Image Courtesy of Zee News
ନୂଆଦିଲ୍ଲୀ: କୋଭିଡ୍-୧୯ ସଂଗ୍ରାମରେ ଜୀବନ ଓ ଜୀବିକା ଉଭୟକୁ ସୁରକ୍ଷା କରାଯିବା ଉପରେ ଧ୍ୟାନ ଦିଆଯିବା ଅତ୍ୟାବଶ୍ୟକ ବୋଲି ଆଜି ସନ୍ଧ୍ୟାରେ ୭୪ତମ ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।
ଅଭିଭାଷଣ ପ୍ରାରମ୍ଭରେ ରାଷ୍ଟ୍ରପତି କହିଲେ, ୭୪ତମ ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶରେ ଓ ବିଦେଶରେ ବାସ କରୁଥିବା ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଁ ଆନନ୍ଦିତ। ସ୍ବାଧୀନ ଦେଶର ନାଗରିକ ହୋଇଥିବାରୁ ଭାରତର ଯୁବବର୍ଗ ବିଶେଷ ଗର୍ବ ଅନୁଭବ କରିବା ଉଚିତ।
ଦେଶର ସ୍ବାଧୀନତା ଆନ୍ଦୋଳନ ପ୍ରସଙ୍ଗରେ ସେ କହିଲେ, ମହାତ୍ମା ଗାନ୍ଧୀ ଆମ ସ୍ବାଧୀନତା ଆନ୍ଦୋଳନର ଆଲୋକ ବର୍ତ୍ତିକା ହୋଇଥିବାରୁ ଆମେ ଭାଗ୍ୟବାନ। ସମାନତା ଓ ନ୍ୟାୟ ନିମନ୍ତେ ତାଙ୍କର ଅନ୍ବେଷଣ ହିଁ ଆମ ଗଣତନ୍ତ୍ରର ମନ୍ତ୍ର। କନିଷ୍ଠତର ପିଢ଼ି ଗାନ୍ଧୀଜୀଙ୍କୁ ପୁନଃଆବିଷ୍କାର କରୁଥିବା ଦେଖି ମୁଁ ଆନନ୍ଦିତ।
ସମ୍ପ୍ରତି ଦେଶରେ ଉପୁଜିଥିବା ମହାମାରୀ କଥା ଉଲ୍ଲେଖ କରି ସେ କହିଲେ, କୋଭିଡ୍-୧୯ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ବାନର ଫଳପ୍ରଦ ମୁକାବିଲା କରିବା ଥିଲା ସରାକରଙ୍କ ପକ୍ଷେ ଅତିମାନବୀୟ ଉଦ୍ୟମ। ଏହିସବୁ ଅସାଧାରଣ ଉଦ୍ୟମ ସାମର୍ଥ୍ୟରେ ଜନାକୀର୍ଣ୍ଣ ଓ ବିବିଧ ପରିସ୍ଥିତି ଥିବା ଆମ ବିଶାଳ ଦେଶର ଏଭଳି ଆହ୍ବାନର ମୁକାବିଲା ହୋଇପାରୁଛି। ସ୍ଥାନୀୟ ପରିସ୍ଥିତି ଅନୁସାରେ ରାଜ୍ୟ ସରକାରମାନେ କାମ କରିଛନ୍ତି। ଜନସାଧାରଣ ମଧ୍ୟ ପୂର୍ଣ୍ଣ ସମର୍ଥନ କରୁଛନ୍ତି।
Image Courtesy of Hindustan Timesଗରିବ ଏବଂ ଦିନ ମଜୁରିଆଙ୍କୁ ଏହି ମହାମାରୀର ସବୁଠୁ ଅଧିକ କଷ୍ଟ ଦେଉଛି। ସଙ୍କଟର ଏହି ଯୁଗରେ, ସେସବୁକୁ ପ୍ରତିହତ କରିବା ଉଦ୍ୟମ ସହ କେତେଗୁଡ଼ିଏ ଜନମଙ୍ଗଳ ପଦକ୍ଷେପ ଗ୍ରହଣ କରାଯାଇଛି। ମହାମାରୀ ଯୋଗୁଁ ଚାକିରି ହରାଇବା, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଏବଂ ବିପର୍ଯ୍ୟସ୍ତ ଜୀବନର କଷ୍ଟ ଲାଘବ କରିବାକୁ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ର ଶୁଭାରମ୍ଭ କରି ସରକାର କୋଟି କୋଟି ଲୋକଙ୍କୁ ଜୀବିକା ଯୋଗାଇ ଦେଇଛନ୍ତି।
କୌଣସି ପରିବାରକୁ ଭୋକିଲା ନ ରଖାଇ ଦେବାକୁ ଗରିବ ଲୋକମାନଙ୍କୁ ମାଗଣା ଖାଦ୍ୟସଶ୍ୟ ଦିଆଯାଉଛି। ପ୍ରତି ମାସରେ ପ୍ରାୟ ୮୦ କୋଟି ଜନତା ଏହି ଅଭିଯାନରେ ନିଶ୍ଚିତ ରେସନ୍ ପାଉଛନ୍ତି।
