ଜେଲ୍‌ ନିର୍ଯାତିତଙ୍କ କଥା ଟିକେ ଶୁଣ : ବିଚାରପତି ଓ ଆଇନଜୀବୀ ଭାବପ୍ରବଣ ହେଲେ, ଛିଡ଼ା ହୋଇ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଲେ

Advertisment

ନ୍ୟାୟପାଳିକାକୁ ରାଷ୍ଟ୍ରପତି ମୁର୍ମୁଙ୍କ ନିବେଦନ

ନ୍ୟାୟପାଳିକାକୁ ରାଷ୍ଟ୍ରପତି ମୁର୍ମୁଙ୍କ ନିବେଦନ

ରାଷ୍ଟ୍ରପତିଙ୍କ ବାର୍ତ୍ତା କେନ୍ଦ୍ର ସରକାରଙ୍କ ନୀତି ନିଷ୍ପତ୍ତିରେ ପରିଣତ ହେଉ

ନୂଆଦିଲ୍ଲୀ : ଆମ ଦେଶର ଜେଲ୍‌ଗୁଡ଼ିକରେ ଏମିତି ଅନେକ କଏଦୀ ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ବିନା କାରଣରେ ଜେଲ୍‌ ଦଣ୍ଡ ଭୋଗି ଚାଲିଛନ୍ତି। କିଏ ୨୦ ବର୍ଷ, କିଏ ୨୫ ଆଉ କିଏ କିଏ ୩୦ ବର୍ଷ ହେଲାଣି ବନ୍ଦୀ ଜୀବନ ବିତାଉଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜାଣିନାହାନ୍ତି, କେଉଁ ଦୋଷରେ ସେମାନେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ସେମାନଙ୍କ ପାଇଁ ନା କିଏ କହିବାକୁ ଅଛି, ନା ସେମାନଙ୍କ କଥା କିଏ ଶୁଣୁଛି। ମୌଳିକ ଅଧିକାର, ମୌଳିକ କର୍ତ୍ତବ୍ୟ କ’ଣ, ସେ ବିଷୟରେ ବି ତାଙ୍କର ଜ୍ଞାନ ନାହିଁ। ନ୍ୟାୟପାଳିକା ସେଭଳି ନିର୍ଯାତିତଙ୍କ କଥାକୁ ବିଚାର କରିବାକୁ ପଡ଼ିବ। ସେମାନଙ୍କୁ ବାହାରକୁ ଆଣି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାସ୍ତା ବାହାର କରିବାକୁ ପଡ଼ିବ। ଏଥିପାଇଁ ସାମୂହିକ ସ୍ତରରେ ଉଦ୍ୟମ ହେବା ଉଚିତ। ସମାଜରେ ‘ଚେକ୍‌-ଆଣ୍ଡ-ବାଲାନ୍ସ’ର କଥା ତ ରହିବା ଉଚିତ। କିନ୍ତୁ କିଛି ମାମଲାରେ ଆମ ସଭିଁଙ୍କ ଚିନ୍ତାଧାରା ଏକ ହେବାକୁ ପଡ଼ିବ। ଭାରତର ସମ୍ବିଧାନ ଦିବସ ପାଳନ ଅବସରରେ ସୁପ୍ରିମ୍‌କୋର୍ଟ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଭଳି ଆହ୍ବାନ ଦେଇଛନ୍ତି। ଜେଲ୍‌ ନିର୍ଯାତିତଙ୍କ ପାଇଁ ରାଷ୍ଟ୍ରପତି ଅନ୍ତରରୁ କହିଥିବା କଥା କେଇପଦ ସମବେତ ବିଚାରପତି ଓ ଆଇନଜୀବୀଙ୍କୁ ଭାବପ୍ରବଣ କରିଥିଲା। ସମସ୍ତେ ଛିଡ଼ା ହୋଇ ରାଷ୍ଟ୍ରପତିଙ୍କୁ ସମ୍ମାନ ଜଣାଉଥିବା ଦୃଶ୍ୟ ଉଲ୍ଲେଖନୀୟ ଥିଲା।

ବିଚାରପତି ଓ ଆଇନଜୀବୀ ଭାବପ୍ରବଣ ହେଲେ, ଛିଡ଼ା ହୋଇ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଲେ

