Image Courtesy of India Today
ମେକ୍ସିକୋ ସିଟି: ମଙ୍ଗଳବାର ରାତିରେ ପ୍ରଶାନ୍ତ ମହାସାଗର ଉପକୂଳସ୍ଥିତ ମେକ୍ସିକୋର ଆକାପୁଲ୍କୋ ରିସର୍ଟ ନିକଟରେ ୭.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହେବାରୁ ୨୦୦ ମାଇଲ୍ ଦୂରବର୍ତ୍ତୀ ‘ମେକ୍ସିକୋ ସିଟି’ରେ ଥିବା କୋଠାବାଡ଼ି ସବୁ ଦୋହଲି ଉଠିଥିବା କଥା ‘ନ୍ୟାସ୍ନାଲ୍ ସିସ୍ମୋଲୋଜିକାଲ୍ ସର୍ଭିସ୍’ କହିଛି।
ଗୁଏରେରୋ ରାଜ୍ୟରେ ଥିବା ଆକାପୁଲ୍କୋ ‘ରିସର୍ଟ ବିଚ୍’ର ଦକ୍ଷିଣପୂର୍ବକୁ ୧୧ କିଲୋମିଟର ଦୂରରେ ଉପରୋକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିବା କଥା କମ୍ପନର ତୀବ୍ରତା ସଂକ୍ରାନ୍ତରେ ସଦ୍ୟତମ ରିପୋର୍ଟ ଦେଇ ‘ନ୍ୟାସ୍ନାଲ୍ ସିସ୍ମୋଲୋଜିକାଲ୍ ସର୍ଭିସ୍’ ସୂଚନା ଦେଇଛି।
ମେକ୍ସିକୋ ସିଟିରେ ଭୂମିକମ୍ପର ତୀବ୍ରତା ଏଡ଼େ ଜୋର୍ର ଅନୁଭୂତ ହେଲା ଯେ, ଅଧିବାସୀ ଓ ପର୍ଯ୍ୟଟକମାନେ ଘରଦ୍ବାରା ଏବଂ ହୋଟେଲ୍ ଛାଡ଼ି ରାସ୍ତା ଉପରକୁ ଚାଲିଆସିଲେ।
Image Courtesy of Fox Newsକିନ୍ତୁ, ରାଜାଧାନୀ ମେକ୍ସିକୋ ସିଟିରେ କୌଣସି ଭୀଷଣ କ୍ଷୟକ୍ଷତି ହୋଇଥିବା ବିଷୟରେ ତୁରନ୍ତ ଖବର ଆସିନାହିଁ ବୋଲି ଟୁଇଟ୍ କରି ମେୟର୍ କ୍ଲାଉଡିଆ ସିନ୍ବମ୍ କହିଛନ୍ତି।
ଗୁଏରେରୋ ରାଜ୍ୟର ରାଜ୍ୟପାଳ ହେକ୍ଟର୍ ଅସଟୁଡିଲୋ ଗଣମାଧ୍ୟମକୁ କହିଛନ୍ତି ଆକାପୁଲ୍କୋରେ ମଧ୍ୟ କେହି ଆହତ ହୋଇଥିବା କିଂବା ଭୀଷଣ କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ଆସିନାହିଁ।
ଆଟ୍ଲାଣ୍ଟିକ୍ ଏବଂ ପ୍ରଶାନ୍ତ ମହାସାଗରକୁ ଲାଗିଥିବା ମେକ୍ସିକୋ ହେଉଛି ବିଶ୍ବର ସବୁଠୁ ଭୂମିକମ୍ପ ପ୍ରବଣ ଅଞ୍ଚଳ। ୩ଟି ପ୍ରମୁଖ ‘ଟେକ୍ଟୋନିକ୍ ପ୍ଲେଟ୍’ ସମେତ ବିଶ୍ବର ‘୫ଟି ଟେକ୍ଟୋନିକ୍ ପ୍ଲେଟ୍’ ଉପରେ ଏହି ରାଷ୍ଟ୍ର ଅବସ୍ଥିତ।
ସ୍ମରଣଯୋଗ୍ୟ, ୧୯୮୫ ସେପ୍ଟେମ୍ବର ୧୯ ତାରିଖରେ ସଂଘଠିତ ୮.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ମେକ୍ସିକୋ ସହରରେ ୧୦ ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ବହୁସଂଖ୍ୟକ କୋଠାବାଡ଼ି ଧ୍ବଂସ ହୋଇଯାଇଥିଲା।
Follow Us