ନୂଆଦିଲ୍ଲୀ: ଲାଣ୍ଡର୍ ‘ବିକ୍ରମ’ର ରାମ୍ପ୍ ବାଟେ ବାହାରକୁ ଆସି ରୋଭର୍ ‘ପ୍ରଜ୍ଞାନ’ ଏବେ ଚନ୍ଦ୍ରପୃଷ୍ଠରେ ଚାଲୁଥିବା କଥା ‘ଇସ୍ରୋ’ ସୂଚନା ଦେଇଛି।
‘ଏକ୍ସ୍’ (ଟୁଇଟ୍) କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) କହିଛି: ଚନ୍ଦ୍ର ପାଇଁ, ଭାରତରେ ନିର୍ମିତ ‘ଚନ୍ଦ୍ରଯାନ-୩’ର ରୋଭର୍ ଲ୍ୟାଣ୍ଡର୍ରୁ ଗଡ଼ି ଗଡ଼ି ବାହାରକୁ ଯାଇଛି। ଭାରତ ଚନ୍ଦ୍ର ଉପରେ ଚାଲବୁଲ କରୁଛି!
ବୁଧବାର ସନ୍ଧ୍ୟା ୬.୦୪ରେ ସଫଳତାର ସହିତ ଅବତରଣ କରିବା ପରେ ଏହା ହେଉଛି ‘ଚନ୍ଦ୍ରଯାନ-୩’ର ପ୍ରଥମ ପରବର୍ତ୍ତୀ ଘଟଣା। ଖୁବ୍ ଶୀଘ୍ର ବାକି ସଦ୍ୟ ସୂଚନା ପ୍ରଦାନ କରାଯିବ।
ଗତ ସନ୍ଧ୍ୟାରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରପୃଷ୍ଠ ଅବତରଣ ସମୟରେ ସେ ଅଞ୍ଚଳରେ ପ୍ରବଳ ଧୂଳି ଉଡ଼ିଥିଲା। ଧୂଳି ଚନ୍ଦ୍ରପୃଷ୍ଠରେ ବସିଯିବା ପରେ ଲାଣ୍ଡର୍ ବିକ୍ରମର ଅଭ୍ୟନ୍ତରରେ ବା ପେଟ ଭିତରେ ସୁରକ୍ଷିତ ଥିବା ରୋଭର୍ ପ୍ରଜ୍ଞାନ ଚଳପ୍ରଚଳ ଆରମ୍ଭ କରି ସେଥିରୁ ପଦାକୁ ବାହାରି ଆସିଲା।
Image Courtesy of Asianet Newsableବିକ୍ରମରୁ ପ୍ରଜ୍ଞାନ ବାହାରକୁ ଆସୁଥିବାର ଦୃଶ୍ୟ ଥିବା ପ୍ରଥମ ଫଟୋ ସେୟାର୍ କରିଥିଲେ ‘ଇଣ୍ଡିଆନ୍ ନ୍ୟାସ୍ନାଲ୍ ସ୍ପେସ୍ ପ୍ରମୋସନ୍ ଆଣ୍ଡ୍ ଅଥରାଇଜେସନ୍ ସେଣ୍ଟର୍’ର ଅଧ୍ୟକ୍ଷ ପବନ ଗୋଏଙ୍କା।
ଉଲ୍ଲେଖଯୋଗ୍ୟ, ଲାଣ୍ଡର୍ ବିକ୍ରମ ଓ ରୋଭର୍ ପ୍ରଜ୍ଞାନଙ୍କର ଅଭିଯାନ ୧୪ ଦିନ ପର୍ଯ୍ୟନ୍ତ ଚାଲିବ। କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ୧୪ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପଡ଼ିବ। ୧୪ ଦିନ ପରେ ଲାଣ୍ଡର୍ ଓ ରୋଭର୍ ଶକ୍ତି ହରାଇବାର ସମ୍ଭାବନା ରହିଛି। ଏହି ୧୪ ଦିନରେ ରୋଭର୍ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ କେତେଗୁଡ଼ିଏ ପରୀକ୍ଷାନିରୀକ୍ଷା କରି ସେ ସଂକ୍ରାନ୍ତ ତଥ୍ୟାବଳି ଲାଣ୍ଡର୍କୁ ପଠାଇବ।
Follow Us