Forbes
ମସ୍କୋ: ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨୧ ଦିନ ପୂରିଛି। ଏହି ଯୁଦ୍ଧର ଆରମ୍ଭ ୨୪ ଫେବ୍ରୁଆରିରେ ରୁଷ୍ ଦ୍ବାରା ୟୁକ୍ରେନ୍ ଉପରେ ଆକ୍ରମଣରୁ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୫ଟି ପର୍ଯ୍ୟାୟରେ ହୋଇଥିବା ଶାନ୍ତି ଆଲୋଚନା ବିଫଳ ହୋଇଥିବା ବେଳେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଇତିମଧ୍ୟରେ ରୁଷ୍ ବିଦେଶ ମନ୍ତ୍ରୀ ସର୍ଗଇ ଲାଭ୍ରୋଭ କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରାମ ହେବାନେଇ ସେ ଆଶାବାଦୀ ଅଛନ୍ତି ଏବଂ ଖୁବ୍ଶୀଘ୍ର କିଛି ବୁଝାମଣା ହୋଇପାରେ। ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କି ମଧ୍ୟ କହିଛନ୍ତି ଯେ ତାଙ୍କ ଦେଶ ଆତ୍ମସର୍ମପଣ ନକରି କିଛି ବୁଝାମଣାରେ ଉପନୀତ ହେବ। ଉଭୟ ପଟୁ ଏଭଳି ସକରାତ୍ମକ ବୟାନ ଏହି ଭୀଷଣ ଯୁଦ୍ଧରେ ବିରାମ ଦେବ ବୋଲି ଆଶା କରାଯାଉଛି । ରୁଷ୍ ବିଦେଶ ମନ୍ତ୍ରୀ ଲାଭ୍ରୋଭ କହିଛନ୍ତି ଯେ ଏକ ବୁଝାମଣାର ଖୁବ୍ ନିକଟରେ ଆମେ ରହିଛୁ, ତେଣୁ ସମାଧାନର ବାଟ ଫିଟିବା ଆଶା ରହିଛି । ମସ୍କୋର ସୁରକ୍ଷା ଗ୍ୟାରେଣ୍ଟି ଏବଂ ୟୁକ୍ରେନ୍ର ରାଜନୈତିକ ଓ ସାମରିକ ନିରପେକ୍ଷତା ନେଇ ରୁଷ୍ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ୟୁକ୍ରେନ୍ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ଏ ବାବଦରେ ଚର୍ଚ୍ଚା ସକରାତ୍ମକ ଦିଗରେ ଯାଉଥିବାରୁ ଏହା ଉପରେ ସବୁକିଛି ନିର୍ଭର କରୁଛି ବୋଲି ଲାଭ୍ରୋଭ କହିଛନ୍ତି।
ତୃତୀୟ ପର୍ଯ୍ୟାୟ କଥାବାର୍ତ୍ତା ପରେ କେତେକ ସହରରେ ସାମୟିକ ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ। ଜେଲେନସ୍କି କହିଥିଲେ ଯେ ଅସ୍ତ୍ରବିରତି ସମୟରେ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥିଲା। ଆଜି ସୁଦ୍ଧା ୩୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍ ଛାଡ଼ି ପଳାଇଥିବା ବେଳେ ରାଜଧାନୀ କିବ୍ ସମେତ ପ୍ରାୟ ୨୦ଟି ସହର ଉପରେ ରୁଷ୍ର ଆକ୍ରମଣ ଜାରି ରହିଛି। ୟୁକ୍ରେନ୍ ଆଗକୁ ନାଟୋରେ ସାମିଲ ହେବାନେଇ କୌଣସି ଯୋଜନା କରିବ ନାହିଁ ବୋଲି ଗତକାଲି ଜେଲେନସ୍କିଙ୍କ ବୟାନ ପରେ ରୁଷ୍ କିଛି କୋହଳ ନୀତି ଅବଲମ୍ବନ କରିବା ଆଶା ରହିଛି।
Follow Us