Skymet Weather
ତିରୁଅନନ୍ତପୁରମ: କେରଳରେ ଆଜି ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦୁଇଟି ଜିଲ୍ଲାରେ ରେଡ୍ ଆଲର୍ଟ ଏବଂ ୬ଟି ଜିଲ୍ଲାରେ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି। ବର୍ଷା ଯୋଗୁ ବନ୍ଦର ସହର କୋଚିର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କେନ୍ଦ୍ର ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କିଛିଦିନ ପାଇଁ ପାହାଡ଼ିଆ ଅଞ୍ଚଳକୁ ନିଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ପୁଲିସ ଓ ରାଜସ୍ବ କର୍ତ୍ତୃପକ୍ଷଙ୍କୁ ହାଇ ଆଲର୍ଟରେ ରଖାଯାଇଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି ରାଜସ୍ବ ମନ୍ତ୍ରୀ କେ ରାଜନ କହିଛନ୍ତି। ଇଡୁକି ଏବଂ ଏର୍ନାକୁଲମ ଜିଲ୍ଲାରେ ରେର୍ଡ ଆଲର୍ଟ ଜାରି ହୋଇଥିବା ବେଳେ ପଥନମମିଥା, ଆଲାପୁଝା, ତିରୁଅନନ୍ତପୁରମ, କୋଟାୟାମ, ତ୍ରିସୁର ଏବଂ ମାଲ୍ଲାପୁରମ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ରେଡ୍ ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ସ୍ବାଭାବିକ ସମୟ ଜୁନ ୧ର ଚାରି ଦିନ ପୂର୍ବରୁ ଅର୍ଥାତ ମେ ୨୭ରେ କେରଳ ଛୁଇଁବ ବୋଲି ଆକଳନ କରାଯାଇଛି।
Follow Us