ନୂଆଦିଲ୍ଲୀ, ସଂସଦର ଆଗାମୀ ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଡିଏନ୍୍ଏ ଫ୍ରୋଫାଇଲିଂ ବିଲ୍ ଆଗତ କରିବାକୁ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ବିଲ୍କୁ ମଂଜୁରି ଦେଇସାରିଥିବାରୁ ଏବେ ସଂସଦରେ ଏ ବାବଦ ଚର୍ଚ୍ଚା ପାଇଁ ସରକାର ଆଗଭର ଅଛନ୍ତି। ଡିଏନ୍ଏ ଡାଟା ବ୍ୟାଙ୍କ୍ ନିମନ୍ତେ ବିଭିନ୍ନସ୍ତରରେ କାର୍ଯ୍ୟକ୍ରମ ତ୍ୱରାନ୍ଵିତ ହୋଇଥିବାରୁ ଆଗାମୀ ଦିନରେ ଆଧାର ଭଳି ବିଶାଳ କାର୍ଯ୍ୟକ୍ରମ ସରକାର ହାତକୁ ନେବେ। ଏହା ପୂର୍ବରୁ ଜନସାଧାରଣରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଅଜ୍ଞାତ ଏବଂ ବେସାହାରା ଲୋକଙ୍କ ଶବ ଏବଂ ନିଖୋଜ ହୋଇଥିବା ଲୋକଙ୍କ ଡିଏନ୍୍ଏ ପ୍ରୋଫାଇଲିଂ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା। ଡିଏନ୍୍ଏ ତଥ୍ୟ ବ୍ୟାଙ୍କ ପାଇଁ ବ୍ୟକ୍ତିର ଜୈବିକ ନମୁନା ସଂଗ୍ରହ କରାଯିବ ଯାହାକି ଭବିଷ୍ୟତରେ ଏହାକୁ ଚିହ୍ନଟ କରିବା ପ୍ରକ୍ରିୟାରେ ବ୍ୟବହାର କରାଯିବ। ଆଧାର ପାଇଁ ବାୟୋମେଟ୍ରିକ୍ ଡାଟା ନେବା ପରେ କେନ୍ଦ୍ର ସରକାର ଏବେ ଡିଏନ୍୍ଏ ନମୁନା ସଂଗ୍ରହ କରିବେ ଏବଂ ଏହା ଡିଏନ୍୍ଏ ବ୍ୟାଙ୍କ୍ରେ ଗଚ୍ଛିତ ରହିବ। ଫରେନ୍୍ସିକ ବିଜ୍ଞାନରେ ଡିଏନ୍୍ଏ ପ୍ରୋଫାଇଲିଂ ବିଶ୍ୱବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବେଳେ ଏବେ ଭାରତ ମଧ୍ୟ ଏହି ବ୍ୟବସ୍ଥାକୁ ଆପଣାଇବ।
ଡିଏନ୍ଏ ଡାଟା ବ୍ୟାଙ୍କ୍ ଦ୍ୱାରା ଶବ ଚିହ୍ନଟ କରିବା ପ୍ରକ୍ରିୟା ଅତି ସହଜ ହେବ ଏବଂ ଅପରାଧିକ ମାମଲାର ତଦନ୍ତରେ ମଧ୍ୟ ଏହା ବିଶେଷ ଉପଯୋଗୀ ହେବ। ଦୁଷ୍କର୍ମ ଭଳି ଅପରାଧକୁ ରୋକିବା ଦିଗରେ ଏହାର ବଳିଷ୍ଠ ଭୂମିକା ରହିବ। ସରକାର ଆଗତ କରିବାକୁ ଥିବା ଡିଏନ୍ଏ ପ୍ରୋଫାଇଲିଂ ବିଲ୍ରେ ଗୋପନୀୟତା ନେଇ ମଧ୍ୟ କଡ଼ା ବନ୍ଦୋବସ୍ତ କରାଯିବ ବୋଲି ଜଣାପଡ଼ିଛି। ଜାତୀୟ ଏବଂ ରାଜ୍ୟସ୍ତରରେ ଖୁବ୍୍ଶୀଘ୍ର ଡିଏନ୍ଏ ପ୍ରୋଫାଇଲିଂ ବୋର୍ଡ ଗଠନ କରାଯିବ ଏବଂ ଏଥିପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହେବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ ପ୍ରାୟ ଦୁଇ ମାସ ତଳେ ଏ ବାବଦରେ ସୁପ୍ରିମ୍ କୋର୍ଟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲୋକନୀତି ଫାଉଣ୍ଡେସନ ପକ୍ଷରୁ ହୋଇଥିବା ଆବେଦନ ଉପରେ ସରକାରଙ୍କ ଜବାବ ଲୋଡ଼ିଥିଲେ ଏବଂ ସରକାର ଏ ବାବଦ ବିଲ୍ ଆଗତ କରିବାକୁ ସମସ୍ତ ପ୍ରସ୍ତୁତି ଚଳାଇଥିବା କହିଥିଲେ।
ଡିଏନ୍ଏ ଡାଟା ବ୍ୟାଙ୍କ୍ ପାଇଁ ପ୍ରସ୍ତୁତି
Advertisment
Follow Us