ବିଶ୍ବର ଯେକୌଣସି ସ୍ଥାନରେ ଅସୁବିଧା ଯୋଗୁଁ ଅଟକି ରହିଥିବା ଆମ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରତିବଦ୍ଧ ସରକାର ବନ୍ଦେ ଭାରତ ମିସନ୍ ମାଧ୍ୟମରେ ଏକ ନିୟୁତରୁ ଅଧିକ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିଛନ୍ତି।
ସୀମା ସୁରକ୍ଷା କରିବାକୁ ଆମର ବୀର ସୈନିକମାନେ ଜୀବନ ଉତ୍ସର୍ଗ କରିଛନ୍ତି। ଭାରତ ମାତାଙ୍କର ଏହି ପୁତ୍ରମାନେ ଦେଶର ଗୌରବ ପାଇଁ ଜୀବନ ଧାରଣ କରନ୍ତି ଓ ସେଥିପାଇଁ ଜୀବନ ଉତ୍ସର୍ଗ କରନ୍ତି। ଗଲୱାନ୍ ଉପତ୍ୟକାର ଆତ୍ମବଳି ପ୍ରତି ସମଗ୍ର ଜାତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ତାଙ୍କ ପରିବାରର ସଦସ୍ୟମାନଙ୍କ ପ୍ରତି ପ୍ରତି ଭାରତୀୟଙ୍କର କୃତଜ୍ଞତା ଭାବ ଉଦ୍ରେକ ହୋଇଛି।
ଭାରତର ଆତ୍ମନିର୍ଭରତା ଅର୍ଥ ଆତ୍ମନିର୍ଭରଶୀଳ ହେବା, କିନ୍ତୁ, ବିଶ୍ବରୁ ପୃଥକ୍ ହୋଇଯିବା ବା ଦୂରତ୍ବ ସୃଷ୍ଟି କରିବା ନୁହେଁ। ବିଶ୍ବ ବିପଣନ ଧାରାରେ ଭାରତ ସମ୍ପୃକ୍ତ ହେବ ଏବଂ ତା’ର ବିଶେଷ ପରିଚିତି ବଜାୟ ରଖିବା କଥା ମଧ୍ୟ ଆତ୍ମନିର୍ଭରତା କହୁଛି।
୨୦୨୦ରେ ଆମେ ଅନେକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ଲାଭ କରିଛନ୍ତି। ପ୍ରକୃତି ମଣିଷର ଦାସ ବୋଲି ଥିବା କିଂବଦନ୍ତିକୁ ଗୋଟାଏ ଅଦୃଶ୍ୟ ଭୂତାଣୁ ନଷ୍ଟ କରି ଦେଇଛି। ମୋର ବିଶ୍ବାସ ଠିକଣା ରାସ୍ତା ଧରି ପ୍ରକୃତି ସଙ୍ଗତ ଆଧାରିତ ଜୀବନଯାପନ ଶୈଳୀ ଗ୍ରହଣ କରିବାକୁ ମାନବଜାତି ପାଖରେ ତଥାପି ସୁଯୋଗ ଅଛି।
ବିଶ୍ବ ସମ୍ପ୍ରଦାୟର ପ୍ରତ୍ୟେକ ସଦସ୍ୟ ପରସ୍ପର ସହ ସମ୍ପୃକ୍ତ ବୋଲି ଜଳବାୟୁ ପରିବର୍ତ୍ତନ ହେବା ଭଳି ଏ ମହାମାରୀ ମଧ୍ୟ ଚେତନା ଜାଗ୍ରତ କରାଇଛି। ମୋର ବିଶ୍ବାସ ସମ୍ପ୍ରତିକ ପରିପ୍ରେକ୍ଷୀରେ ଅର୍ଥ-କେନ୍ଦ୍ରିକ ସମ୍ପୃକ୍ତିକରଣ ଅପେକ୍ଷା ମାନବ-କେନ୍ଦ୍ରିକ ସହଯୋଗିତା ଅଧିକ ଗୁରୁତ୍ବପୂର୍ଣ୍ଣ।
ମୋର ବିଶ୍ବାସ କୋଭିଡ୍-୧୯ ସଂଗ୍ରାମରେ ଜୀବନ ଓ ଜୀବିକା ଉଭୟକୁ ସୁରକ୍ଷା କରାଯିବା ଉପରେ ଧ୍ୟାନ ଦିଆଯିବା ଅତ୍ୟାବଶ୍ୟକ। ସମସ୍ତଙ୍କର ବିଶେଷକରି, କୃଷକ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କ ସ୍ବାର୍ଥ ନିମନ୍ତେ ଉଯୁକ୍ତ ସଂସ୍କାର ଦ୍ବାରା ଅର୍ଥନୀତିକୁ ପୁନଃ ଜାଗ୍ରତ କରିବା ନିମନ୍ତେ ସାମ୍ପ୍ରତିକ ସଙ୍କଟକୁ ଆମେ ଏକ ସୁଯୋଗ ଭାବେ ଦେଖିଛନ୍ତି।
Follow Us