ଭାରତରେ କୋଭିଡ୍-୧୯ ମହାମାରୀ ପାଇଁ ଭିକାରିମାନଙ୍କ ଟିକାକରଣ ଏବଂ ପୁନଃ ଥଇଥାନ ଲାଗି ଏକ ଆବେଦନ ଉପରେ ସୁପ୍ରିମ୍କୋର୍ଟ ମଙ୍ଗଳବାର କେନ୍ଦ୍ର ତଥା ଦିଲ୍ଲୀ ସରକାରଙ୍କୁ ନୋଟିସ୍ ଜାରି କରି କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ଭିକ ମାଗିବା ଉପରେ କଟକଣା ଲାଗୁ କରିବାକୁ କୋର୍ଟ ଅନୁମତି ଦେଇପାରିବେ ନାହିଁ। ଜଷ୍ଟିସ୍ ଡି.ଏ. ଚନ୍ଦ୍ରଚୂଡ଼ ଏବଂ ଏମ୍.ଆର୍. ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନ ତଥା ଟ୍ରାଫିକ୍ ଛକରୁ ଭିକାରିଙ୍କୁ ତଡ଼ାଯାଇ ପାରିବ ନାହିଁ। କୋଭିଡ୍-୧୯ ମହାମାରୀ ପାଇଁ ସତର୍କତାମୂଳକ ପଦକ୍ଷେପକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ଛକ, ବଜାର ଏବଂ ସର୍ବସାଧାରଣ ସ୍ଥାନରେ ଭିକ ମାଗିବାକୁ ବାରଣ କରିବାକୁ କରାଯାଇଥିବା ଆବେଦନ ଉପରେ ଖଣ୍ଡପୀଠ କହିଲେ ଯେ, ଖୁସିରେ କେହି ଭିକ ମାଗନ୍ତି ନାହିଁ, ଦାରିଦ୍ର୍ୟ ସେମାନଙ୍କୁ ଭିକ ମାଗିବାକୁ ବାଧ୍ୟ କରୁଛି।
ସାଧାରଣତଃ ଶିକ୍ଷା ଓ ରୋଜଗାର ଅଭାବରୁ ଲୋକମାନେ କିଛି ପ୍ରାଥମିକ ଜୀବିକା ନିର୍ବାହ କରିବାର ଉପାୟ ନ ପାଇ ରାସ୍ତାରେ ଭିକ ମାଗିବାକୁ ବାଧ୍ୟ ହୁଅନ୍ତି। ଆମେ ଏହା ଉପରେ ଅଭିଜାତବର୍ଗର ଦୃଷ୍ଟିକୋଣ ଗ୍ରହଣ କରିପାରିବୁ ନାହିଁ। ଏହା ଏକ ସାମାଜିକ-ଅର୍ଥନୈତିକ ସମସ୍ୟା। ସେମାନଙ୍କୁ ଭିକ ମାଗିବାକୁ ଦିଆଯିବ ନାହିଁ ବୋଲି ଆମେ କହି ପାରିବୁ ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ଏହାପରେ ସୁପ୍ରିମ୍କୋର୍ଟ କେନ୍ଦ୍ର ତଥା ଦିଲ୍ଲୀ ସରକାରଙ୍କୁ ନୋଟିସ୍ ଜାରି କରି ଭିକାରିମାନଙ୍କ ପୁନଃ ଥଇଥାନ, ସେମାନଙ୍କ ଟିକାକରଣ ତଥା ମହାମାରୀ ମଧ୍ୟରେ ଆଶ୍ରୟ ଓ ଖାଦ୍ୟ ଯୋଗାଇଦେବା ବାବଦରେ କରାଯାଇଥବା ପିଟିଶନ ଉପରେ ଦୁଇ ସପ୍ତାହ ମଧ୍ୟରେ ପ୍ରତିକ୍ରିୟା ଲୋଡ଼ିଥିଲେ।
Follow Us