ରାଷ୍ଟ୍ରପତି ମୁର୍ମୁ ଆହୁରି କହିଥିଲେ, ବିଧାୟିକା ହେବା ପରେ ସୌଭାଗ୍ୟକୁ ମୁଁ ହୋମ୍‌ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଲି। ତେଣୁ ରାଜ୍ୟର ସବୁ ଜେଲ୍‌ ବୁଲିବାକୁ ସୁଯୋଗ ମିଳିଲା। ମୁଁ ଜାଣିବାକୁ ଚାହୁଥିଲି, ଜେଲ୍‌ରେ ଲୋକେ କେମିତି ବଞ୍ଚୁଛନ୍ତି, କେମିତି ରହୁଛନ୍ତି। ଦେଖିଲି, କିଏ ୧୦ବର୍ଷ, କିଏ ୨୦, କିଏ କିଏ ୨୫ରୁ ୩୦ ବର୍ଷ ହେଲା ଦଣ୍ଡ ଭୋଗୁଛନ୍ତି। ହେଲେ ସେମାନଙ୍କ ଦୁରବସ୍ଥା ସଂପର୍କିତ ରିପୋର୍ଟ ଦେବା ଓ ପରିସ୍ଥିତିରେ ସୁଧାର ଆଣିବାକୁ ପ୍ରସ୍ତାବ ଦେବା ବ୍ୟତୀତ ଅନ୍ୟ କିଛି କରିପାରିବାର କ୍ଷମତା ମୋ ପାଖରେ ନଥିଲା। ମୋ ପ୍ରସ୍ତାବ ଅନୁଯାୟୀ ରାଜ୍ୟ ସରକାର କିଛି କାର୍ଯ୍ୟକାରୀ କଲେ, ହେଲେ ବହୁତ କିଛି ହୋଇପାରିଲାନି। ଏହା ପରେ ଭାଗ୍ୟକୁ ମୁଁ ଓଡ଼ିଶା ଭଳି ଅନ୍ୟତମ ପଛୁଆ ରାଜ୍ୟ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ହେଲି। ସେଠାରେ ହାଇକୋର୍ଟର ୪ରୁ ୫ଜଣ ବିଚାରପତିଙ୍କ ସହ ଏ ସଂପର୍କରେ ଆଲୋଚନା କରିବାର ସୁଯୋଗ ମିଳିଲା। ବିଚାରପତି ପି.କେ ମହାନ୍ତି ଓ ବିଚାରପତି ଡି.ଏନ୍‌ ପଟେଲଙ୍କୁ ମୁଁ ମୋ ମନର ସେହି ବେଦନା କଥା କହିଥିଲି। ଜେଲ୍‌ରେ ବର୍ଷ ବର୍ଷ ଧରି ନିର୍ଯାତିତ ହେଉଥିବା ଲୋକଙ୍କ ପାଇଁ କିଛି କରିବାକୁ କହିଥିଲି। ସେମାନେ ମୋ କଥା ରଖିଲେ ଓ ଦିନକରେ ଏଭଳି ପାଖାପାଖି ୫ ହଜାର ମାମଲାର ଶୁଣାଣି କରି ଦେଇଥିଲେ। ଏହାବ୍ୟତୀତ ଆହୁରି ଅନେକ ଉଳ୍ଲେଖନୀୟ କାର୍ଯ୍ୟ ମଧ୍ୟ କରିଥିଲେ।

publive-image

ସମାଜରେ ଗୁରୁ, ଡାକ୍ତର ଓ ଆଇନଜୀବୀଙ୍କୁ ଲୋକେ ଭଗବାନ ବୋଲି ମାନିଥା’ନ୍ତି। ଅସୁବିଧାରେ ପଡ଼ିଥିବା ଲୋକ ଡାକ୍ତର ଓ ଆଇନଜୀବୀଙ୍କୁ ବେଶି ଖୋଜନ୍ତି। ନିଜର କିମ୍ବା ପ୍ରିୟଜନଙ୍କୁ ଦୁଃଖରୁ ମୁକ୍ତି ଦେବା ପାଇଁ ସେମାନେ ନିଜର ସବୁ କିଛି ଦେବାକୁ ବି ପ୍ରସ୍ତୁତ ହୋଇଯାଆନ୍ତି। ଘରଦ୍ବାର, ଜମି-ବାଡ଼ି, ଜୀବନଯାକର ଅର୍ଜିତ ସବୁ ଧନ ସଂପତ୍ତି ବି ଦେବାକୁ ସେମାନେ ରାଜି ହୋଇଯାଆନ୍ତି। କିନ୍ତୁ ଆମ ସମାଜରେ ଏମିତି ବି ଅନେକ ପରିବାର ଅଛନ୍ତି, ଯେଉଁମାନେ ନିଜ ପ୍ରିୟଜନଙ୍କୁ ମୁକୁଳାଇବା ପାଇଁ ଚେଷ୍ଟା ବି କରିପାରନ୍ତି ନାହିଁ। ଗୋଟିଏ ଲୋକକୁ ମୁକୁଳାଇବାକୁ ଯାଇ ସେମାନେ ପୂରା ପରିବାରକୁ ବଡ଼ ବିପଦକୁ ଠେଲି ଦେବାକୁ ଉଚିତ ମନେ କରନ୍ତି ନାହିଁ। ସେଭଳି ଲୋକଙ୍କ ପାଇଁ ଆମକୁ କିଛି କରିବାକୁ ପଡ଼ିବ। ତେଣୁ ମୋ ବକ୍ତବ୍ୟକୁ ଏମିତି ଅଧା ଅଧୁରା କରି ନିଷ୍ପତ୍ତି ଆପଣଙ୍କ ଉପରେ ଛାଡ଼ୁଛି।

ଏହି ଅବସରରେ ରାଷ୍ଟ୍ରପତି ସମ୍ବିଧାନ ଦିବସର ପାଳନର ତାତ୍ପର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଭାରତର ସମ୍ବିଧାନ ମହାନ ଓ ଏଥିରେ ସବୁ ବର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କହିଥିଲେ। ଏଥିପାଇଁ ସେ ସମ୍ବିଧାନ ଡ୍ରାଫ୍ଟ କମିଟିର ସଦସ୍ୟମାନଙ୍କୁ ଧନ୍ୟବାଦ ଦେବା ସହ ସ୍ମୃତିଚାରଣ କରିଥିଲେ।

ପାଖାପାଖି ୨୦ ମିନିଟ୍‌ର ରାଷ୍ଟ୍ରପତିଙ୍କ ଏହି ଭାଷଣ ପରେ ଗ୍ୟାଲେରିରେ ଉପସ୍ଥିତ ବିଶିଷ୍ଟ ବିଚାରପତି ଓ ଆଇନଜୀବୀମାନେ ଠିଆ ହୋଇ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe