ନୂଆଦିଲ୍ଲୀ: ହନୁମାନ ଚାଳିଶା ପଢନ୍ତୁ , ଗାଏବ ହୋଇଯିବ କରୋନା । ବିଜେପିର ବିବାଦୀୟ ନେତ୍ରୀ ତଥା ଭୋପାଳ ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ଏଭଳି ମତ ଏବେ ହଇଚଇ ସୃଷ୍ଟି କରିଛି । ଅଗଷ୍ଟ ୫ ତାରିଖ ଯାଏ ଦିନକୁ ୫ଥର ହନୁମାନ ଚାଳିଶା ପାଠ କରିବାକୁ ଅହ୍ୱାନ ଦେଇଛନ୍ତି ପ୍ରଜ୍ଞା । କୋରନା ମହାମାରୀକୁ ଦୂର କରିବାକୁ ହେଲେ ଏବଂ ସୁସ୍ଥ ରହିବାକୁ ହେଲେ ହନୁମାନ ଚାଳିଶା ପାଠ ଅତ୍ୟନ୍ତ ଜରୁରୀ ବୋଲି ସେ ନିଜ ନିର୍ବାଚନମଣ୍ଡଳୀ ବାସିନ୍ଦାଙ୍କୁ କହିଛନ୍ତି । ତାଙ୍କର ଏଭଳି କଥାକୁ ଏବେ ସହଜରେ ହଜମ କରି ପାରୁ ନାହାନ୍ତି ଲୋକେ। ପୂର୍ବରୁ କରୋନା ମୁକ୍ତ ହେବା ପରେ ଅନେକ ଅଜବ ଅଜବ ବାଟ ଲୋକ ଆପଣାଉଥିବା କଥା ସାମ୍ନାକୁ ଆସିଥିବା ବେଳେ ସାଂସଦ ପ୍ରଜ୍ଞାଙ୍କ ଏଭଳି ମତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ନିର୍ବାଚନ କ୍ଷେତ୍ରର ସମସ୍ତଙ୍କୁ ଆହ୍ୱାନ ଦେଇ ସାଂସଦ କହିଛନ୍ତି ଯେ, ଆଜିଠାରୁ ଅଗଷ୍ଟ ୫ ତାରିଖ ଯାଏ ପ୍ରତ୍ୟକ ଦିନ ସନ୍ଧ୍ୟା ୭ଟାରେ ନିଜ ନିଜ ଘରେ ୫ଥର ହନୁମାନ ଚାଳିଶା ପାଠ କରିବା ସହ ଅଗଷ୍ଟ ୫ ତାରିଖରେ ରାମଲାଲାଙ୍କ ଆଳତୀ କରି ଘରେ ଦୀପ ଜଳାଇ ସମାପନ କରନ୍ତୁ । ଗୋଟିଏ ପଟେ ଦେଶରେ ସଂକ୍ରମଣ ସଂଖ୍ୟା ୧୪ ଲକ୍ଷ ଏବଂ ୩୨ ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ବିଜେପି ସାଂସଦଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସାରା ବିଶ୍ୱ କରୋନା ମହାମାରୀକୁ ହରାଇବା ପାଇଁ ଟିକା ଓ ଔଷଧ ତିଆରିରେ ଲାଗିଥିବା ବେଳେ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ହନୁମାନ ଚାଳିଶା ପାଠ ଆହ୍ୱାନକୁ ନେଇ ବିତର୍କ ଆରମ୍ଭ ହୋଇଛି ।
Follow Us